ଭୁବନେଶ୍ୱର,୦୭/୧୦:  ରାଜ୍ୟରୁ ମୌସୁମୀ ଫେରିବା ବିଳମ୍ବିତ ହୋଇପାରେ । ଉତ୍ତର ବଙ୍ଗୋପସାଗରରେ  ମୌସୁମୀ ନିଷ୍କ୍ରିୟ ଅଛି । ୯ ତାରିଖ  ବେଳକୁ ତାମିଲନାଡୁ ପାଖ ଦକ୍ଷିଣ  ପଶ୍ଚିମ ବଙ୍ଗୋପସାଗରରୁ କେରଳ ପାଖ ଦକ୍ଷିଣ ପୂର୍ବ ଆରବସାଗର ଯାଏ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରେ  ଏହା ଲଘୁଚାପ ଓ ଗଭୀର ଅବପାତରେ  ପରିଣତ ହେବ । ଏହା ପ୍ରଭାବରେ  ୧୬ ଓ ୧୭ ତାରିଖରେ ରାଜ୍ୟରେ  ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ଡ. ପଶୁପାଳକଙ୍କ ଆକଳନ  ଅନୁସାରେ, ଅକ୍ଟୋବର ୧୫ ତାରିଖ  ଯାଏ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ  ରହିବ । କୌଣସି ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ନାହିଁ । କିନ୍ତୁ ଦକ୍ଷିଣ ପଶ୍ଚିମ  ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା  ଘୂର୍ଣ୍ଣିବଳୟ ବଳ ଗୋଟାଇ ପରବର୍ତ୍ତୀ  ଦୁଇଦିନରେ ଦକ୍ଷିଣ ଆରବ ସାଗର  ଉପରେ ଲଘୁଚାପରେ ପରିଣତ ହେବ ।  ପରେ ଏହା ଉତ୍ତର ଆଡ଼କୁ ମୁହାଁଇବ । ୧୪ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ  ଓ ବର୍ଷା ହୋଇପାରେ । 

ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ  ସ୍ଥାନରେ ପାଗ ମେଘୁଆ ରହିବ ସହ  ବର୍ଷା ହୋଇଛି । ଗଞ୍ଜାମର ଆସ୍କାଠାରୁ  କଟକ ଯାଏ ଘଡ଼ଘଡ଼ି ବର୍ଷା ହୋଇଛି ।  ସୋମବାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି  ରହିବ । ବଙ୍ଗୋପସାଗରୀୟ ପବନ  ସହିତ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିଯିବ । ଏଥିପାଇଁ ବାୟୁମଣ୍ଡଳ  ଅସ୍ଥିର ହେବା ସହ ପରିଚଳନ ବର୍ଷା  ହେବ । ମଙ୍ଗଳବାରଠାରୁ ଏହି ପରିଚଳନ  ବର୍ଷା ଛତିଶଗଡ଼କୁ ମୁହାଁଇବ । ୧୨  ତାରିଖରେ ପବନର ଦିଗ ବଦଳିବ ।  ଉତ୍ତର ପଶ୍ଚିମ ଭାରତରୁ ପବନ ବହିବ ।  ଉପକୂଳ ସହିତ ଉତ୍ତର ଓଡ଼ିଶାରେ ରାତି  ବେଳାର ତାପମାତ୍ରା ଧୀରେ ଧୀରେ  କମିବ । କିନ୍ତୁ ଦିନବେଳାର ତାପମାତ୍ରା  କମିବନି । ତେବେ ଗୁଳୁଗୁଳି କମିଯିବ ବୋଲି ସେ ଆକଳନ କରିଛନ୍ତି । 

ରବିବାର କଟକରେ ୨୬.୨, କେନ୍ଦୁଝର  ଓ ଗୋପାଳପୁରରେ ୧୦.୬,  ଭୁବନେଶ୍ୱରରେ ୧୦.୪, ବାରିପଦାରେ  ୪.୨, ଦାରିଙ୍ଗିବାଡ଼ିରେ ୪ମିମି ବର୍ଷା  ହୋଇଥିବା ପାଣିପାଗ ବିଭାଗ ତଥ୍ୟ  ଦେଇଛି । ଆସନ୍ତା ୧୦ ତାରିଖ ଯାଏ  ବର୍ଷା ନେଇ କୌଣସି ସତର୍କ ସୂଚନା  ଦିଆଯାଇନି।