ମୁମ୍ବାଇ ୨୭/୧୨: ରିଲିଜ୍‌ ହେଲା ଦବଙ୍ଗ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର’ର ପ୍ରଥମ ପୋଷ୍ଟର୍‌ । ଆଜି ୨୭ ଡିସେମ୍ବର ସଲ୍ଲୁଙ୍କ ଜନ୍ମଦିନ । ଏ ଅବସରରେ ପୋଷ୍ଟର୍‌ ମାଧ୍ୟମରେ ନିର୍ମାତା ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଆଜି ସକାଳ ୧୧.୭ଟାରେ ଫିଲ୍ମର ଟିଜର୍‌ ଜାରି କରାଯିବ ବୋଲି ପୋଷ୍ଟର୍‌ରେ ଉଲ୍ଲେଖ ହୋଇଛି । ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ‘ସିକନ୍ଦର’ ଆସନ୍ତା ବର୍ଷ ଇଦ୍‌ ଅବସରରେ ସିନେମାଘରକୁ ଆସିବ । 

୨୦୨୩ରେ ମୁକ୍ତିପ୍ରାପ୍ତ ‘ଟାଇଗର-୩’ ପରେ ସଲ୍ଲୁଙ୍କ ଅପ୍‌କମିଙ୍ଗ ଫିଲ୍ମ ହେଉଛି ‘ସିକନ୍ଦର’ । ପୋଷ୍ଟର୍‌ରେ ସଲମାନ ସୁଟ୍‌ରେ ନଜର ଆସିଛନ୍ତି । ହାତରେ ଅସ୍ତ୍ର ଧରିଥିବାବେଳେ ପୃଷ୍ଠଭୂମି ଯୁଦ୍ଧକ୍ଷେତ୍ରର ବୋଲି ଜଣାପଡୁଛି । ଫିଲ୍ମରେ ସଲମାନଙ୍କ ଫାର୍ଷ୍ଟ-ଲୁକ୍‌ ପୋଷ୍ଟର ଓ ଟିଜର୍‌ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ‘ସିକନ୍ଦର’ ଟିମ୍‌ ଖୁବ୍‌ ପରିଶ୍ରମ କରିଛନ୍ତି । ପୂରା ଟିମ୍‌ ଏବେ ଫିଲ୍ମର ଦମ୍‌ଦାର ଆକ୍ସନ୍‌ ସିକ୍ୱେନ୍ସର ସୁଟିଂରେ ବ୍ୟସ୍ତ ଅଛି । ଫିଲ୍ମର ପ୍ରମୋସନ୍‌ ପାଇଁ ମଧ୍ୟ ଜୋରଦାର ଯୋଜନା ଚଲାଇଛି । ସଲ୍ଲୁଙ୍କ ଜନ୍ମଦିନ ଫିଲ୍ମ ପ୍ରମୋସନ୍‌ର ସବୁଠୁ ଭଲ ଦିନ ବୋଲି ଭାବି ନିର୍ମାତା ପ୍ରଥମ ପୋଷ୍ଟର୍‌ ଜାରି କରିଛନ୍ତି ।




ନିକଟରେ ହାଇଦ୍ରାବାଦରେ ଫିଲ୍ମର ପ୍ରମୁଖ ଭାଗର ସୁଟିଂ ଶେଷ ହୋଇଛି । ଆସନ୍ତା ଜାନୁଆରୀରେ ଏକ ଜଟିଳ ଟ୍ରେନ୍‌ ଦୃଶ୍ୟର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି । ଶେଷ ଭାଗର ସୁଟିଂ ମୁମ୍ବାଇରେ ହେବ । ‘ସିକନ୍ଦର’ ଜରିଆରେ ସଲମାନ ଓ ସାଜିଦ ନାଦିଆଦୱାଲା ପୁଣି ଥରେ ଏକାଠି କାମ କରିଛନ୍ତି । ଏହା ପୂର୍ବରୁ ଦୁହେଁ ‘କିକ୍‌’ ଓ ‘ମୁଝ୍‌ସେ ଶାଦି କରୋଗି’ ଭଳି ହିଟ୍‌ ଫିଲ୍ମରେ କାମ କରିଥିଲେ । ଦମ୍‌ଦାର କାହାଣୀ ସାଙ୍ଗକୁ ଜୋରଦାର ଆକ୍ସନ୍‌ ମାଧ୍ୟମରେ ସଲ୍ଲୁଙ୍କ ବହୁମୁଖୀ ଅବତାରକୁ ପରଦାରେ ଉତାରିବ ‘ସିକନ୍ଦର’ ।