ଭୁବନେଶ୍ୱର, ୨୬।୧୦: ସିଭିଅର ସାଇକ୍ଲୋନିକ ଷ୍ଟ୍ରମ୍ ହେବା ନେଇ ଆଇଏମଡିର ଆକଳନ । ୧୪ଟି ଜିଲ୍ଲାର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ୨୮ ଓ ୨୯ ରାତିରେ ବାତ୍ୟା ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ଲ୍ୟାଣ୍ଡଫଲ୍ କରି ମାଲକାନଗିରି ଜିଲ୍ଲା ଦେଇ ଗତି କରିବ । ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ । ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଡିସି ବୈଠକରେ ଜଳଭଣ୍ଡାର ସ୍ଥିତି ନେଇ ସମୀକ୍ଷା କରାଯାଇଛି । ବାତ୍ୟାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି । ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ । ଗଜପତି ଜିଲ୍ଲାର ହରଭଙ୍ଗି ଜଳଭଣ୍ଡାର ଓ ରାୟଗଡ଼ା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦%କୁ ଅଣାଯାଇଛି । ଆବଶ୍ୟକ ପଡ଼ିଲେ ଆହୁରି ଖାଲି କରାଯିବ । ବାତ୍ୟା ପ୍ରଭାବିତ ଆଶଙ୍କା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି ।
ସେପଟେ ୩ ଦିନ ପାଇଁ ପର୍ଯ୍ୟଟକଙ୍କୁ ପୁରୀ ସମୁଦ୍ରକୁ ଯିବାକୁ ମନା ହୋଇଛି । ସମ୍ଭାବ୍ୟ ବାତ୍ୟା ମୋନ୍ଥା ଆସୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୭, ୨୮ ଏବଂ ୨୯ ଏହି ୩ ଦିନ ଧରି ସମୁଦ୍ର ଭିତରକୁ ନା କୌଣସି ପର୍ଯ୍ୟଟକଙ୍କୁ ଛଡ଼ାଯିବ ନା କେହି ବାଲିକୁ ଯାଇପାରିବେ । ପୁରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ସମୁଦ୍ର କୂଳରେ ଲାଇଫ୍ ଗାର୍ଡଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ରହିଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଧାମରା ଚାନ୍ଦିନୀପାଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଉଛି । ଗଭୀର ସମୁଦ୍ରକୁ ମାଛ ମାରିବାକୁ ଗଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଛି ।