ନୂଆଦିଲ୍ଲୀ,୪।୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତରେ ଆସି ପହଁଞ୍ଚିଛନ୍ତି। ପ୍ରାୟ ୩୦ ଘଣ୍ଟା ଧରି ଭାରତ ଗସ୍ତ ସମୟରେ ରହିବେ। ଗସ୍ତ ସମୟରେ ପୁଟିନ ୨୫ ଟି ଚୁକ୍ତିନାମା ସ୍ୱାକ୍ଷର କରିବେ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ଏବଂ ମହାକାଶ ଠାରୁ ବାଣିଜ୍ୟ ପର୍ଯ୍ୟନ୍ତ କ୍ଷେତ୍ରରେ ଶକ୍ତି ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ପୁଟିନଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ଡିସେମ୍ବର ୫ ତାରିଖ ସକାଳ ୧୧ଟା ୫୦ ମିନିଟରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଯେଉଁଠାରେ ଉଭୟ ଦେଶର ନେତା ୨୩ ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।
ତେବେ ପୁଟିନ ପ୍ରଥମ ନେତା ନୁହଁନ୍ତି ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାଇଦ୍ରାବାଦ ହାଉସରେ ଭେଟିବାକୁ ଯାଉଛନ୍ତି। ଅଧିକାଂଶ ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ହାଉସରେ ଭେଟିଥାନ୍ତି। ଏହି ସ୍ଥାନରେ ପ୍ରମୁଖ ଅନ୍ତର୍ଜାତୀୟ ଗସ୍ତ, ଉଚ୍ଚସ୍ତରୀୟ କୂଟନୈତିକ ବୈଠକ ଏବଂ ଐତିହାସିକ ଆଲୋଚନାର ସାକ୍ଷୀ ହୋଇଛି। କିନ୍ତୁ ହାଇଦ୍ରାବାଦ ହାଉସର ଭବ୍ୟତା ପଛରେ ଏକ କାହାଣୀ ଅଛି ଯାହା ବହୁତ କମ୍ ଲୋକ ଜାଣନ୍ତି। ଏକ କାହାଣୀ ଯାହା ଗଡ଼ଜାତ ରାଜ୍ୟଗୁଡ଼ିକର ରାଜନୈତିକ ସଂଘର୍ଷ, ନିଜାମଙ୍କ ଭବ୍ୟତା, ବ୍ରିଟିଶ ସରକାରଙ୍କ ନୀତି ଏବଂ ସ୍ୱାଧୀନ ଭାରତର ପ୍ରଶାସନିକ କୂଟନୀତି ସବୁ କିଛି ପରସ୍ପର ସହିତ ଯୋଡି ହୋଇ ରହିଛି।
କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହେଁ, ତାଙ୍କ ପୂର୍ବରୁ ପ୍ରାୟ ସମସ୍ତ ପ୍ରଧାନମନ୍ତ୍ରୀ ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ଉଚ୍ଚସ୍ତରୀୟ ଅତିଥିମାନଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ହାଉସକୁ ପସନ୍ଦ କରିଛନ୍ତି। ଏହା କେବଳ ଏହାର ଭବ୍ୟତା ପାଇଁ ନୁହେଁ ବରଂ ଏହାର ଐତିହାସିକ ଗୁରୁତ୍ୱ ଏବଂ ପ୍ରତିଷ୍ଠା ବହନ କରୁଛି। ଏହି କୋଠା ଏବେ ଭାରତର କୂଟନୀତିର ପ୍ରତୀକ ପାଲଟିଛି, ଯେଉଁଠାରେ ଅନ୍ତର୍ଜାତୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୁଏ ଏବଂ ଭାରତର ବୈଦେଶିକ ନୀତିର ରଣନୀତି ପ୍ରସ୍ତୁତ ହୁଏ। କିନ୍ତୁ ଆଜି ବିଶ୍ୱ ଯେଉଁ ଚମତ୍କାର କୋଠା ଦେଖୁଛି ତାହା ଜଣେ ‘ନିଜାମ’ଙ୍କ ପାଇଁ ତିଆରି ହୋଇଥିଲା। ‘ନିଜାମ’ ହେଉଛି ଏକ ଉପାଧି, ଯାହାର ଅର୍ଥ ରାଜ୍ୟର ଶାସକ। ଏହା ବିଶେଷ ଭାବରେ ଭାରତରେ ହାଇଦ୍ରାବାଦର ଶାସକଙ୍କ ଉପାଧି ଥିଲା। ହାଇଦ୍ରାବାଦ ହାଉସ ମୀର ଉସମାନ ଅଲ୍ଲୀ ଖାନଙ୍କ ପାଇଁ ତିଆରି ହୋଇଥିଲା, ଯିଏକି ହାଇଦ୍ରାବାଦର ଶେଷ ନିଜାମ ଥିଲେ।
ସ୍ୱାଧୀନତା ପୂର୍ବରୁ ଭାରତରେ ପ୍ରାୟ ୫୬୦ ଟି ଗଡ଼ଜାତ ରାଜ୍ୟ ଥିଲା। ଏହି ରାଜ୍ୟଗୁଡ଼ିକ ବ୍ରିଟିଶ ଭାରତର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ନଥିଲେ, କିନ୍ତୁ ସେମାନେ ବ୍ରିଟିଶ ସରକାରଙ୍କ ସହିତ ରାଜନୈତିକ ଏବଂ ପ୍ରଶାସନିକ ସମ୍ପର୍କ ବଜାୟ ରଖିଥିଲେ। ଏହି ଗଡ଼ଜାତ ରାଜ୍ୟଗୁଡ଼ିକର ସମସ୍ୟା, ବିବାଦ ଏବଂ ପ୍ରଶାସନିକ ସମସ୍ୟାର ସମାଧାନ ପାଇଁ, ବ୍ରିଟିଶମାନେ ୧୯୨୦ ମସିହାରେ ‘ଚାମ୍ବର ଅଫ୍ ପ୍ରିନ୍ସେସ୍’ ସ୍ଥାପନା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଗଡ଼ଜାତ ରାଜ୍ୟଗୁଡ଼ିକର ମୁଖ୍ୟମାନଙ୍କୁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବା, ଯେଉଁଠାରେ ସେମାନଙ୍କର ସ୍ୱର ଶୁଣାଯାଇପାରିବ। ତେବେ ଯେତେବେଳେ ଗଡ଼ଜାତ ରାଜ୍ୟଗୁଡ଼ିକର ମୁଖ୍ୟମାନେ ଦିଲ୍ଲୀ ଆସୁଥିଲେ ତାଙ୍କୁ ରହିବାକୁ ଉପଯୁକ୍ତ ସ୍ଥାନ ମିଳୁନଥିଲା। ସବୁଥର ଅସ୍ଥାୟୀ କ୍ୟାମ୍ପ ଲାଗୁଥିଲା, ଏଥି ପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡୁଥିଲା। ବାରମ୍ବାର ଏହି ଅସୁବିଧା ହାଇଦ୍ରାବାଦର ନିଜାମ ମୀର ଓସମାନ ଅଲି ଖାନଙ୍କୁ ଚିନ୍ତାରେ ପକାଇଥିଲା। ଦିଲ୍ଲୀରେ ଏକ ସ୍ଥାୟୀ ବାସସ୍ଥାନ ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ, ଯେଉଁଠାରେ ସେ ଏବଂ ତାଙ୍କ ସହଯୋଗୀମାନେ ଆରାମରେ ରହିପାରିବେ।
ପ୍ରାୟ ୧୨ ଏକର ଜମିରେ ତିଆରି ହୋଇଛି ଏହି ହାଇଦ୍ରାବାଦ ହାଉସ। ଏହି ବିଲ୍ଡିଂର ନିର୍ମାଣ ଦାୟିତ୍ବ ସେ ଏଡଭିନ୍ ଲୁଟିୟନ୍ସଙ୍କୁ ଦେଇଥିଲେ। ସେ ଥିଲେ ଜଣେ ପ୍ରସିଦ୍ଧ ଆର୍କିଟେକ୍ଚର, ଯିଏକି ଦିଲ୍ଲର ପ୍ରମୁଖ ବିଲ୍ଡିଂ ବିଶେଷ କରି ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ ଓ ସାଉଥ୍ ବ୍ଲକର ରୂପରେଖ ତିଆରି କରିଥିଲେ। ଏହାର ସଂରଞ୍ଚନା ଓ ଶୈଳିରେ ୟୁରୋପୀୟ ଏବଂ ମୋଗଲ ବାସ୍ତୁକଳା ରହିଛି। ସେତେବେଳେ ଏହାକୁ ତିଆରି କରିବାରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୧୯୪୭ ରେ ଭାରତ ସ୍ବାଧିନ ହେବା ପରେ ଗଡଜାତ ରାଜ୍ୟ ଭାରତୀୟ ସଂଘରେ ବିଲୟ ହୋଇଥିଲା। ୧୯୫୪ ରେ ବୈଦେଶିକ ମନ୍ତ୍ରଣାଳୟ ‘ହାଇଦ୍ରାବାଦ ହାଉସ’କୁ ଔପଚାରିକ ଭାବରେ ଲିଜ୍ରେ ନେଇଥିଲା। ତେବେ ପରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଭବନ ତିଆରି ପାଇଁ ରାଜ୍ୟକୁ ଦିଲ୍ଲୀରୁ ୭.୫୬ ଏକର ଜମି ଦେଇଥିଲା। ଏହା ବଦଳରେ ‘ହାଇଦ୍ରାବାଦ ହାଉସ’ ସ୍ଥାୟୀ ରୂପରେ କେନ୍ଦ୍ର ସରକାରଙ୍କ ଅଧିକାରକୁ ଆସିଥିଲା।