ଭୁବନେଶ୍ୱର, ୧୯/୦୫:  ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପୁଣି ବାଣୀବିହାର ଅଶାନ୍ତ ହୋଇପଡ଼ିଛି । ସୋମବାର ରାତିରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଏହାକୁ ନେଇ ବିଳମ୍ବିତ ରାତିରେ ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଛି । ଅଣଛାତ୍ରଙ୍କ ଗିରଫ ଦାବିରେ ବାଣୀବିହାରର ଶତାଧିକ ଛାତ୍ର ମୁଖ୍ୟ ଫାଟକରେ ସାମ୍ନାରେ ଧାରଣାରେ ବସିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ପୁଲିସ ସୂଚନା ମୁତାବକ ସୋମବାର ରାତିରେ ବାଣୀବିହାର କ୍ୟାମ୍ପସରେ ଥିବା ନୂଆ ପାର୍କ ନିକଟରେ ୮ରୁ ଅଧିକ ଅଣଛାତ୍ର ବସି ମଦ ପିଇବା ସହିତ ସେଠାରେ ଆତଙ୍କ ଖେଳାଉଥିଲେ । ସେହି ପଟ ଦେଇ ଯାଉଥିବା କିଛି ଛାତ୍ରଙ୍କୁ ଅଣଛାତ୍ରମାନେ ଅଟକାଇ ତାଗିଦ୍ କରିଥିଲେ । ଏହାକୁ ନେଇ ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ଅଣଛାତ୍ରମାନେ ଛାତ୍ରମାନଙ୍କୁ ମାରଧର କରିଥିଲେ । ଅଣଛାତ୍ରଙ୍କ କବଳରୁ ଖସି ଯାଇ ଛାତ୍ରମାନେ ହଷ୍ଟେଲରେ ସହପାଠୀଙ୍କୁ ଘଟଣା ବିଷୟରେ କହିଥିଲେ । କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ନେଇ ଘଟଣା ପ୍ରଘଟ ହେବା ପରେ ହଷ୍ଟେଲର ଶତାଧିକ ଛାତ୍ର ଏକଜୁଟ୍ ହୋଇ ଯାଇଥିଲେ ।

ଅଧିକ ପଢ଼ନ୍ତୁ :- Deadly Heat Waves: ଦିନରେ ଝାଞ୍ଜି, ରାତିରେ ବାମ୍ଫ, ୧୫ ଦିନ ଛଟପଟ କରିବ ତାତି, ୨୦ରୁ ପଶ୍ଚିମ ଓଡ଼ିଶା ୪୫ ଡିଗ୍ରୀ ଡେଇଁବ

ଅଣଛାତ୍ରଙ୍କ ଗିରଫ ଦାବିରେ ସେମାନେ ମୁଖ୍ୟ ଫାଟକ ନିକଟରେ ପହଞ୍ଚଥିଲେ । ସହିଦନଗର ଥାନା ପୁଲିସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରମାନେ ଅଣଛାତ୍ରଙ୍କ ଗିରଫ ଦାବି ନେଇ ଅଡ଼ି ବସିଥିଲେ । ରାତିରେ ପୁଲିସ କୌଣସି ଅଣଛାତ୍ରଙ୍କୁ ଗିରଫ କରି ନ ଥିବା ଜଣାପଡ଼ିଛି । ଗଣ୍ଡଗୋଳକାରୀ ଅଣଛାତ୍ରମାନେ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର ବୋଲି ଆକ୍ରମଣର ଶିକାର ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।