ନୂଆଦିଲ୍ଲୀ ୨୨/୧୧: ଚଳିତ କୁଚ୍‌ ବିହାର ଟ୍ରଫିରେ  ଭାରତର ପ୍ରସିଦ୍ଧ  ଓପନର ବୀରେନ୍ଦ୍ର  ସେହ୍ୱାଗଙ୍କ ପୁତ୍ର  ଆର୍ଯ୍ୟବୀରଙ୍କ ଦ୍ୱିଶତକ  ଇନିଂସ୍‌ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ପାଲଟିଛନ୍ତି । ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ଚଳିତ ମେଘାଳୟ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୨୯୭ ରନ୍‌ର  ମାରାଥନ ଇନିଂସ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ  କରିଛନ୍ତି । 

ଏହି ମ୍ୟାଚ୍‌ରେ ମେଘାଳୟ ପ୍ରଥମେ ବ୍ୟାଟିଂ  କରି ୨୬୦ରନ୍‌ରେ ସୀମିତ ରହିଥିଲା । ଜବାବରେ  ଦିଲ୍ଲୀ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୫ ୱିକେଟ୍‌  ବିନିମୟରେ ୬୨୩ ରନ୍‌ ସଂଗ୍ରହ କରିଛି ।  ଆର୍ଯ୍ୟବୀର ୨୨୯ଟି ବଲ୍‌ର ସାମ୍ନା କରି ଅପରାଜିତ ୨୯୭ ରନ୍‌ କରିଛନ୍ତି । ତାଙ୍କ ଇନିଂସ୍‌ରେ ୫୧ଟି ଚୌକା ଓ ୩ଟି ଛକା ସାମିଲ ରହିଛି । ଅନ୍ୟ ବ୍ୟାଟର ଧନ୍ୟ ନକ୍‌ରା ମଧ୍ୟ ୧୩୦ ରନ୍‌, ଅର୍ନଭ ଏସ୍ ବୁଗା ୧୧୪ ରନ୍, କରିଛନ୍ତି । 

ଆର୍ଯ୍ୟବୀରଙ୍କୁ ଏବେ ମାତ୍ର ୧୬ ବର୍ଷ । ବାପା  ସେହ୍ୱାଗଙ୍କ ଭଳି ସେ ବି ଜଣେ ଓପନର । ସେ  ଗତ ଭିନୁ ମଙ୍କଡ଼ ଟ୍ରଫିରେ ମଣିପୁର ବିପକ୍ଷ ଏକ  ମ୍ୟାଚ୍‌ରେ ଦିଲ୍ଲୀ ପକ୍ଷରୁ ପଦାର୍ପଣ କରିବା ସହ  ୪୯ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ । ଦିଲ୍ଲୀ  ୬ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ଆର୍ଯ୍ୟବୀର  ଆଇପିଏଲ୍‌ ଚୁକ୍ତି ପାଇଁ କଠିନ ପରିଶ୍ରମ କରୁଥିବା  ବିଷୟରେ ଗତବର୍ଷ ସେହ୍ୱାଗ ପ୍ରକାଶ କରିଥିଲେ ।