ଗିରୀଶ କର୍ଣ୍ଣାଡଙ୍କୁ ଝୁରୁଛି ନାଟ୍ୟ ଜଗତ

ପ୍ରସିଦ୍ଧ ନାଟ୍ୟକାର ଗିରୀଶ କର୍ଣ୍ଣାଡ କେବେ ଓଡ଼ିଶା ଆସିବାର ନଜିର ନାହିଁ । କିନ୍ତୁ ତାଙ୍କ ନାଟକ ଓଡ଼ିଆରେ ଅନୁବାଦ ହୋଇ ଓଡ଼ିଶାର କୋଣଅନୁକୋଣରେ ମଞ୍ଚସ୍ଥ ହୋଇଛି । ଅନେକ ଓଡ଼ିଆ କଳାକାର ତାଙ୍କ ନାଟକକୁ ବାହାରେ ପ୍ରଦର୍ଶନ କରି ସୁନାମ ସାଉଁଟିଛନ୍ତି । କେହି କେହି ତାଙ୍କ ସଂସ୍ପର୍ଶରେ ଆସି ଯେଉଁ ସମୟ ବିତାଇଛନ୍ତି ଆଜି ତାହା ସ୍ମୃତି ହୋଇ ରହିଯାଇଛି । ଯେଉଁମାନେ ସେ ସୁଯୋଗ ପାଇନାହାନ୍ତି ଦୂରରେ ଥାଇ ବି ପରୋକ୍ଷରେ ତାଙ୍କୁ ପାଇଛନ୍ତି ।

ସାଇତି ରଖିଛି ତାଙ୍କ ହାତ ଲେଖା ଚିଠି
ସାଇତି ରଖିଛି ଗିରୀଶ ସାର୍ଙ୍କ ହାତ ଲେଖା ଚିଠି । ସେଦିନ ନାଟକ ଦେଖିଲା ପରେ ସେ ନିଜେ ଅଭିଭୂତ ହୋଇ ତାଙ୍କ ପ୍ୟାଡ୍ରେ ପ୍ରଶଂସାପତ୍ର ସ୍ୱରୂପ ମୋ ପାଖକୁ ଏକ ଚିଠି ପଠାଇଥିଲେ । ଆଜି ତାଙ୍କର ଦେହାନ୍ତ ଘଟଣା ମୋତେ ସେହି ଚିଠି ପାଖକୁ ନେଇ ଯାଇନି ବରଂ ଦୀର୍ଘ ୧୨ ବର୍ଷ ତଳର କଥାକୁ ମନେପକାଇ ଦେଇଛି ବୋଲି କହିଛନ୍ତି ନାଟ୍ୟ ନିର୍ଦ୍ଦେଶକ ନଳିନୀ ନିହାର ନାୟକ ।
୨୦୦୭ ମସିହାରେ ଅନୁଷ୍ଠିତ ହୋଇଥିଲା ସର୍ବଭାରତୀୟ ବିଶ୍ୱବିଦ୍ୟାଳୟସ୍ତରୀୟ ନାଟ୍ୟ ମହୋତ୍ସବ । ସଂସ୍କୃତି ମନ୍ତ୍ରଣାଳୟ ଏବଂ କର୍ଣ୍ଣାଟକ ନାଟକ ଏକାଡେମୀ ଆନୁକୂଲ୍ୟରେ ବେଙ୍ଗାଲୁର ରବୀନ୍ଦ୍ର କଳାକ୍ଷେତ୍ର ଏବଂ ରବୀନ୍ଦ୍ର କଳାଭାରତୀରେ ୨ଟା ଶୋ’ ହୋଇଥିଲା । ପୂର୍ବରୁ ଘୋଷଣା ହୋଇଥିଲା କନ୍ନଡ଼ ଭାଷାର ନାଟକକୁ କେଉଁ ଭାଷାରେ କରିହେବ । ସେହି ସମୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ପାଇଁ ସୁଯୋଗ ମିଳିଲା । ମହାବିଦ୍ୟାଳୟରେ ମୁଁ ଅତିଥି ଅଧ୍ୟାପକ ଥିଲି । ନାଟକ ନେଇ ଯିବାକୁ ପ୍ରସ୍ତୁତି କଲୁ । ଅଧ୍ୟାପକ ସୁକେଶ ପଣ୍ଡା ଗିରୀଶ କର୍ଣ୍ଣାଡଙ୍କ ନାଟକ ‘ନାଗମଣ୍ଡଳ’ର ଅନୁବାଦ କଲେ । ୩୨ ଜଣ କଳାକାରଙ୍କୁ ଧରି ୩ ମାସ ରିହର୍ସାଲ୍ କରିବା ପରେ ଉକ୍ତ ଦୁଇ ସ୍ଥାନରେ ନାଟକ ମଞ୍ଚସ୍ଥ ହେଲା । ଗୋଟିଏ ସ୍ଥାନରେ ନିଜେ ଗିରୀଶ କର୍ଣ୍ଣାଡ ଉପସ୍ଥିତ ରହି ପୂରା ନାଟକକୁ ଦେଖିବା ସହିତ ଭୂରୀ ଭୂରୀ ପ୍ରଶଂସା କରିଥିଲେ । ନାଟକ ପରେ ପାଖକୁ ଆସି କହିଥିଲେ, ଏହା ମୋ ଜୀବନର ଏକ ସ୍ୱର୍ଣ୍ଣିମ ଦିନ । ଏ ନାଟକରେ ଯେତେବେଳେ କିଛି ପରିବର୍ତ୍ତନ ଆଣିବ ମୋତେ ଯୋଗାଯୋଗ କରିବ । ଠିକ୍ ଏହାର କିଛି ଦିନ ପରେ ସେ ନାଟକର ପ୍ରଶସ୍ତି ଗାନ କରି ଏକ ଚିଠି ପଠାଇଥିଲେ । ତାହା ମୋ ପାଇଁ ସବୁଠୁ ବଡ଼ ପୁରସ୍କାର ଆଉ ଉପହାର ଥିଲା । ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି । ପରେ ଗିରୀଶ ସାର୍ଙ୍କ ସହ ଅନେକ ଥର ଭେଟ ହୋଇଛି ଏବଂ ପ୍ରତି ୨-୩ ମାସରେ ଥରେ ଫୋନ୍ରେ କଥା ହୁଏ । ଶେଷ ଥର ପାଇଁ ୨୦୧୬ରେ ଭେଟ ହୋଇଥିଲା । ଭାରତ ରଙ୍ଗ ମହୋତ୍ସବରେ ଦେଖି ମୋତେ ନାଟକ ବିଷୟରେ ପଚାରିଥିଲେ । ପରବର୍ତ୍ତୀ ସମୟରେ ଏପର୍ଯ୍ୟନ୍ତ ନାଟକ ‘ନାଗମଣ୍ଡଳ’ ୧୪ ଥର ମଞ୍ଚସ୍ଥ କରିସାରିଲାଣି । ସେତେବେଳେ ମୁଁ ଏ ନାଟକରେ ଅଭିନୟ ବି କରିଥିଲି ।
‘ହଏବଦନ’ରୁ ‘ମନନ’ର ଯାତ୍ରା
ଗିରୀଶ କର୍ଣ୍ଣାଡଙ୍କ ଦୁଇ ତିନୋଟି ନାଟକ ବେଶି ପ୍ରସିଦ୍ଧ ଥିଲା । ସେଥିରୁ ‘ହଏବଦନ’ ଅନ୍ୟତମ । ସେହି ନାଟକକୁ ଓଡ଼ିଆରେ ଅନୁବାଦ କରି ୧୯୭୯ ମସିହାରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ମନନ’ ତା’ର ଯାତ୍ରା ଆରମ୍ଭ କରିଥିଲା ବୋଲି ସଭାପତି, ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ କହିଛନ୍ତି । ଏହି ନାଟକର ଅନୁବାଦ କରିଥିଲେ ରତିରଞ୍ଜନ ମିଶ୍ର । ‘ହଏବଦନ’କୁ ମଞ୍ଚାୟନ କରିବା ପୂର୍ବରୁ ଫୋନ୍ରେ ଗିରୀଶ କର୍ଣ୍ଣାଡଙ୍କ ମତାମତ ନିଆଯାଇଥିଲା । ଏପରିକି ତାଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା, କିନ୍ତୁ ସେ ଆସିପାରିନଥିଲେ । ହେଲେ ନାଟକ ଲାଗି ଅନୁମତି ଦେଇଥିଲେ । ଏ ନାଟକ ପାଇଁ ଗୋଟିଏ ବର୍ଷ ରିହର୍ସାଲ୍ କରିଥିଲୁ । ଯେତେବେଳେ ନାଟକ ହେଲା ସେତେବେଳେ ଲୋକେ ଟିକେଟ୍ ବ୍ଲାକ୍ କରି ଦେଖିଲେ । ଅସୀମ ବସୁ ଆସି କହିଲେ, ମନୋଜ ବାହାରେ ଟିକେଟ୍ ବ୍ଲାକ୍ ହେଉଛି । ଏପରିକି ଆଇନଜୀବୀ ଅଖିଳ ମୋହନ ପଟ୍ଟନାୟକ ବାହାରୁ ଥାଇ ନାଟକ ଦେଖିବାକୁ ଖବର ପଠାଇଥିଲେ । ପ୍ରବଳ ଭିଡ଼ ହୋଇଥିଲା । ପ୍ରଥମ ଥର ପାଇଁ ବିମାନବନ୍ଦରରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ନାଟକ ପରିବେଷଣ ସମ୍ପର୍କରେ ଲେଖାଯାଇ ପ୍ରଚାର, ପ୍ରସାର କରାଯାଇଥିଲା । ଏମିତି ହୋଇଥିଲା ନାଟକ ହେବାକୁ କିଛି ଦିନ ଅଛି ମୁଖ୍ୟ ନାୟକର ଗୋଡ଼ ଭାଙ୍ଗିଗଲା, ଶେଷରେ ମୋତେ ଅଭିନୟ କରିବାକୁ ପଡ଼ିଥିଲା । କିନ୍ତୁ ଏହାପରେ କେବେ ସେ ନାଟକ କରିବାକୁ ସାହସ କରିନି । ପରେ ଦିଲ୍ଲୀରେ ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ଥିବାବେଳେ ଓ ଅନ୍ୟାନ୍ୟ ସ୍ଥାନରେ ଗିରୀଶ କର୍ଣ୍ଣାଡଙ୍କୁ ଭେଟିଛି ଏବଂ ନାଟକ ସମ୍ପର୍କରେ କଥା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ନାଟକ ଲାଗି ଫୋନ୍ କରିଥିଲି
ଗିରୀଶଜୀଙ୍କ ୩ଟି ନାଟକକୁ ଅନୁବାଦ କରିବାର ସୁଯୋଗ ପାଇଛି । ୨୦୧୦ ମସିହାରେ ‘ନାଗମଣ୍ଡଳ’, ୨୦୧୪ ରେ ‘ଯଯାତି’, ଏବଂ ୨୦୧୫ ରେ ‘ତୋଗଲକ୍’ ନାଟକକୁ ଅନୁବାଦ କରିଛି ବୋଲି କହିଛନ୍ତି ନାଟ୍ୟକାର, ନିର୍ଦ୍ଦେଶକ ରମାକାନ୍ତ ମିଶ୍ର । ଯେତେବେଳେ ‘ନାଗମଣ୍ଡଳ’କୁ ଅନୁବାଦ କରିବାର ପ୍ରକ୍ରିୟା ଆରମ୍ଭ କଲି ସେତେବେଳେ ତାଙ୍କୁ ଲ୍ୟାଣ୍ଡ୍ ନମ୍ବରରେ କଲ୍ କଲି । କହିଲି ଆଜ୍ଞା, ‘ନାଗମଣ୍ଡଳ’ରେ ଲୋକକଥା ଶୈଳୀକୁ ରଖିବାକୁ ଚାହୁଁଛି । ସେ ଅନୁମତି ଦେଇଥିଲେ । ସେହି ଗୋଟିଏ ଥର ତାଙ୍କ ସହ କଥାବାର୍ତ୍ତା ହୋଇଛି । ଏହାପରେ ମୁଁ ‘ନାଗମଣ୍ଡଳ’ ନାଟକରେ ଭାଗବତ ଠାରୁ ଆରମ୍ଭ କରି ସର୍ବମଙ୍ଗଳା ସ୍ତୁତି ପର୍ଯ୍ୟନ୍ତ ରଖିଥିଲି ଏବଂ ସେଥିରେ ଅଭିନୟ ବି କରିଥିଲି ।
ନାଟ୍ୟ ଦିବସ ବାର୍ତ୍ତାର ଅନୁବାଦ କରିଥିଲି
ଗିରୀଶ କର୍ଣ୍ଣାଡଙ୍କୁ କେବେ କଥାବାର୍ତ୍ତା ହେବାର କି ବ୍ୟକ୍ତିଗତ ଭେଟିବାର ସୁଯୋଗ ପାଇନି । କିନ୍ତୁ ୨୦୦୨ ମସିହାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ସେ ଦେଇଥିବା ନାଟ୍ୟବାର୍ତ୍ତାକୁ ଓଡ଼ିଆରେ ଅନୁବାଦ କରିବାର ସୌଭାଗ୍ୟ ଲାଭ କରିଥିଲି ବୋଲି ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ କହିଛନ୍ତି । ସେ ଭାରତର ପ୍ରଥମ ଲେଖକ ଯେ, କି ନାଟ୍ୟ ବାର୍ତ୍ତା ଦେଇଥିଲେ । ଏଥିସହିତ ବାଦଲ ସରକାରଙ୍କ ୮୫ତମ ଜୟନ୍ତୀରେ ତାଙ୍କୁ ଦେଖିବାର ଏବଂ ଏକାଠି ଗୋଟିଏ ହଲ୍ରେ ବସି ତାଙ୍କ ଭାଷଣ ଶୁଣିବାର ସୁଯୋଗ ପାଇଥିଲି ।
ଗିରୀଶଙ୍କ ବିୟୋଗରେ ଶୋକ
ପ୍ରସିଦ୍ଧ ତଥା ପ୍ରତିଷ୍ଠିତ ଅଭିନେତା, ସାହିତ୍ୟିକ ତଥା ନାଟ୍ୟକାର ପଦ୍ମଶ୍ରୀ ଗିରୀଶ କର୍ଣ୍ଣାଡଙ୍କ ବିୟୋଗରେ ମର୍ମାହତ । ବିଶ୍ୱ ସାହିତ୍ୟ ତଥା ସିନେମା ଦୁନିଆକୁ ଏକ ଅପୂରଣୀୟ କ୍ଷତି । ମୁଁ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି । ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
ପଦ୍ମବିଭୂଷଣ ଗିରୀଶ କର୍ଣ୍ଣାଡଙ୍କ ବିୟୋଗରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି ଏକ ଶୋକବାର୍ତ୍ତାରେ କହିଛନ୍ତି, ଗିରୀଶ କର୍ଣ୍ଣାଡ ନିଜର ସୃଜନଶୀଳ ଚଳଚ୍ଚିତ୍ର ଓ ମଞ୍ଚ ପ୍ରତିଭା ଏବଂ ସାହିତ୍ୟ ସୃଷ୍ଟି ପାଇଁ ଚିର ଅମର ରହିବେ ।
ଉଚ୍ଚଶିକ୍ଷାବିତ୍, ଶ୍ରେଷ୍ଠ ନାଟ୍ୟକାର
ଜଣେ ସୁଉଚ୍ଚ ଶିକ୍ଷାବିତ୍ ଏବଂ ଶ୍ରେଷ୍ଠ ନାଟ୍ୟକାର ଭାବରେ ସୁପରିଚିତ ଥିଲେ । ତାଙ୍କର ନାଟ୍ୟ ରଚନା ଶୈଳୀ ଯେମିତି ଥିଲା ପଠନ ଶୈଳୀ ସେହିପରି ଥିଲା ବୋଲି କହିଛନ୍ତି ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ ।
ମଞ୍ଚସ୍ଥ କରିପାରିଲୁନି ନାଟକ
୭-୮ବର୍ଷ ତଳେ ତାଙ୍କ ରଚିତ ‘ଫ୍ଲାୱାର୍’ ନାଟକ ସୀମନ୍ତ ମହାନ୍ତିଙ୍କ ଦ୍ୱାରା ଅନୁବାଦ କରି ‘ଫୁଲ’ ନାଟକ ମଞ୍ଚସ୍ଥ କରିବାକୁ ଚେଷ୍ଟା କରିଥିଲୁ । ସେଥିରେ ଅଭିନୟ କରିଥିଲି । ରିହର୍ସାଲ୍ ହୋଇଥିଲା କିନ୍ତୁ ଅସୁବିଧା ବଶତଃ ନାଟକଟି ମଞ୍ଚସ୍ଥ ହୋଇପାରିନଥିଲା ବୋଲି କହିଛନ୍ତି ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ ।
ପାଠ ପଢ଼ାଇଛନ୍ତି
ଦିଲ୍ଲୀସ୍ଥିତ ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା(ଏନ୍ଏସ୍ଡି)ରେ ପାଠ ପଢ଼ିଲା ସମୟରେ ଯାହା ତାଙ୍କୁ ଦେଖିବାକୁ ମିଳିଥିଲା । ସେ ନିୟମିତ ପାଠ ପଢ଼ାଇବାକୁ ଆସନ୍ତି । ମାତ୍ର ପରେ କେବେ ଗିରୀଶଜୀଙ୍କ ସହ ଭେଟ ହୋଇନି ବୋଲି କହିଛନ୍ତି ବରିଷ୍ଠ ନାଟ୍ୟବିତ୍ ଏନ୍ଏସ୍ଡିଆନ୍ ଅଜିତ୍ ଦାସ କହିଛନ୍ତି ।