ନୂଆଦିଲ୍ଲୀ,୨୧/୧୨: ମେଡିକାଲ ଓ ଡେଣ୍ଟାଲ ଶିକ୍ଷାରେ ନିୟମର ଉଲ୍ଲଂଘନକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପୋଷଣ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ ରାଜସ୍ଥାନର ୧୦ଟି ଘରୋଇ ଡେଣ୍ଟାଲ କଲେଜକୁ ୧୦ କୋଟି ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି । ଏହି କଲେଜଗୁଡିକ ନିଟ୍ ୨୦୧୬- ୧୭ରେ ଧାର୍ଯ୍ୟ କଟ-ଅପ୍ ମାର୍କ ଠାରୁ କମ୍ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥିଲେ । ଏହା ନିୟମର ସ୍ପଷ୍ଟ ଉଲ୍ଲଂଘନ ଏବଂ ଶିକ୍ଷା ବ୍ୟବସ୍ଥା ସହ ଖେଳ ବୋଲି କୋର୍ଟ କହିଛନ୍ତି ।

ନିଟ୍ ପରୀକ୍ଷା ହେଉଛି ଦେଶବ୍ୟାପୀ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମଲେଖା ପାଇଁ ଏକମାତ୍ର ଆଧାର । କିନ୍ତୁ ଏହାକୁ ଅଣଦେଖା କରି ରାଜସ୍ତାନର ଘରୋଇ ଡେଣ୍ଟାଲ କଲେଜଗୁଡିକ ଛାତ୍ରଛାତ୍ରୀଙ୍କୁ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏହି ମାମଲାର ବିଚାର ଦୀର୍ଘ ସମୟ ଧରି ଅଦାଲତରେ ଚାଲିଥିଲା । ଯାହା ଉଭୟ କଲେଜ ଓ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ବିଚାରପତି ଜି.କେ ମାହେଶ୍ୱରୀ ଓ ବିଚାରପତି ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କଲେଜ ଜାଣିଶୁଣି ନିୟମର ଉଲ୍ଲଂଘନ କରିଛନ୍ତି । ସେଥିପାଇଁ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏସବୁ କଲେଜ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିକଟରେ ୧୦ କୋଟି ଲେଖାଏ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜସ୍ଥାନ ସରକାରଙ୍କ ଭୂମିକା ଉପରେ କୋର୍ଟ ପ୍ରଶ୍ନ ଉଠାଇବା ସହ ୧୦ ଲକ୍ଷ ଟଙ୍କା ଜମା କରିବାକୁ କହିଛନ୍ତି ।

ଡେଣ୍ଟାଲ କଲେଜରୁ ମିଳିବାକୁ ଥିବା ୧୦୦ କୋଟି ଟଙ୍କାକୁ ସ୍ଥାୟୀ ଜମା ଭାବେ ରଖାଯିବ । ଏଥିରୁ ମିଳିବାକୁ ଥିବା ସୁଧ ରାଜସ୍ଥାନରେ ୱାନ ଷ୍ଟପ ସେଣ୍ଟର, ନାରୀ ନିକେତନ, ବୃଦ୍ଧାଶ୍ରମ ଓ ଅନାଥାଶ୍ରମର ଦେଖାରଖା ତଥା ବିକାଶ ଦିଗରେ ଖର୍ଚ୍ଚ କରାଯିବ । କୋର୍ଟ ସମ୍ବିଧାନର ଧାରା ୧୪୨ରେ ମିଳିଥିବା ସ୍ୱତନ୍ତ୍ର କ୍ଷମତା ବଳରେ କମ୍ ନମ୍ବର ରଖି ନାମ ଲେଖାଇଥିବା ଉକ୍ତ ଛାତ୍ରଛାତ୍ରୀଙ୍କ ଡିଗ୍ରୀକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ସେମାନଙ୍କ ଲାଗି ସର୍ବୋଚ୍ଚ ଅଦାଲତ ସର୍ତ୍ତ ମଧ୍ୟ ରଖିଛନ୍ତି । କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଓ ଅନ୍ୟାନ୍ୟ ଜରୁରି ପରିସ୍ଥିତି ସମୟରେ ସେମାନେ ରାଜ୍ୟ ସରକାରଙ୍କୁ ମାଗଣା ସେବା ଯୋଗାଇଦେବେ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ହେବ ।