ଭୁବନେଶ୍ବର,୧୧/୯ : ଶ୍ରୀମନ୍ଦିର ନୀଳଚକ୍ରରେ ଚଢିଲେ ଅଜଣା ବ୍ୟକ୍ତି । ଦଧି ନଉତି ପର୍ଯ୍ୟନ୍ତ ଚଢିଗଲେ ଉକ୍ତ ବ୍ୟକ୍ତି ଜଣଙ୍କ । ଏହାପରେ ଶ୍ରୀମନ୍ଦିର ବେଢାରେ ପୋଲିସ ଛାଉଣୀ ହୋଇଥିଲା । ପରେ ଶ୍ରୀମନ୍ଦିର ପୋଲିସ ବ୍ୟକ୍ତି ଜଣଙ୍କୁ କାବୁ କରି ସିଂହଦ୍ବାର ଥାନାକୁ ନେଇଛି । ଖବର ଲେଖା ହେବା ସୁଦ୍ଧା ସେ କାହିଁକି ସେଠାରେ ଚଢିଥିଲେ ତା’ର କିଛି କାରଣ ଜଣାପଡ଼ି ନାହିଁ ।
ତେବେ ଏବେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ବ୍ୟକ୍ତି ଜଣଙ୍କ କିଭଳି ଭାବେ ପୋଲିସର ସୁରକ୍ଷା ବଳୟକୁ ଭେଦ କରି ଚଢିଲେ । କୁହାଯାଉଛି କି ଚୁନରା ସେବକମାନେ ଯେଉଁ ଶିକୁଳି ବାଟ ଦେଇ ଚଢିଥାନ୍ତି ସେହି ବାଟ ଦେଇ ସେ ଚଢିଥିବା ଖବର ଆସୁଛି । ଏ ନେଇ ପୋଲିସ ଏସପି ପିନାକ ମିଶ୍ର କହିଛନ୍ତି କି, ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଛତ୍ରପୁର ଅଞ୍ଚଳର ହୋଇଥିବାବେଳେ ତାଙ୍କ ନାଁ ମହାରଣା ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କର ବୟସ ୬୦ ବର୍ଷ ହେବ ବୋଲି ଜଣାପଡ଼ିଛି ।