PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥ ହେବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ ୨୩/୦୭(ଏଜେନ୍ସି): ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ମୁଖ୍ୟ କାରଣ ପାଲଟିଥିବା କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ହ୍ୱାଇଟ୍‌ ହାଉସ୍‌ରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଛନ୍ତି ଯଦି ଉଭୟ ଦେଶ ତାଙ୍କୁ କହିବେ ସେ କାଶ୍ମୀର ପ୍ରସଙ୍ଗର ସମାଧାନରେ ସହଯୋଗ କରିବାକୁ ରାଜି ଅଛନ୍ତି । ଏଥିପାଇଁ ମଧ୍ୟସ୍ଥି ହେବାକୁ ସେ ପ୍ରସ୍ତୁତ ।

ଟ୍ରମ୍ପ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ମଧ୍ୟସ୍ଥ ହେବାକୁ କହିଛନ୍ତି । ଇମ୍ରାନ ଯଦି ତାଙ୍କୁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କହିବେ ସେ ମଧ୍ୟସ୍ଥ ହେବେ । ଯଦି ନିମନ୍ତ୍ରଣ ମିଳିବ ତେବେ ସେ ପାକିସ୍ତାନ ଯିବାକୁ ବି ପସନ୍ଦ କରିବେ । କାଶ୍ମୀର ବିବାଦର ସମାଧାନ ବାଟବାହାର କରିବାରେ ଉଭୟ ଆମେରିକା ଓ ପାକିସ୍ତାନ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଇମ୍ରାନ ମଧ୍ୟ ଟ୍ରମ୍ପଙ୍କ ଏଭଳି ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । କହିଛନ୍ତି ଟ୍ରମ୍ପ ଯଦି ମଧ୍ୟସ୍ଥ ହୋଇ କାଶ୍ମୀର ସମସ୍ୟାର ସମାଧାନ କରନ୍ତି ତେବେ ବହୁଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ତୁଟିପାରିବ । ଏଥିସହ ଉଭୟ ଦେଶର କୋଟି କୋଟି ଲୋକଙ୍କୁ ତାହାର ଫାଇଦା ମିଳିପାରିବ । ଅପରପକ୍ଷରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ହ୍ୱାଇଟ୍‌ହାଉସ୍‌ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । କିନ୍ତୁ ସେଥିରେ କାଶ୍ମୀର ପ୍ରସଙ୍ଗ କଥା ଆଦୌ ଉଲ୍ଲେଖ ନାହିଁ ।

ଇତିମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ ଟ୍ରମ୍ପ କ’ଣ କହୁଛନ୍ତି ତାହା ସେ ଜାଣିପାରୁ ନାହାନ୍ତି । ମୋଦି ତାଙ୍କୁ କ’ଣ କହିଛନ୍ତି ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ କ’ଣ ସେକଥା ହ୍ୱାଇଟ ହାଉସର ଅଧିକାରୀମାନେ ତାଙ୍କୁ ଠିକ୍‌ ଭାବେ ବୁଝାଇପାରି ନଥିବେ । ତା’ଛଡା ମୋଦି ତାଙ୍କୁ ମଧ୍ୟସ୍ଥ ହେବାକୁ କହିଛନ୍ତି କି ନାହିଁ ତାହା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ଉଚିତ । ସେହିଭଳି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ସିପିଏମ୍‌ ନେତା ସୀତାରାମ ୟେଚୁରୀ ସରକାରଙ୍କ ଠାରୁ ଏହା ଉପରେ ସ୍ପଷ୍ଟୀକରଣ ଦାବି କରିଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ଭାରତ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ବିରୋଧ କରିଆସିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟସ୍ଥତା କରିବାକୁ ଟ୍ରମ୍ପଙ୍କୁ କହିବା ଦେଶ ଓ ଦେଶବାସୀଙ୍କ ସହିତ ଧୋକା । ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ଉଚିତ ।

ଇତିମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ବିଦେଶ ମନ୍ତ୍ରଣାଳୟ ଖଣ୍ଡନ କରିଛି । ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହାୟତା ମାଗି ନାହାନ୍ତି କିମ୍ବା ତାଙ୍କୁ ମଧ୍ୟସ୍ଥତା କରିବାକୁ କହିନାହାନ୍ତି । କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି । ପାକିସ୍ତାନ ସହ ରହିଥିବା ସବୁ ସମସ୍ୟାର ସମାଧାନ ଦୁଇଦେଶ ମଧ୍ୟରେ ଆପୋଷ ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଭାରତ କହିଆସିଛି । ଆଉ ଏହି ଆଲୋଚନା ସେତେବେଳେ ସମ୍ଭବ ହେବ ଯେତେବେଳେ ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ କରିବ । ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲିପାରିବ ନାହିଁ । ସୂଚନାଯୋଗ୍ୟ ଯେ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ବିରୋଧ କରିଆସିଛି । ଭାରତ କହିଛି ଯେ କାଶ୍ମୀର ହେଉଛି ଏହାର ଆଭ୍ୟନ୍ତରୀଣ ସମସ୍ୟା । ଏହାର ସମାଧାନ ପାକିସ୍ତାନ ସହ ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ ।