ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଆମ ଭାଷା ସାହିତ୍ୟ ଓ ମାଆମାନେ

(ପ୍ରମିଳା ପ୍ରତାପ), ୧୭।୩: ଆମେ ଓଡ଼ିଆ, ଆମ ଭାଷା ଭାରି ବଢ଼ିଆ । ମଧୁବର୍ଣ୍ଣବୋଧ ପଢ଼ି ଆମେମାନେ ଅକ୍ଷର ଶିଖିଲୁ । ପ୍ରଥମେ ଅ' ଆ’ ଶିଖି ଆମେମାନେ ଶବ୍ଦ ଶିଖିଲୁ । ଓ’କାର ଏ’କାର ଔ’କାର ଓ ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ ଶିଖି ଆମେମାନେ ପୁସ୍ତକ ପଠନ କରିପାରିଲୁ । ଆମ ମାତୃଭାଷାରେ ଆମେମାନେ ପାଠ ପଢ଼ି ଶିକ୍ଷିତ ହୋଇଛୁ । ଏହା ହିଁ ଆମର ଅସ୍ମିତା ଭାଷା ଆଉ ଭାବ ନେଇ ଯାହା ସୃଷ୍ଟି ହେଲା ତାହାହିଁ ସାହିତ୍ୟ । ଏଇ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଆମ ପୂର୍ବସୁରୀମାନେ ଲଢ଼ି ଲଢ଼ି ଜୀବନ ସେମାନଙ୍କର ସରିଯାଇଛି । ତଥାପି ସେମାନଙ୍କର ଆଶା ମଉଳିନଥିଲା । ଭାଷା ଯଦି ଆମର ଭୂମି ହୁଏ ତେବେ ବ୍ୟାକରଣ ହେଉଛି ଏହାର ମୂଳଦୁଆ ଓ ଅଭିଧାନ ହେଉଛି ମଝି ଖୁଣ୍ଟ । ଏହା ଉପରେ ସାହିତ୍ୟର ପ୍ରଶସ୍ତ ଗୃହ । 

ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ପାଇଁ ଅନେକ ଝଡ଼ ସୃଷ୍ଟି ହୋଇଥିଲା । ବଙ୍ଗଳାର କାନ୍ତିଲାଲ ଭଟ୍ଟାଚାର୍ଯ୍ୟ "ଓଡ଼ିଆ ଏକ ଭାଷା ନୟ' କହି ଓଡ଼ିଆ ଭାଷାର ସମ୍ମାନରେ ଆଞ୍ଚ ଆଣିଥିଲେ । ମାତ୍ର ଓଡ଼ିଆ ସାହିତ୍ୟର ଶବ୍ଦଭଣ୍ଡାର ବହୁ ବିଶାଳ ଏବଂ ପରିବ୍ୟାପ୍ତ । ଏଇ ଧାରାକୁ ପ୍ରମାଣିତ କରିବା ନିମନ୍ତେ ପ୍ରାତଃସ୍ମରଣୀୟ ମହାମନିଷୀ ହେଉଛନ୍ତି ମୋହନ ପ୍ରସାଦ ଠାକୁର । ମାତ୍ର ବିଂଶ ଶତାବ୍ଦୀରେ ତତ୍କାଳୀନ ବିଶିଷ୍ଟ ଓକିଲ ସୁସାହିତ୍ୟିକ ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତିତ୍ୱ ଗୋପାଳ ପ୍ରହରାଜ "ଓଡ଼ିଆ ଭାଷାକୋଷ' ରଚନା କରିଥିଲେ । ଏଥିନିମନ୍ତେ ସେ ତାଙ୍କର ତନ, ମନ, ଧନ, ଧ୍ୟାନ ସବୁ କିଛିକୁ ଲଗାଇ ଏଇ ଅଭିଧାନ ନିମନ୍ତେ ଦୀର୍ଘ ୨୫ବର୍ଷ କାଳ ସାଧନାରେ ଲିପ୍ତ ଥିଲେ । ଏଇ ଶବ୍ଦ ଭଣ୍ଡାରରେ ଥିଲା ଏକଲକ୍ଷ ଶତାଅଶି ହଜାର ଶବ୍ଦ । ବାଣୀଶ୍ରୀଙ୍କର ଅପୂର୍ବ ଦାନ ବାଣୀଭଣ୍ଡାର । ଏତେକରି ମଧ୍ୟ ଗୋପାଳ ପ୍ରହରାଜ କରିଥିଲେ ଯେ, ଏହା ସର୍ବାଙ୍ଗ ସୁନ୍ଦର ହୋଇପାରିଲା ନାହିଁ । ଅର୍ଥ ଅଭାବରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ପୂର୍ବର କବି ସାହିତ୍ୟିକମାନେ ଆଗେଇ ନେଇପାରି ନାହାଁନ୍ତି । 

ଆମର ପରମ୍ପରା କହେ ଅତ୍ୟନ୍ତ ସୁଖର କଥା ଯେ, ଆମ ଓଡ଼ିଆ ଭାଷା ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଲଭିଛି । ଗତ ତା୨୧.୦୨.୨୦୨୪ରିଖ ଠାରୁ ବହୁ ଗବେଷଣା କରି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଓଡ଼ିଆ ଭାଷା ଆଜି ଯୁଗାନ୍ତକାରୀ ହୋଇପାରିଛି । ପୂର୍ବରୁ ଯେଉଁମାନେ ମନଧ୍ୟାନ କରି ସାହିତ୍ୟ ରଚନା ତଥା ସାହିତ୍ୟାନୁରାଗୀ ଥିଲେ ସେମାନଙ୍କୁ କେହି ପୁରସ୍କାର ଦେଇନାହାଁନ୍ତି । କିନ୍ତୁ ସେପରି ମହାନ ସାହିତ୍ୟ ଆଉ ସୃଷ୍ଟି ହୋଇପାରିନି । ତେବେ ସୁଖର କଥା, କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ବଳିଷ୍ଠ ରଚନା "ବନ୍ଦେ ଉତ୍କଳ ଜନନୀ’କୁ ଏବେ ମାନ୍ୟତା ମିଳିଛି । ତେଣୁ ଏହି ସଂଗୀତଟି ଆମ ଉତ୍କଳର ପରମ୍ପରା, ସୌନ୍ଦର୍ଯ୍ୟ, ଶିକ୍ଷା, ପ୍ରକୃତିକୁ ଓ ସମୃଦ୍ଧିକୁ ନେଇ ରଚନା ହୋଇଥିବାରୁ ଏହାର ଉପାଦେୟତା ଅନେକ, ଜାତୀୟତାବାଦୀ ଓ ଦେଶାତ୍ମବୋଧକ ମଧ୍ୟ । ଅତ୍ୟନ୍ତ ଭାବାତ୍ମକ ସଂଗୀତ । ରାଜ୍ୟ ସରକାରଙ୍କର ଏବେ ଭାଷା ସାହିତ୍ୟ ସଂସ୍କୃତି ଉପରେ ମନରେ ଆସିଛି । ଏଥିନିମନ୍ତେ ଆୟୋଜନ ହୋଇଛି ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ' ଭୁବନେଶ୍ୱର ଜନତା ମଇଦାନରେ । 

ଓଡ଼ିଆ ଭାଷାର ବହୁଳ ବ୍ୟବହାର, ପ୍ରଚାର ପ୍ରସାର ନିମନ୍ତେ ଏତେ ବିରାଟ ଆୟୋଜନ । ବ୍ଲକ, ପଞ୍ଚାୟତ, ସ୍କୁଲ, କଲେଜରେ ମଧ୍ୟ ଫେବ୍ରୁଆରୀ ତା୩.୨.୨୦୨୪ ରୁ ତା୫.୨.୨୦୨୪ ଯାଏ ଏଇ ସମ୍ମିଳନୀ ହେବ ବୋଲି ଘୋଷଣା କରାଯାଇଥିଲା । ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବେ ଭବିଷ୍ୟତ ତଥା ଯୁବପିଢ଼ିଙ୍କ ପାଖରେ ଓଡ଼ିଆ ଭାଷା କିପରି ଆଉରି ଆଦୃତି ଲାଭ କରିବ ଏବଂ ଆଧୁନିକ ଜ୍ଞାନ କୌଶଳକୁ ପ୍ରୟୋଗ କରି ଆମ ଭାଷା କିପରି ଆଗକୁ ବଢ଼ିପାରିବ ତାହା ଏଇ ସମ୍ମିଳନୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ । ଏହା ଏକ ଯୁଗୋପଯୋଗୀ ପଦକ୍ଷେପ । ଏଇ ସମ୍ମିଳନୀର ଏକ ଲୋଗୋ ଥିଲା ଖୋଲା ବହି, ପର କଲମ କଡ଼ରେ ବାମପଟକୁ ବୃକ୍ଷର ଚିତ୍ରଟିଏ ବୃତ୍ତାକାର ମଣ୍ଡଳୀ ମଧ୍ୟରେ, ତା’ ତଳରେ ଲେଖା "ଭାଷା ହିଁ ଭବିଷ୍ୟତ' । ଅତ୍ୟନ୍ତ ସୁରୁଚିସଂପନ୍ନ ଚିତ୍ରଟିଏ ଓ ଭାବ ନିମନ୍ତେ । ଏଇ ସମ୍ମିଳନୀର ପ୍ରାରମ୍ଭ ଦିବସରେ ଦିବା ୧୧ଟା ସମୟରେ ‘ବନ୍ଦେ ଉତ୍କଳ ଜନନୀ' ସଂଗୀତ ସମସ୍ତେ ଗାନ କରିବା ନିମନ୍ତେ ସରକାରୀ ଭାବେ ଘୋଷଣା ହୋଇଥିଲା । ଏଥିନିମନ୍ତେ ବ୍ଲକ ଓ ପଞ୍ଚାୟତରେ ସରକାର ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦେଇଥିଲେ । 

ଆଜିର ପଞ୍ଚାୟତ ଅଫିସ ଓ ବ୍ଲକ କାର୍ଯ୍ୟାଳୟରେ ମିଶନ ଶକ୍ତିର ପ୍ରାଧାନ୍ୟ ଦେଖାଯାଏ । ନିଜ ନିଜ ପଞ୍ଚାୟତରେ ଓ ବ୍ଲକରେ ମଧ୍ୟ ଏଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାର ନିର୍ଦ୍ଦେଶ ଥିଲା । ପଞ୍ଚାୟତ, ବ୍ଲକରେ ମିଶନ ଶକ୍ତିର ମାଆମାନେ ଯୋଗ ଦେଇଥିଲେ । ସାଧାରଣତଃ ଗ୍ରାମାଞ୍ଚଳର ମହିଳାମାନେ ଶହେରୁ ସତୁରି ଭାଗ ମାଆ ଲେଖିପଢ଼ି ଜାଣିନାହାଁନ୍ତି । ଆଜି ମଧ୍ୟ ଟିପଚିହ୍ନ ଦେଉଛନ୍ତି । ଆମର ଗାନ "ବନ୍ଦେ ଉତ୍କଳ ଜନନୀ'କୁ ସମ୍ମାନ ଜଣାଇ ସେମାନେ ଶୁଣିଲେ, ମାତ୍ର ସବୁକିଛି ଶବ୍ଦର ଅର୍ଥ ସେମାନେ ବୁଝିପାରିଲେ ନାହିଁ, ଏଥିରେ ମଧ୍ୟ କିଛି ସଂସ୍କୃତ ଶବ୍ଦ ରହିଅଛି । ସେମାନଙ୍କୁ ଏ ସଂଗୀତ ଅତ୍ୟନ୍ତ ଭାବମୟ ମଧୁମୟ ଲାଗିଲା । ଜଳଖିଆ ଖାଇବା ସମୟରେ ଶତାଧିକ ମହିଳା କହିଲେ ଯେ, ଆଜିର ଏଇ ଭାଷା ସାହିତ୍ୟ କାର୍ଯ୍ୟକ୍ରମରେ ଆମମାନଙ୍କୁ ଜଳଖିଆ ନଦେଇ ଖଣ୍ଡେ ଖଣ୍ଡେ "ମଧୁବର୍ଣ୍ଣବୋଧ' ଦେଇଥିଲେ ଆମେମାନେ ପାଠ ଲେଖାପଢ଼ା ଶିଖି ପାରନ୍ତୁ । ଲେଖିପଢ଼ି ନଶିଖିବାର ବ୍ୟର୍ଥତା ସେମାନଙ୍କୁ ବହୁ ଦୁଃଖ ଦେଇଥିଲା । ଆଜି ଯଦି ଏତେବଡ଼ ଭାଷା ସମ୍ମିଳନୀର ଆୟୋଜନ କରାଯାଇପାରୁଛି, ତେବେ ପଞ୍ଚାୟତକୁ କିଛି କିଛି ମଧୁବର୍ଣ୍ଣବୋଧ ସରକାରଙ୍କ ତରଫରୁ ମିଳିଲେ ମାଆମାନେ ଲେଖାପଢ଼ା ଜାଣି କୃତାର୍ଥ ହୋଇପାରନ୍ତେ । 

ମହିଳା ସଂଘ କରି ଯେଉଁ ମହିଳାମାନେ ଲେଖିପଢ଼ି ପାରୁଛନ୍ତି, ସେମାନଙ୍କ ପାଖରେ ଲେଖିପଢ଼ି ଶିଖିନଥିବା ମହିଳାମାନେ ନିର୍ଭର କରି ସଂଘ କାର୍ଯ୍ୟ ତୁଲାଉଛନ୍ତି । ରୋଷେଇ, ସିଲେଇ, ପିଠାପଣା, ଝୋଟିଚିତା, ବୁଣାବୁଣି, ଚିତ୍ର ଆଦି ଦେଖି ଶିଖି କରିହେବ । ମାତ୍ର ପାଠ ପଢ଼ାଟିକୁ ନିଜେ ନଲେଖିଲେ ନପଢ଼ିଲେ, ନଜାଣିଲେ ଆପେ ଦୁଃଖୀ ହେବା କଥା । ତେଣୁ ଗ୍ରାମାଞ୍ଚଳର ମାଆମାନଙ୍କର ଅନୁରୋଧ, କିଛି କିଛି "ମଧୁବର୍ଣ୍ଣବୋଧ' ପଞ୍ଚାୟତକୁ ପଠାନ୍ତୁ ସରକାର । ଏହାଦ୍ୱାରା ମାଆମାନେ ଆହୁରି ସଶକ୍ତିକରଣ ହୋଇ ନିଜକୁ ତଥା ସମାଜକୁ ଆଗେଇ ନେବେ । ଆପଣାର ପିଲାକୁ ମଧ୍ୟ ଶିକ୍ଷା ଦାନ କରିପାରିବେ ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.