ରାଜକୋଟ୍‌:  ଭାରତୀୟ ମହିଳା କ୍ରିକେଟ ଟିମ୍‌ ରାଜକୋଟ୍‌ରେ ଇତିହାସ ରଚିଛି । ଆୟର୍ଲାଣ୍ଡକୁ ୩୦୪ ରନ୍‌ରେ ପରାସ୍ତ କରି ଦିନିକିଆ ସିରିଜ୍‌କୁ ୩-୦ରେ କବ୍‌ଜା କରିନେଇଛି । ରାଜକୋଟ୍‌ରେ ଖେଳାଯାଇଥିବା ଶେଷ ଦିନିକିଆରେ ଭାରତୀୟ ମହିଳା ଟିମ୍‌ ୪୩୫ ରନ୍‌ କରି ଭାରତୀୟ ପରୁଷ ଟିମକୁ ମଧ୍ୟ ପଛରେ ପକାଇଛି । ସେପଟେ ଭାରତୀୟ ଦଳର ସ୍ମୃତି ମନ୍ଧାନା ଏବଂ ପ୍ରତିକା ରାଓ୍ବଲ ଦମଦାର ପାଳି ଖେଳି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସ୍ମୃତି ମନ୍ଧାନା ୮୦ ବଲ୍‌ରେ ୧୩୫ ରନ୍‌ କରିଥିବା ବେଳେ ପ୍ରତିକା ୧୨୯ ବଲ୍‌ରେ ୧୫୪ ରନ୍‌ କରିଛନ୍ତି । କିନ୍ତୁ ଓପନର ପ୍ରତିକା ରାଓ୍ବଲଙ୍କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।  ନିଜ କ୍ୟାରିୟରରେ ଷଷ୍ଠ ଅନ୍ତର୍ଜାତୀୟ ଦିନିକିଆରେ ପ୍ରଥମ ଶତକ ମାରିଛନ୍ତି ପ୍ରତିକା । ସେ ଆଜି ସ୍ମୃତିଙ୍କ ସହ ମିଶି ଟିମ୍‌କୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇଛନ୍ତି । ସେପଟେ ସ୍ମୃତି ମନ୍ଧାନା ଦଶମ ଓଡିଆଇ ଶତକ ହାସଲ କରିଛନ୍ତି । 

ପ୍ରତିକା ରାଓ୍ବଲ କିଏ ?

୧ ସେପ୍ଟେମ୍ବର ୨୦୦୦ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ପ୍ରତିକା । ସେ ରେଳବାଇ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ । ତାଙ୍କ ପିତା ପ୍ରଦୀପ ରାଓ୍ବଲ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘରେ ବିସିସିଆଇ ସ୍ବିକୃତୀପ୍ରାପ୍ତ ଲେବଲ -୨ ଅମ୍ପାୟର । ପ୍ରତିକା ବାରଖମ୍ବା ରୋଡ୍‌ରେ ଥିବା ମଡର୍ଣ୍ଣ ସ୍କୁଲ୍‌ରେ ପଢ଼ୁଥିଲେ ଏବଂ ଦଶମ ବୋର୍ଡ ପରୀକ୍ଷାରେ ୯୨.୫ ପ୍ରତିଶତ ମାର୍କ ରଖି ପାସ୍‌ କରିଥିଲେ । ପରେ ନୂଆଦିଲ୍ଲୀର ଜିସସ୍‌ ମେରି କଲେଜ୍‌ରୁ ମନସ୍ତତ୍ତ୍ବବିତରେ ଡିଗ୍ରି ହାସଲ କରିଛନ୍ତି । କ୍ରିକେଟ ବ୍ୟତୀତ ପ୍ରତିକା ରାଜେନ୍ଦ୍ର ନଗରର ବାଲ ଭାରତୀ ବିଦ୍ୟାଳୟ ପାଇଁ ବାସ୍କେଟ୍‌ ବଲ୍‌ ଖେଳିଥିଲେ । ଏପରିକି ଜାନୁଆରୀ ୨୦୧୯ରେ ଦିଲ୍ଲୀରେ ଆୟୋଜିତ ୬୪ ତମ ସ୍କୁଲ ନ୍ୟାସନାଲ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ପ୍ରତିକା ରାଓ୍ବଲ । ଗ୍ୟାମଖାନା କ୍ରିକେଟ ଆକାଡେମିରୁ ଶ୍ରବଣ କୁମାରଙ୍କ ପାଖରେ ସେ ପ୍ରିଶିକ୍ଷଣ ନେଇଛନ୍ତି । ଗତ ମାସରେ ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷ ସରିଜ୍‌ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ପ୍ରତିକା । ଡେବ୍ୟୁ ମ୍ୟାଚ୍‌ରେ ୪୦ ରନ୍‌ କରିଥିଲେ ଏବଂ ତାଙ୍କର ସ୍ମୃତି ମନ୍ଧାନାଙ୍କ ସହ ୧୧୦ ରନ୍‌ର ଭାଗିଦାରୀ ଥିଲା । 

 ସେହି ମ୍ୟାଚ୍‌ରେ ସେ ପ୍ରଥମ ଅନ୍ତର୍ଜାତୀୟ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ରେଳବାଇ ପକ୍ଷରୁ ଖେଳିବା ପୂର୍ବରୁ ପ୍ରତିକା ଦିଲ୍ଲୀ ୨୦୨୧ରୁ ୨୦୨୪ ପାଇଁ ଖେଳୁଥିଲେ । ସେପଟେ ପ୍ରତିକା କୁହନ୍ତି, ତାଙ୍କ ବିଷୟ (ମନସ୍ତତ୍ତ୍ବ ବଜ୍ଞାନ) ପ୍ରତି ଦୁର୍ବଳତା ଏବଂ କ୍ରିକେଟ ପ୍ରତି ଭଲ ପାଇବା ଯୋଗୁଁ ତାଙ୍କୁ ଭାରତୀୟ ଦଳରେ ଖେଳିବାର ସୌଭାଗ୍ୟ ମିଳିପାରିଛି ।  ମନସ୍ତତ୍ତ୍ବ ବିଜ୍ଞାନ ପାଇଁ ଫିଲ୍ଡ ଭିତରେ ଏବଂ ବାହାରେ ଲୋକମାନଙ୍କ ଭାବନା ବୁଝିବା ସହଜ ହେଉଛି । ଯାହା ଦ୍ବାରା କ୍ରିକେଟରେ ଭଲ୍‌ ଖେଳିବାରେ ମୁଁ ସମର୍ଥ ହୋଇପାରୁଛି ବୋଲି ବିସିସିଆଇ ପକ୍ଷରୁ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି ପ୍ରତିକା ରାଓ୍ବଲ । ଏହି ପୋଷ୍ଟରେ କ୍ୟାପ୍ସନ ରହିଛି ‘Psychology meets Cricket’ । ତେବେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଏବଂ ଦ୍ବିତୀୟ ଦିନିକିଆରେ ପ୍ରତିକା ଯଥାକ୍ରମେ ୯୬ ଏବଂ ୬୧ ରନ୍‌ କରିଥିଲେ ।