ନୂଆଦିଲ୍ଲୀ,୨୪/୦୫ : ନିଦାଘ ଗ୍ରୀଷ୍ମର ଏହି ଅସ୍ୱାଭାବିକ ଯନ୍ତ୍ରଣାରୁ ମୁକୁଳିବାକୁ ଦେଶବାସୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବାଟକୁ ଚାହିଁ ବସିଛନ୍ତି । ଯାହା କି ଜୁନରୁ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୭୦% ବର୍ଷା ଆଣିଥାଏ । ଏଭଳି ସ୍ଥିତିରେ ପାଣିପାଗ ବିଶେଷଜ୍ଞମାନେ ‘ସୁପର ଏଲ୍ ନିନୋ’କୁ ନେଇ ସତର୍କବାଣୀ କରିବା ପରେ ଭୟ ଘାରିଛି । ମାଡ଼ିଆସିବ ଭୟଙ୍କର ମରୁଡ଼ି । ଏହା ଚାଷୀ, ଜଳାଶୟ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ସହନଶକ୍ତିର ପରୀକ୍ଷା ନେଇପାରେ ବୋଲି କୁହାଯାଉଛି ।

ମୌସୁମୀ କେରଳ ଛୁଇଁବା ବେଳକୁ ଏଲ୍ ନିନୋ ନିଜ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପନୀତ ହୋଇପାରେ । ଏଲ୍ ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା । ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗ ସମୁଦ୍ର ପାଣି ସ୍ୱାଭାବିକଠାରୁ ଅଧିକ ଗରମ ହେବା ସ୍ଥିତିରେ ଏହା ହୋଇଥାଏ । ସମୁଦ୍ରର ତାପମାତ୍ରାରେ ଏହି ପରିବର୍ତ୍ତନ ବିଶ୍ୱବ୍ୟାପୀ ବାୟୁ ଓ ପାଣିପାଗ ପଦ୍ଧତିକୁ ପ୍ରଭାବିତ କରିଥାଏ । ଏହାଯୋଗୁ ଅନେକ ଦେଶରେ ପାଣିପାଗ ଅଚାନକ ବଦଳିଯାଏ । କେଉଁଠି ମରୁଡ଼ି ତ କେଉଁଠି ଭୀଷଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜେ ।

ଅପରପକ୍ଷରେ, ତେଲଙ୍ଗାନାରେ ୧୬ ମୁଣ୍ଡ ନେଲାଣି ଗ୍ରୀଷ୍ମ ଲହର । ଉତ୍ତର ପ୍ରଦେଶରେପାରା ୪୭ ପାର୍ କରିଛି । ୪୦ରୁ ୪୭ ଡିଗ୍ରୀ ତାପମାତ୍ରାରେ ସିଝୁଛି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ୧୧ ରାଜ୍ୟ । ତେବେ ତାତିର ଏହି ଭୟାନକ ରୂପ ଏତେଶୀଘ୍ର ଯିବନାହିଁ । ଏହା ପ୍ରଭାବରେ ଆହୁରି ଛଟପଟ ହେବେ ଦେଶବାସୀ ।

ତାପମାତ୍ରା ବୃଦ୍ଧି ପଛରେ ଯେ ‘ଏଲ୍ ନିନୋ’ର ହାତ ରହିଛି, ତାହା ଅଳ୍ପ-ବହୁତେ ଜାଣିଥିବେ । କିନ୍ତୁ ଏଥର ‘ସୁପର ଏଲ୍ ନିନୋ’ ପ୍ରଭାବରେ ଭାଙ୍ଗିବ ସବୁ ରେକର୍ଡ । ତାପମାତ୍ରା ୧୫୦ ବର୍ଷର ରେକର୍ଡ ଭାଙ୍ଗିବା ନେଇ ବିଶ୍ୱ ପାଣିପାଗ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି । ଏହାର ପ୍ରଭାବ ଭାରତ ଉପରେ ସର୍ବାଧିକ ପଡ଼ିବାକୁ ଯାଉଛି । ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ସମ୍ଭାବ୍ୟ ‘ସୁପର ଏଲ୍ ନିନୋ’କୁ ନେଇ ବର୍ତ୍ତମାନ ଖୁବ ଚିନ୍ତିତ । ପ୍ରାରମ୍ଭିକ ସଙ୍କେତ ଦର୍ଶାଉଛି ଯେ ସୁପର ଏଲ୍ ନିନୋ ଦ୍ରୁତ ଗତିରେ ବଳ ଜୁଟାଇବ ଏବଂ ବିଗତ କେଇ ଦଶନ୍ଧିର ସବୁଠୁ ବିପଜ୍ଜନକ ତଥା ଶକ୍ତିଶାଳୀ ଏଲ୍ ନିନୋରେ ପରିଣତ ହୋଇଯିବ ।

ବୈଜ୍ଞାନିକଙ୍କ ମତ ଯେ ଯଦି ସୁପର ଏଲ୍ ନିନୋ ସୃଷ୍ଟି ହୁଏ, ତେବେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିପାରେ । କିନ୍ତୁ ଭାରତ ଉପରେ ଏହାର ପ୍ରଭାବ ଅଧିକ ବିନାଶକାରୀ ହେବ । ଏହା ପ୍ରଭାବରେ ମୌସୁମୀ ଦୁର୍ବଳ ହୋଇଯିବ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଅଧିକାଂଶ ଅଞ୍ଚଳରେ ମରୁଡ଼ି ସ୍ଥିତି ଉପୁଜିବ । ଭୀଷଣ ଗରମ ଅନୁଭୂତ ହେବ । ଦୀର୍ଘଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଚାଷବାସ ସବୁ ବରବାଦ ହୋଇଯିବ ।

ଅଧିକ ପଢ଼ନ୍ତୁ :-  Extreme Heat Wave: ଆହୁରି ୪ ଦିନ ଆକାଶରୁ ବର୍ଷିବ ଅନଳ, ଆଜି ୩ ଜିଲ୍ଲାକୁ ହିଟ୍ଓ୍ବେଭ ଆଲର୍ଟ

ଏଲ୍ ନିନୋର ପ୍ରଭାବ ସାଧାରଣତଃ ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଥାଏ । କିନ୍ତୁ ଏହାର ପ୍ରଭାବ ହଜାର ହଜାର କିଲୋମିଟର ଦୂର ଭାରତ ପର୍ଯ୍ୟନ୍ତ ପହଞ୍ଚିଥାଏ । ସ୍ୱାଭାବିକ ସ୍ଥିତିରେ ଦକ୍ଷିଣ ଆମେରିକା ନିକଟ ସମୁଦ୍ର ପାଣି ଥଣ୍ଡା ରହିଥାଏ, ଯେବେ କି ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପଟେ ପାଣି ଅଧିକ ଗରମ ହୋଇଥାଏ । ବର୍ତ୍ତମାନ ପୂର୍ବରୁ ପଶ୍ଚିମମୁହାଁ ବାୟୁ (ଯାହାକୁ ଟ୍ରେଡ୍ ୱିଣ୍ଡ୍ସ କୁହାଯାଏ) ଏହି ଗରମ ପାଣିକୁ ଏସିଆ ଆଡ଼କୁ ଠେଲିବାରେ ଲାଗିଛି । ଏହାଦ୍ୱାରା ଏସିଆ ଆଡ଼କୁ ଗରମ ପାଣି ଜମା ହେବାରେ ଲାଗିଛି ।

ଭାରତରେ ମୌସୁମୀ ମୁଖ୍ୟତଃ ଆରବ ସାଗର ଏବଂ ଭାରତ ମହାସାଗରରୁ ଆସୁଥିବା ଥଣ୍ଡା ବାୟୁ ଉପରେ ନିର୍ଭରଶୀଳ । କିନ୍ତୁ ଏଲ୍ ନିନୋ ବେଳେ ବାୟୁର ପାଟର୍ନ ବଦଳିଯାଏ । ଯାହାଦ୍ୱାରା ଭାରତରେ ସ୍ୱଳ୍ପ ବାଦଲ ସୃଷ୍ଟି ହୁଏ ଏବଂ ବର୍ଷା ପରିମାଣ କମିଯାଏ । ଏପ୍ରିଲ, ମେ ଏବଂ ଜୁନରେ ଯେତେବେଳେ ଆକାଶ ପରିଷ୍କାର ଥାଏ, ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂମି ଉପରେ ପଡ଼ିଥାଏ । ଏହାଦ୍ୱାରା ଭୂପୃଷ୍ଠ ଦ୍ରୁତ ଗତିରେ ଉତ୍ତପ୍ତ ହୋଇଥାଏ । ଫଳରେ ଉତ୍ତର ଭାରତ, ମଧ୍ୟ ଭାରତ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ଅଞ୍ଚଳରେ ଭୀଷଣ ଗରମ ଅନୁଭୂତ ହୋଇଥାଏ । ଏହା ପୂର୍ବରୁ ୨୦୨୩ରେ ଶକ୍ତିଶାଳୀ ଏଲ୍ ନିନୋ କାରଣରୁ ଭାରତର ଅନେକ ସହରରେ ତାପମାତ୍ରା ୪୫ରୁ ୪୮ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେ ସମୟରେ ମୌସୁମୀ ଦୁର୍ବଳ ରହିଥିଲା । ବର୍ଷା କମ୍ ହେବା ସହ ଅଧିକ ସମୟ ପର୍ଯ୍ୟନ୍ତ ତାତି ବଳବତ୍ତର ଥିଲା ।

ବିଶେଷଜ୍ଞଙ୍କ ଅନୁସାରେ, ଏ ବର୍ଷ ଏଲ୍ ନିନୋ ଆହୁରି ଅଧିକ ବିନାଶକାରୀ ରୂପ ନେବ । ଏହାକୁ ‘ସୁପର ଏଲ୍ ନିନୋ’ କୁହାଯାଏ । ଯେତେବେଳେ ମଧ୍ୟ- ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକରୁ ୨ ଡିଗ୍ରୀ ସେଲ୍ସିୟସ ବା ତା’ଠାରୁ ଅଧିକ ବଢ଼ିଯାଏ, ତାହାକୁ ‘ସୁପର ଏଲ୍ ନିନୋ’ କୁହାଯାଏ । ତେବେ ମଧ୍ୟ-ପ୍ରଶାନ୍ତ ମହାସାଗରର ତାପମାତ୍ରା ପୂର୍ବରୁ ହିଁ ପ୍ରାୟ +୦.୯ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚି ସାରିଛି ଏବଂ ସମୁଦ୍ର ଭିତରେ ବଡ଼ ମାତ୍ରାରେ ଗରମ ପାଣି ଜମା ହେବାରେ ଲାଗିଛି । ୧୯୫୦ ପରେ ସୁପର ଏଲ୍ ନିନୋ ଭଳି ସ୍ଥିତି ବହୁତ କମ୍ ଥର ଦେଖିବାକୁ ମିଳିଛି । ୧୯୮୨, ୧୯୯୭ ଏବଂ ୨୦୧୫ରେ ସୁପର ଏଲ୍ ନିନୋର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ବୈଜ୍ଞାନିକମାନେ ଅଧିକ ଚିନ୍ତିତ ହେବାର କାରଣ ପ୍ରଶାନ୍ତ ମହାସାଗର ପାଣି ବହୁତ ଦ୍ରୁତ ଗତିରେ ଗରମ ହେବାକୁ ଲାଗିଛି ।

ପୂର୍ବରୁ ହିଁ ବିଶ୍ୱତାପନ ଯୋଗୁ ସମଗ୍ର ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି ସୁପର ଏଲ୍ ନିନୋ ଆସେ, ତେବେ ତାହାର ପ୍ରଭାବ ଆହୁରି ଭୟଙ୍କର ପାଲଟିବ । ସମୁଦ୍ର ଭିତରେ ଜମା ହେଉଥିବା ଗରମ ପାଣି ଉପରକୁ ଆସି ବାତାବରଣକୁ ଆହୁରି ଅସହ୍ୟ କରିଦେବ । ଉତ୍ତର, ମଧ୍ୟ ଏବଂ ପଶ୍ଚିମ ଭାରତ ଉପରେ ଏହାର ପ୍ରଭାବ ଅଧିକ ରହିବ । ଗରମ ଅନେକ ପୁରୁଣା ରେକର୍ଡ ଭାଙ୍ଗିଦେବ । ସମଗ୍ର ପୃଥିବୀ ତତଲା ତାୱା ଭଳି ଅନୁଭୂତ ହେବ ।