ଲଣ୍ଡନ,୨୩/୦୫: ବ୍ରିଟେନରେ ଆସନ୍ତା ଜୁଲାଇ ୪ରେ ସାଧାରଣ ନିର୍ବାଚନ ହେବ । ପ୍ରଧାନମନ୍ତ୍ରୀ ରିଷି ସୁନକ ବୁଧବାର ରାତିରେ ଏହି ଘୋଷଣା କରିଛନ୍ତି । ବ୍ରିଟେନରେ ଶୀଘ୍ର ନିର୍ବାଚନ ହୋଇପାରେ ବୋଲି ପୂର୍ବରୁ କଳ୍ପନାଜଳ୍ପନା ଲାଗି ରହିଥିଲା । ଆସନ୍ତା ସପ୍ତାହରେ ସଂସଦ ଭଙ୍ଗ କରାଯିବ । ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଶୀଘ୍ର ସୁନକ ଏ ନେଇ କିଙ୍ଗ୍ ଚାର୍ଲ୍ସଙ୍କୁ ଭେଟିବାକୁ ଯାଇପାରନ୍ତି । ବୁଧବାର ସୁନକ କ୍ୟାବିନେଟ ବୈଠକ ଡକାଇବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ପରେ ୪୪ ବର୍ଷୀୟ ସୁନକ ଡାଉନିଂ ଷ୍ଟ୍ରିଟ୍ ଅଫିସ୍ ବାହାରକୁ ଆସି ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଏହ ଅବସରରେ ସେ ବିରୋଧୀ ଲେବର ପାର୍ଟିକୁ ଟାର୍ଗେଟ କରିଥିଲେ ।
ସୁନକ କହିଥିଲେ, ଲେବର ପାର୍ଟି ଦେଶର ଅର୍ଥବ୍ୟବସ୍ଥାକୁ ବିପଦରେ ପକାଇଦେବ । ଶାସକ କଞ୍ଜରଭେଟିଭ ପାର୍ଟି ଦେଶର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ଜାରି ରଖିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଗତ ୫ ବର୍ଷ ଦେଶ ପାଇଁ ବେଶ ଆହ୍ୱାନପୂର୍ଣ୍ଣ ଥିଲା । ଆଗାମୀ ଦିନରେ ଜନତାଙ୍କ ପ୍ରତ୍ୟେକ ଭୋଟ ପାଇଁ ସଂଘର୍ଷ କରିବୁ । ଆମ ପାଖରେ ଭବିଷ୍ୟତ ପାଇଁ ସ୍ପଷ୍ଟ ଯୋଜନା ରହିଛି । ତେବେ ପ୍ରାକ୍ ନିର୍ବାଚନ ଆକଳନ ଅନୁସାରେ ଏବେ ବିରୋଧୀ ଲେବର ପାର୍ଟି ଶାସକ କଞ୍ଜରଭେଟିଭ ପାର୍ଟିଠାରୁ ଅଧିକ ମଜଭୁତ ସ୍ଥିତିରେ ରହିଛି ।
୨୦୨୨ ଅକ୍ଟୋବରରେ ସୁନକ ବ୍ରିଟେନର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ହୋଇଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାରେ ସେ ପ୍ରଥମ ବ୍ରିଟିଶ-ଭାରତୀୟ ମଧ୍ୟ । ତାଙ୍କ ପୂର୍ବରୁ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଥିଲେ । ଟ୍ରସ୍ଙ୍କ କାର୍ଯ୍ୟକାଳ ମାତ୍ର ୪୯ ଦିନ ପାଇଁ ଥିଲା । ଟ୍ରସ୍ଙ୍କ ସରକାରରେ ସୁନକ ଅର୍ଥମନ୍ତ୍ରୀ ଥିଲେ । ଗତ ୧୪ ବର୍ଷ ହେଲା କଞ୍ଜରଭେଟିଭ ପାର୍ଟି କ୍ଷମତାରେ ରହିଛି । ପୃଥକ ସର୍ଭେ ଅନୁସାରେ, ଲେବର ପାର୍ଟିର ସ୍ଥିତି ମଜଭୁତ ରହିଛି । ଗତ ମାର୍ଚ୍ଚରେ ଆସିଥିବା ଇପ୍ସୋସ୍ ପୋଲ୍ରେ ସୁନକଙ୍କୁ ୩୮ ରେଟିଂ ମିଳିଥିଲା, ଯାହା କି ସବୁଠୁ ଖରାପ ଥିଲା। ବ୍ରିଟେନ ହାଉସ୍ ଅଫ୍ କମନ୍ସରେ ମୋଟ ୬୫୦ ଆସନ ରହିଛି । ସରକାର ଗଢ଼ିବା ପାଇଁ ୩୨୬ ସିଟ୍ ଆବଶ୍ୟକ । ଆସନ୍ତା ନିର୍ବାଚନରେ କଞ୍ଜରଭେଟିଭ ପାର୍ଟିକୁ କେବଳ ୧୫୫ ସିଟ୍ ମିଳିବ ବୋଲି ୟୁଗଭ୍ ପୋଲ୍ରେ କୁହାଯାଇଥିଲା । ୨୦୧୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ୩୬୫ ଆସନ ହାସଲ କରିଥିଲେ । ହେଲେ ଏଥର ବିରୋଧୀ ଲେବର ପାର୍ଟିକୁ ୪୦୩ ସିଟ୍ ମିଳିପାରେ ଆକଳନ କରାଯାଉଛି ।
ବ୍ରିଟେନ ନିୟମ ଅନୁଯାୟୀ, ସଂସଦର ପ୍ରଥମ ବୈଠକର ୫ ବର୍ଷ ପରେ ସଂସଦ ଭଙ୍ଗ ହୁଏ । ଆସନ୍ତା ଡିସେମ୍ବରରେ ଚଳିତ ସଂସଦର ୫ମ ବର୍ଷ ପୂରଣ ହୋଇଥାନ୍ତା । ସଂସଦ ଭଙ୍ଗ ହେବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ୨୫ କାର୍ଯ୍ୟଦିବସ ମିଳିଥାଏ । ଏହା ଅନୁସାରେ ୨୦୨୫ ଜାନୁଆରୀ ୨୮ ସୁଦ୍ଧା ବ୍ରିଟେନରେ ନିର୍ବାଚନ ଶେଷ ହୋଇଥାନ୍ତା ।