ଭୁବନେଶ୍ବର,୯।୬ : ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପ୍ରଦାନ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ୨ ଜଣ ଧରାପଡିଛନ୍ତି। ଓଡ଼ିଶା ଫାର୍ମାସି କାଉନସିଲ୍ର ବରିଷ୍ଠ ସହାୟକ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଏବଂ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ ଓରଫ ପୃଷ୍ଟି (ବେସରକାରୀ ବ୍ୟକ୍ତି)ଙ୍କୁ ଗିରଫ କରିଛି ଭିଜିଲାନସ୍।
ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇବା ନିମନ୍ତେ ପ୍ରାୟ ଏକ ସପ୍ତାହ ଧରି ବିଶ୍ୱମୋହନ ପଟ୍ଟନାୟକଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ସାର୍ଟିଫିକେଟ୍ ପ୍ରଦାନ ସମ୍ପର୍କିତ କାର୍ଯ୍ୟ କରିଦେବା ପାଇଁ ସେ ୯ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଜି ଆବେଦନକାରୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱମୋହନ ପଟ୍ଟନାୟକଙ୍କୁ ଭେଟିଥିବା ବେଳେ ସେ ପୁନର୍ବାର ଲାଞ୍ଚ ଦାବି କରି ଟଙ୍କାକୁ ତାଙ୍କ ସହଯୋଗୀ ଇଜାଜ ଖାନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଜାଲ ବିଛାଇ ଉଭୟ ଅଭିଯୁକ୍ତଙ୍କୁ ୯ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ କାବୁ କରିଥିଲେ। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ବିଶ୍ୱମୋହନ ପଟ୍ଟନାୟକଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ସମ୍ପର୍କିତ ତଦନ୍ତ ପାଇଁ ଏକକାଳୀନ ଚଢ଼ାଉ ଚାଲିଛି। ଏହି ଘଟଣାରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
ଆହୁରି ପଢନ୍ତୁ : ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବଢିଲା , ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ