ରାଜ୍ୟରେ କର୍ମ ନିଯୁକ୍ତିର ବିକଳ ଚିତ୍ର: ୧୦ ବର୍ଷରେ ୨୨ ଲକ୍ଷ ପଞ୍ଜିକରଣ, ୨୬ ହଜାରଙ୍କୁ ଚାକିରି

source:www.wenzelfenton.com
ଭୁବନେଶ୍ୱର,୬ା୨(ବ୍ୟୁରୋ): ସବୁ ରାଜନୈତିକ ଦଳ ମୁହଁରେ ଯୁବ ଭୋଟରଙ୍କ କଥା । ଯୁବବର୍ଗଙ୍କୁ ଆକର୍ଷିତ କରିବା ପାଇଁ କେତେ କ’ଣ ଘୋଷଣା ହେଉଛି । ମାତ୍ର ଯେଉଁ ଯୁବ ଭୋଟରଙ୍କୁ ରାଜନୈତିକ ଦଳଗୁଡ଼ିକ ମୋହରା କରୁଛନ୍ତି, ସେମାନଙ୍କ ହାତକୁ କାମଧନ୍ଦା ଯୋଗାଇବାରେ ସରକାର ଫେଲ୍ ମାରିଛନ୍ତି । ଏହାର ଏକ ବିକଳ ଚିତ୍ର ଖୋଦ୍ ସରକାର ରଖିଛନ୍ତି ବିଧାନସଭାରେ ।
ନିଯୁକ୍ତି ପାଇବା ଆଶାରେ ୨୦୦୯ରୁ ୨୦୧୮ ଅକ୍ଟୋବର ୩୧ ସୁଦ୍ଧା ମୋଟ ୨୨ ଲକ୍ଷ ୫୭ ହଜାର ୧୮୦ଜଣ ଯୁବକ ଯୁବତୀ ରାଜ୍ୟ କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଛନ୍ତି । ହେଲେ ଏଇ ୧୦ ବର୍ଷ ଭିତରେ ସରକାର ସେମାନଙ୍କ ଭିତରୁ ମାତ୍ର ୨୬ ହଜାର ୪୫୦ଜଣଙ୍କୁ କର୍ମ ନିଯୁକ୍ତି ଯୋଗାଇବାକୁ ସକ୍ଷମ ହୋଇଛନ୍ତି ସରକାର । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ ବେକାରୀ ସମସ୍ୟା କେତେ ଉତ୍କଟ ରୂପ ନେଇଛି ।
କର୍ମ ନିୟୋଜନ କାର୍ଯ୍ୟାଳୟର ରେକର୍ଡକୁ ଆଧାର କରି ସରକାର ଯେଉଁ ତଥ୍ୟ ରଖିଛନ୍ତି, ତାହା ମୁଣ୍ଡ ଗୋଲ୍ କରିଦେବ । ସରକାରୀ ତଥ୍ୟ କହୁଛି, ଏହି ୧୦ ବର୍ଷ ଭିତରେ ନିଯୁକ୍ତି ଆଶା ନେଇ ଯେତିକି ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ, ସେଥିରୁ ମାତ୍ର ୧.୧୭% କର୍ମ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ନିଯୁକ୍ତି ପାଇବାକୁ ସକ୍ଷମ ହୋଇଛନ୍ତି ।
କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକୃତ ଯୁବକ ଯୁବତୀଙ୍କ ମଧ୍ୟରୁ ଏଇ ୧୦ ବର୍ଷ ଭିତରେ ଭୁବନେଶ୍ୱରରୁ ସର୍ବାଧିକ ୫୦୭୨ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି ବାରିପଦାରୁ ୩୫୧୯, ସମ୍ବଲପୁରରୁ ୨୬୬୬, ବ୍ରହ୍ମପୁରରୁ ୧୧୦୦, ବଲାଙ୍ଗିର ୧୩୬୦, ଢେଙ୍କାନାଳରୁ ୧୦୨୯, ଅନୁଗୁଳରୁ ୧୧୬୦, କେନ୍ଦୁଝରରୁ ୧୨୭୬ ଜଣ ନିଯୁକ୍ତି ପାଇଛନ୍ତି ।
ପୁରୀ ଓ ବୌଦ୍ଧ ଜିଲ୍ଲାର ସ୍ଥିତି ଅତି ଦୟନୀୟ । ୧୦ ବର୍ଷ ଭିତରେ ପୁରୀରେ ୫୩ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ବୌଦ୍ଧରେ ୪୮ଜଣ ଚାକିରି ପାଇଛନ୍ତି । ଦେବଗଡ଼ରେ ୯୮ଜଣ ଓ ଭଦ୍ରକରେ ୧୦୨ଜଣ ପଞ୍ଜିକୃତ ବେକାରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଦେବଗଡ଼ରେ ଗତ ୭ ବର୍ଷରେ ଜଣେ ବି ନିଯୁକ୍ତି ପାଇନାହାନ୍ତି । ଭଦ୍ରକରେ ଗତ ୬ ବର୍ଷରେ ମାତ୍ର ୨ଜଣଙ୍କୁ ଚାକିରି ଦିଆଯାଇଥିବାବେଳେ ବୌଦ୍ଧରେ ୮ ବର୍ଷ ଭିତରେ ଜଣେ ଚାକିରି ପାଇଛନ୍ତି । କର୍ମ
ନିୟୋଜନ ସଂସ୍ଥା ମାଧ୍ୟମରେ ମାଲକାନଗିରିରେ ଗତ ୬ ବର୍ଷ ଭିତରେ ୩ଜଣଙ୍କୁ ଚାକିରି ମିଳିଛି । ପୁରୀରେ ୭ ବର୍ଷ ଭିତରେ କେହି ଜଣେ ବି ନିଯୁକ୍ତି ପାଇନାହାନ୍ତି ।
ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ରଖିଥିବା ଉତ୍ତରରୁ ଏଭଳି ତଥ୍ୟ ଜଣାପଡ଼ିଛି ।