ନୂଆଦିଲ୍ଲୀ, ୩୦/୧୨ : ଦେଶର ପୃଥକ ପୃଥକ ରୁଟ୍‌ରେ ବର୍ତ୍ତମାନ ୧୩୬ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି । ତନ୍ମଧ୍ୟରୁ ୬୨ଟି କେବଳ ୨୦୨୪ରେ ଆରମ୍ଭ ହୋଇଥିଲା । ରବିବାର ରେଳ ମନ୍ତ୍ରଣାଳୟ ଏକ ବୟାନରେ ଏହା କହିଛି । ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ୨୦୨୪ରେ ୩ ହଜାର ୨୧୦ କିଲୋମିଟର ଟ୍ରାକ୍‌ର ବିଦ୍ୟୁତିକରଣ ହୋଇଛି । ଏଥିସହ ରେଳ ବିଦ୍ୟୁତିକରଣର ବ୍ରଡ୍‌ଗଜ୍‌ ନେଟ୍‌ୱର୍କକୁ ୯୭% ପର୍ଯ୍ୟନ୍ତ ବଢ଼ାଯାଇଛି । ଏହାଛଡ଼ା ରେଳଷ୍ଟେସନର ଆଧୁନିକୀକରଣ ନିମନ୍ତେ ଚାଲୁଥିବା ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅନୁସାରେ ୧,୩୩୭ ଷ୍ଟେସନକୁ ଚୟନ କରାଯାଇଛି । ଏଥିରୁ ୧୧୯୮ ଷ୍ଟେସନରେ କାମ ଆରମ୍ଭ ହୋଇଯାଇଛି । 

ଭାରତୀୟ ରେଳପଥ ୨୦୩୦ ସୁଦ୍ଧା ଶୂନ ଅଙ୍ଗାରକାମ୍ଳ ନିର୍ଗମନକାରୀ ହେବା ପାଇଁ ଲକ୍ଷ୍ୟ ରଖିଛି । ନଭେମ୍ବର ସୁଦ୍ଧା ପ୍ରାୟ ୪୮୭ ମେଗାୱାଟ ସୌର ପ୍ଲାଣ୍ଟ (ଛାତ ଓ ଜମିରେ ଲାଗିଥିବା) ଏବଂ ପ୍ରାୟ ୧୦୩ ମେଗାୱାଟ ପବନ ଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ୨୦୨୪- ୨୫ରେ ରେଳପଥ ପାଇଁ ମୋଟ ପୁଞ୍ଜିଗତ ବ୍ୟୟ ୨ ଲକ୍ଷ ୬୫ ହଜାର ୨ ଶହ କୋଟି ଟଙ୍କା ରହିଛି, ଯାହା ବଜେଟ୍‌ରେ ଆବଣ୍ଟିତ ସବୁଠୁ ଅଧିକ । ରିଜର୍ଭେସନରେ ଇ-ଟିକେଟିଂ ୮୬% ପର୍ଯ୍ୟନ୍ତ ପହଞ୍ଚିଛି । ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଦେଶବ୍ୟାପୀ ‘ଗତଶକ୍ତି ମଲ୍ଟି-ମୋଡାଲ କାର୍ଗୋ ଟର୍ମିନାଲ (ଜିସିଟି)’ ବିକଶିତ କରାଯାଉଥିବା ମନ୍ତ୍ରଣାଳୟ କହିଛି ।