ଭୁବନେଶ୍ୱର, ୧୪/୦୮ : ରାଜ ମୁକୁଟ ଖୋଜନ୍ତୁ କିମ୍ବା ସୈନିକର ସାଞ୍ଜୁ । ଖଣ୍ଡାଠୁ ପିସ୍ତଲ, ଧନୁରୁ ଗଦା ସବୁକିଛିର ସମ୍ଭାର ଖୁନ୍ଦି ହୋଇଥିଲା ଚିତ୍ରାଳୟରେ । କାହାକୁ ରାଜା କରିବାର ଅଛି କିମ୍ବା ଭିକାରି ଚିତ୍ରାଳୟର ଦ୍ୱାର ଆଗ ଖୋଜାପଡ଼ୁଥିଲା । ଦିନଥିଲା ବିଭିନ୍ନ ଚରିତ୍ରକୁ ଜନ୍ମ ଦେଉଥିବା ଚିତ୍ରାଳୟରେ ଲୋକ ରୁଣ୍ଡ ହେଉଥିଲେ । ସିନେମାର ଅଭିନେତାଠୁ ଆରମ୍ଭକରି ନାଟକର କଳାକାର ପର୍ଯ୍ୟନ୍ତ ସଭିଙ୍କର ଅହରହ ଆତଯାତ ରହୁଥିଲା । ହେଲେ ଅଜି ଏହାର ଦୃଶ୍ୟ କିଛି ଭିନ୍ନ । ନା ଏଠାକୁ କେହି ଅଭିନେତା ଅସୁଛନ୍ତି ନା ଆଗଭଳି ଭିଡ଼ ଜମୁଛି । ଚିତ୍ରାଳୟର ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ଖତ ଖାଉଛି । କେତେକ ବିଦ୍ୟାଳୟ ତଥା ସରକାରୀ କାର୍ଯ୍ୟକ୍ରମରେ ଚିତ୍ରାଳୟ ଲୋଡ଼ା । ଯେଉଁ କେତେଜଣ ଏହି ଚିତ୍ରାଳୟରୁ ଦିପଇସା ରୋଜଗାର କରୁଥିଲେ ସେମାନଙ୍କ ବେପାରରେ ବନ୍ଧା ହୋଇଗଲାଣି ଡୋରି ।
ଗାଁ ଠୁ ସହର ସବୁଠି ଦିନେ ଚାହିଦା ସାଉଁଟୁଥିଲା ଚିତ୍ରାଳୟ । ସପ୍ତାହରେ ଥରେ ହେଉ ପଛକେ ପୌରାଣିକ କଥାବସ୍ତୁ ତଥା ବିଭିନ୍ନ ଶିକ୍ଷଣୀୟ ବିଷୟକୁ ନେଇ ପରିବେଷଣ କରାଯାଉଥିଲା ନାଟକ । ହେଲେ ଆଧୁନିକତାର ସ୍ପର୍ଶରେ ପୌରାଣିକ କଥାବସ୍ତୁ ଦେଖିବାକୁ କେହି ପସନ୍ଦ କରୁନାହାନ୍ତି । ଯଦିବା କେବେ ନାଟକ ପରିବେଷଣ କରୁଛନ୍ତି ସେଥିରେ ମଧ୍ୟ ଅନଲାଇନ୍ରେ ମିଳୁଥିବା ନୂତନ ଡିଜାଇନ୍ର ପୋଷାକ ଅର୍ଡର ହେଉଛି । ଫଳରେ ଚିତ୍ରାଳୟକୁ ରୋଜଗାରର ମାଧ୍ୟମ କରିଥିବା ବ୍ୟକ୍ତିବିଶେଷଙ୍କର ବେପାର ଏକପ୍ରକାର ଠପ୍ କହିଲେ ଚଳେ । କେତେକ ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଚିତ୍ରାଳୟର ଆବଶ୍ୟକତା ପଡ଼ୁଛି । ଆଉ ସେଥିରୁ କିଛି ଟଙ୍କା ରୋଜଗାର କରିହେଉଛି । ଏମିତିକି ଅନେକ ସମୟରେ ଘରଭଡ଼ା ଖର୍ଚ୍ଚ ମଧ୍ୟ ଉଠୁନି । ଚିତ୍ରାଳୟକୁ ଏକମାତ୍ର ରୋଜଗାରର ମାଧ୍ୟମ କରିଥିବା କେତେକ ଲୋକ ଏବେ ଅନ୍ୟ ବ୍ୟବସାୟ ଆଡ଼କୁ ମୁହାଁଇଲେଣି । ସମୟ ବଦଳିବା ସହ ଲୋକମାନେ ଅନଲାଇନ୍କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । କାଁ ଭାଁ କେତେକ ବ୍ୟକ୍ତିବିଶେଷ ଚିତ୍ରାଳୟକୁ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଜନ୍ମାଷ୍ଟମୀ, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ରାମନବମୀ ଭଳି ଉତ୍ସବରେ ଲୋକମାନେ ଚିତ୍ରାଳୟକୁ ଖୋଜୁଛନ୍ତି ।
ଚିତ୍ରାଳୟରୁ ଘରଭଡ଼ା ମଧ୍ୟ ଉଠୁନି
ବର୍ତ୍ତମାନ ଚିତ୍ରାଳୟର ଚାହିଦା କମିବାର ପ୍ରଥମ କାରଣ ହେଉଛି ଅନ୍ଲାଇନ୍ । ଘରେ ବସି ଆରାମରେ ସବୁଜିନିଷ ପାଇଗଲେ । ଯେହେତୁ ଆମେ ଅନେକ ଟଙ୍କା ଚିତ୍ରାଳୟରେ ବ୍ୟୟ କରିସାରିଛୁ ସେଥିପାଇଁ ଚାହିଁଲେ ବି ଚିତ୍ରାଳୟକୁ ବନ୍ଦ କରିପାରୁନୁ । ଏମିତିକି କିଛି ମାସରେ ଘର ଭଡ଼ା ମଧ୍ୟ ଉଠୁନି । ମୁଁ ଜଣେ ନୃତ୍ୟଶିଳ୍ପୀ । ଦି ପଇସା ସେଠାରୁ ଆସୁଛି । ନହଲେ ସମ୍ପୂର୍ଣ୍ଣ ରୂପେ ଚିତ୍ରାଳୟ ଉପରେ ନିର୍ଭର କରି ଚଳିହେବ ନାହିଁ । ପୂର୍ବରୁ ଚିତ୍ରାଳୟ କହିଲେ ଭିନ୍ନ ଏକ ସମ୍ମାନ ମିଳୁଥିଲା । ହେଲେ ବର୍ତ୍ତମାନ ତାହା ନାହିଁ । ଲୋକମାନେ ଯେମିତି ପୋଷାକ ଖୋଜୁଛନ୍ତି ସେହି ଅନୁଯାୟୀ ମଧ୍ୟ ଆମେ ପୋଷାକ ପ୍ରସ୍ତୁତ କରିବା ଆରମ୍ଭ କରୁଛୁ । ବର୍ତ୍ତମାନ ମୋର ୩ଶହ ହଳ ଓଡ଼ିଶୀ ପୋଷାକ ସେମିତି ପଡ଼ିରହିଛି । ହସ୍ତତନ୍ତରେ ମଧ୍ୟ ଲୋକମାନେ ଫ୍ୟାସନ ଖୋଜୁଛନ୍ତି । ଆମ ଦୋକାନରେ ଥିବା କାରିଗରମାନେ ଅନ୍ୟତ୍ର କାମ କରବା ସହିତ ଅବସର ସମୟରେ ଚିତ୍ରାଳୟରେ କାମ କରୁଛନ୍ତି । କେବଳ ଚିତ୍ରାଳୟରୁ ମିଳୁଥିବା ଅର୍ଥରୁ ସେମାନଙ୍କ ଅବଶ୍ୟକତା ମେଣ୍ଟିପାରୁନି ।
ଦିଲୀପ କୁମାର ସାହୁ, ମଡର୍ଣ୍ଣ ଚିତ୍ରାଳୟ ମାଲିକ
ଇନ୍ଦ୍ରଧନୁ ମାର୍କେଟ, ନୂଆପଲ୍ଲୀ