ଏପର୍ଯ୍ୟନ୍ତ ମୁଁ ବୁଝିପାରି ନାହିଁ ଶାନ୍ତି ଏକ ପ୍ରାକୃତିକ ମାନସିକ ସ୍ଥିତି ନା ଯୁଦ୍ଧର ଏକ ପ୍ରତିଶବ୍ଦ: ଅର୍ଥାତ୍ କେବଳ ଏବେ ଶବ୍ଦ ଯାହା କେବଳ ଏକ ଗୁଣବାଚକ ବିଶେଷ ହୋଇ ଏକ ମରୀଚିକାର ଭ୍ରମ ସୃଷ୍ଟି କରିବା ବ୍ୟତୀତ କିଛି ଘୃଣ୍ୟ-ପରିଦୃଶ୍ୟ ବା ଇନ୍ଦ୍ରିୟାନୁଭୂତି ଆଣେନାହିଁ । ମହାଭାରତର ଶାନ୍ତିପର୍ବ ପଢ଼ିଲା ବେଳେ ମନେହୁଏ ଶାନ୍ତି କ’ଣ ସର୍ବହରାର ନିରୂପାୟ ସ୍ଥିତି? ଟଲଷ୍ଟୟଙ୍କ ‘ଯୁଦ୍ଧ ଓ ଶାନ୍ତି’ ପଢ଼ିଲାବେଳେ ମଧ୍ୟ ସେହି ଅନୁଭବ ମତେ ଦୀର୍ଘଦିନ ଧରି ଚିନ୍ତିତ କରିଥିଲା । ଆମର ଶାନ୍ତି ମନ୍ତ୍ର ବା ଶ୍ଳୋକରେ ଗଛଲତା, ଜୀବଜନ୍ତୁ, ସମସ୍ତ ଅନୁଭବସିଦ୍ଧ ପ୍ରାଣୀଙ୍କୁ ଶାନ୍ତିରେ ଆଶୀର୍ବାଦ ଦିଆଯାଏ । ଅନେକ ବ୍ୟକ୍ତି ଓଁ ଶାନ୍ତି ଉଚ୍ଚାରଣ କରନ୍ତି, ହୁଏତ ଅଜ୍ଞାତସାରରେ । ଟି.ଏସ. ଏଲିୟଟ ମଧ୍ୟ ‘ଦ ୱେଷ୍ଟ ଲ୍ୟାଣ୍ଡ’ ଶେଷରେ ସେହି ଶାନ୍ତି ବ୍ୟବହାର କରିଛନ୍ତି । ପ୍ରତ୍ୟେକ ଯୁଦ୍ଧ (ସେ ଦୈନିକ ହେଉ ବା ସାଙ୍କେତିକ ଜୀବନ ଯଜ୍ଞ ହେଉ) ଶେଷରେ ଶାନ୍ତି ଉଦକ ମାନ କରାଯାଏ । ଆଶୀର୍ବାଦର ବାରି ପରି ଶାନ୍ତି ଝରିପଡ଼େ ଆମ ମୁଣ୍ଡରେ । ସାଧାରଣ ପରିବାର ଝଗଡ଼ା ବେଳେ ହାଲିଆ ହୋଇଥିବା ମଣିଷ ଯୁକ୍ତିହୀନ ହୋଇ କହେ- ଓଃ ମତେ ଟିକେ ଶାନ୍ତି ଦିଅ । ଆନ୍ତର୍ଜାତିକ ଶାନ୍ତି ଆଇନ ମଧ୍ୟ ଅଛି । ଶବାସନ ମନରେ ଶାନ୍ତି ଦିଏ ବୋଲି ଅନେକ କହନ୍ତି । ମତେ ଶାନ୍ତିରେ ମରିବାକୁ ଦିଅ ସବୁ ମରଣମୁଖୀ ଲୋକଙ୍କର ଅନ୍ତିମ ପ୍ରାର୍ଥନା । ତେବେ ଏ ଶାନ୍ତିଟା କ’ଣ? ଶାନ୍ତିରେ ଘଟେ କ’ଣ? କ’ଣ ତା’ର ଆକାର, ପ୍ରକାର: ଜୀବନ ବିକାର?
ଶାନ୍ତିର ଅର୍ଥ ହେଲା ଯେଉଁଠି ଆକ୍ରମଣ ନାହିଁ, ଯୁଦ୍ଧ ସ୍ଥିତି ନାହିଁ ବା ଯୁଦ୍ଧ ଶେଷ ହୋଇଛି । ଆନ୍ତର୍ଜାତିକ ଶାନ୍ତି ଆଇନ ମଧ୍ୟ ସେଇ କଥା କହେ। ବିଶ୍ୱର ତଥାକଥିତ ଶାନ୍ତିରକ୍ଷକ, ମିଳିତ ଜାତିସଂଘ ଯଦି କହେ ଯୁଦ୍ଧ ନାହିଁ, ତାର ଅର୍ଥ ମଧ୍ୟ ଶାନ୍ତି । ଏହାର ଅର୍ଥ ହେଲା ଯେଉଁଠି ରକ୍ତକ୍ଷରଣ ନହୁଏ ସେଠି ଶାନ୍ତି । ମୁଁ କିନ୍ତୁ ଏପରି ଅର୍ଥ ଗ୍ରହଣ କରିପାରେନାହିଁ । କାରଣ ଶାନ୍ତି ଯଦି କେବଳ ଏକ ଅନୁପସ୍ଥିତି (ଯୁଦ୍ଧ, ରକ୍ତକ୍ଷରଣ ବା ଝଗଡ଼ା, ଦ୍ୱନ୍ଦ୍ୱ) ବୁଝାଏ ଏହି ଶବ୍ଦ ପରଭୋଗି ଶବ୍ଦ । ଏହାର ନିଜର ସ୍ଥିତି, ପ୍ରକୃତି ନାହିଁ । କିନ୍ତୁ ମୋ ବିଚାରରେ ଶାନ୍ତିର ସ୍ଥିତି, ପ୍ରକୃତି ଓ ଚେତନା ଅଛି । ଆମର ବ୍ରହ୍ମବେତା ମୁନି, ଋଷି, ବିଦ୍ୱାନ ସାଧକମାନେ ଶାନ୍ତି ଆନନ୍ଦ ବ୍ୟବହାର କରନ୍ତି ଏକ ସ୍ୱତନ୍ତ୍ର ସ୍ଥିତି ଯାହା ଆନନ୍ଦ ଦିଏ । ଆନନ୍ଦ ଜୀବନର ମକରନ୍ଦ ଅର୍ଥାତ୍ ବ୍ରହ୍ମାନନ୍ଦ । ଯେତେବେଳେ ସଂସାର ଅପସରି ଯାଏ ଶରୀର, ମନ, ଆତ୍ମା ଏକାଗ୍ର ଚେତନାରେ ଜୀବ ମୁକ୍ତ ହୋଇ ଆନନ୍ଦ ଅନୁଭବ କରେ, ତାହାହିଁ ଶାନ୍ତି । ସତ୍-ଚିତ୍-ଆନନ୍ଦ । ତେଣୁ ଏକ ସାଧନାମାର୍ଗ ଭାବେ ଦର୍ଶାଯାଇଛି। କିନ୍ତୁ ତାକୁ ଅବର୍ଣ୍ଣନୀୟ କହି ବିଦ୍ୱାନମାନେ ଆମକୁ ଉତ୍କଣ୍ଠିତ ହୁଏତ କରନ୍ତି, କିନ୍ତୁ ଆମପାଇଁ ତାହା ଇନ୍ଦ୍ରିୟାନୁଭୂତିର ପରିସର ମଧ୍ୟରେ ଆସେନାହିଁ । ଏବଂ ଯେଉଁମାନେ ଏପରି ଶାନ୍ତି କଥା କହନ୍ତି ସେମାନେ ବି ଶାନ୍ତି ଅନୁଭବୀ ନାହାଁନ୍ତି ।
କାରଣ ଶାନ୍ତି ପଦ୍ମପତ୍ରରେ ଜଳବିନ୍ଦୁ ପରି ମୁକ୍ତାର ଭ୍ରମ ଦେଇପାରେ, କିନ୍ତୁ ମୁକ୍ତା ନୁହେଁ । ଶାନ୍ତି କହିଲେ ଯେଉଁଠି କିଛି ଘଟେନାହିଁ । ତେଣୁ ସାଧାରଣ ଲୋକ ବିରକ୍ତରେ କହେ- ମଲେ ଶାନ୍ତି ପାଇବି । ହଁ ଏକ ଏକ ଅଚଳ, ଅସାଡ଼, ଘଟଣାରହିତ ସ୍ଥିତି । ବୋଧହୁଏ ଏହି କାରଣ ଲାଗି ଅ-ପ୍ରତ୍ୟୟରେ ଅହିଂସା ପରି କେବଳ ଏକ ଅନୁପସ୍ଥିତି ବୁଝାଏ । ଯେଉଁଠି ଯୁଦ୍ଧ ନାହିଁ, ସଂଘର୍ଷ ନାହିଁ, ସଂଘାତ ନାହିଁ ରୋଗ ଶୋଷ କାମନା ନାହିଁ, ସେଠି ଜୀବନ ମଧ୍ୟ ନାହିଁ । ସେକସପିଅର ମ୍ୟାକବେଥ୍ରେ ଲେଡି ମ୍ୟାକବେଥ ମୁହଁରେ ଡଙ୍କାନ ମୃତ୍ୟୁ କଥା କୁହାଇଛନ୍ତି । ଏହି ଶାନ୍ତି ମର୍ମରେ ଜୀବନ ଶେଷରେ ହିଁ ଶାନ୍ତି ସନ୍ତୋଷ ହୁଏତ ମିଳେ, କାରଣ ଶାନ୍ତି ସନ୍ତୋଷ ପାଇଁ ମଣିଷ ଜନ୍ମ ନିଏନାହିଁ ।
ସେଥିପାଇଁ କୁହାଯାଏତୁମେ ଘୁଷୁରୀର ସନ୍ତୋଷ ଚାହଁ ନା ଆରିଷ୍ଟଟଲଙ୍କ ଅସନ୍ତୋଷ ଚାହଁ? ପେଟଭରା ଖାଦ୍ୟ ମିଳିଗଲେ ପଙ୍କୁଆ ଦେହରେ ବି ଘୁଷୁରୀ ଶୋଇଯାଏ । କିନ୍ତୁ ଜଣେ ବିଦ୍ୱାନ କେବେହେଲେ ସନ୍ତୋଷ ପାଏନାହିଁ । ଗୋଟିଏ ଉଦାହରଣ ଦେଉଛି- ବିଶ୍ୱପ୍ରଲୋଭିନୀ, ସୁନ୍ଦରୀ ଅଭିନେତ୍ରୀ ମାରିଲିନ ମନରୋ ଦ୍ୱିତୀୟ ଥର ବିବାହରେ ବିଶ୍ୱର ଏକ ମହାନ ସାହିତ୍ୟିକ ନାଟ୍ୟକାର ଆର୍ଥର ମିଲର (ତାଙ୍କର ବି ଦ୍ୱିତୀୟ ବିବାହ)ଙ୍କୁ ପାଇଥିଲେ । କିଛି ଦିନ ପରେ ପତ୍ରକାର ସମ୍ମିଳନୀରେ ତାଙ୍କୁ ପରଚା ଯାଇଥିଲା- ଆପଣ ନିଶ୍ଚୟ ବିଶ୍ୱର ସର୍ବଶ୍ରେଷ୍ଠ ସୁଖୀ ନାରୀ । ଆପଣଙ୍କ ଲାଗି ସମଗ୍ର ବିଶ୍ୱ ପାଗଳ । ଧନ, ଐଶ୍ୱର୍ଯ୍ୟ, ଖ୍ୟାତି ସହିତ ବର୍ତ୍ତମାନ ଆପଣ ବିଶ୍ୱର ଜଣେ ପ୍ରଖ୍ୟାତ ସାହିତ୍ୟିକ, ଚିନ୍ତକଙ୍କ ପତ୍ନୀ । ଆପଣ ନିଶ୍ଚୟ ସୌଭାଗ୍ୟବତୀ । ମାରିଲିନ କହିଥିଲେ- ନା, ମତେ ତ କେହି ମାଆ ଡାକେନାହିଁ । ଅର୍ଥାତ୍ ଜୀବନରେ ଯାହା ଅପ୍ରାପ୍ୟ ପାଇଲେ ମଧ୍ୟ ମଣିଷ ଅଟକେ ନାହିଁ । ଆଉରି ଖୋଜେ । ମୁଁ ଲେଖିଥିଲି- ସମୁଦ୍ରର ଅଭାବ ପାଣି । ପବନର ଅଭାବ ନିଶ୍ୱାସ । ଅର୍ଥାତ୍ ଶାନ୍ତି, ଆନନ୍ଦ କେଉଁଠି ନାହିଁ । କେହି ଶାନ୍ତିରେ ନାହିଁ- ଈଶ୍ୱର ମଧ୍ୟ ।
ମୋ କହିବାର ତାତ୍ପର୍ଯ୍ୟ ହେଲା ଶାନ୍ତି ଏକ ଚରମ ଅନୁଭୂତି, ଯାହା ଏପରି ଏକ ମାନସିକ ଶାରୀରିକ ଆତ୍ମିକ ସ୍ଥିତି ଯେଉଁଠି ଆକାଶ ମାଟି ମିଶିଯାଏ । ପୃଥିବୀର ପଞ୍ଚ ଉପାଦାନ ଓ ବ୍ୟକ୍ତିର ପଞ୍ଚେନ୍ଦ୍ରିୟ ଏପରି ଏକ ସନ୍ତୁଳିତ ସ୍ଥିତି ଲାଭ କରନ୍ତି ଯେଉଁଠି କେବଳ ବିଶ୍ୱ ପ୍ରାଣଶକ୍ତି ବ୍ରହ୍ମନ୍ ହିଁ ରହନ୍ତି । ସଂସାର, ବାସ୍ତବ, ଦେହ, ଇନ୍ଦ୍ରିୟ, ଆଶା, ଦ୍ୱନ୍ଦ୍ୱ, ଅଭିଳାଷ, ଇଚ୍ଛା-କାମନା କିଛି ନଥାଏ । ଏକ ଅଦ୍ଭୁତ ଭୟଶୂନ୍ୟ ପୂର୍ଣ୍ଣତା ଆସେ ଯେଉଁଠି ପୂର୍ଣ୍ଣ- ଅପୂର୍ଣ୍ଣ ମଧ୍ୟରେ ପ୍ରଭେଦ ରହେନାହିଁ । ପ୍ରାପ୍ତି, ଅପ୍ରାପ୍ତିର ଅସନ୍ତୁଳିତ ଦ୍ୱନ୍ଦ୍ୱ, ବିରୋଧାଭାସ ଅପସରିଯାଏ । ଶଙ୍କର ଆଚାର୍ଯ୍ୟଙ୍କ ବ୍ରହ୍ମ ସ୍ତୋତ୍ରରେ ଯେଉଁ ବ୍ରହ୍ମ ସତ୍, ଜଗତ ମିଥ୍ୟା କୁହାଯାଇଛି ସେହି ଚେତନ ସ୍ତରକୁ ହିଁ ବୋଧହୁଏ ଶାନ୍ତି, ପ୍ରଶାନ୍ତି ସ୍ଥିତି କୁହାଯାଇପାରେ । ଏହି ଚେତନ ସ୍ତରର ସବୁଠାରୁ ବେଶୀ ଗ୍ରହଣୀୟ ମେଟାଫର ମୋ ବିଶ୍ୱାସରେ ବିଷ୍ଣୁଙ୍କର ଅନନ୍ତ ଶୟନ ।
ବିଶାଳବକ୍ଷରେ ଅନନ୍ତ ବିଷଧରର ସମର୍ପଣ ମୁଦ୍ରା କୋଳରେ ଗ୍ରହଣ କରିଛି ସେହି ବ୍ରହ୍ମନର ଏକ କଳ୍ପିତ ରୂପ: ବିଷ୍ଣୁ ନିଦ୍ରାଗତ । ଚେତନ-ଅଚେତନ ଊଦ୍ଧ୍ୱର୍ରେ ଏପରି ଏକ ତନ୍ତ୍ରୀ ଯେଉଁଠି ଭୟଙ୍କର କୋଳରେ ରହି ଭୟ ନାହିଁ । ସାଗରର ତରଙ୍ଗହୀନ ମହାବିସ୍ତାର ଅମାପ ଆକାଶର ଶାନ୍ତି ଆଶୀର୍ବାଦ, ସାଗରଦୁଲଣୀ ଲକ୍ଷ୍ମୀଙ୍କ ସାନ୍ନିଧ୍ୟରେ ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, କାନ୍ତି ଓ ମହାଭାବର ଜୀବନ ବିକାର ଦୋଳାୟିତ ଛନ୍ଦରେ ପ୍ରବାହିତ ଏବଂ ସ୍ଥିର । ବ୍ରହ୍ମନ ଚକ୍ଷୁମୁଦ୍ରିତ ସ୍ଥିତିରେ ବି ସଂପୂର୍ଣ୍ଣ ସଜାଗ । ମୁହୂର୍ତ୍ତ ଓ ଚିରନ୍ତନ ଏକାଠି ହୋଇ ସମୁଦ୍ର-ଆକାଶ- ଦାମ୍ପତ୍ୟ ମିଳନ ସବୁକୁ ଏକ ପରମ ପଲକରେ ଶାନ୍ତ, କମନୀୟ କରୁଛି । ଏହାହିଁ ଶାନ୍ତି: ଯେଉଁଠି ଭୟ, ଦୁଶ୍ଚିନ୍ତା, ସ୍ୱପ୍ନ-ଅଭିଳାଷ ସବୁ ସମାହିତ ଭାବେ ପୂର୍ଣ୍ଣ । କିନ୍ତୁ ନିଦ୍ରିତ ଚେତନା, ଶାନ୍ତ ସୁଶୁପ୍ତି ଅଚେତନ ନୁହେଁ । ବିଶ୍ୱବ୍ରହ୍ମାଣ୍ଡର କୋଣ ଅନୁକୋଣରେ କ’ଣ ଘଟୁଛି ବ୍ରହ୍ମଶାନ୍ତିର ବ୍ରହ୍ମଚିନ୍ତା ଜାଣେ ଏବଂ ଅସନ୍ତୁଳିତ କାର୍ଯ୍ୟର ସାମଧାନ ପାଇଁ ଇଚ୍ଛାଶକ୍ତିକୁ ପ୍ରେରିତ କରେ । ଭାରତୀୟ ବିଦ୍ୱାନମାନେ ଭଲ-ମନ୍ଦ (ପାପ- ପୁଣ୍ୟ) ଯୁଦ୍ଧ ଓ ଶାନ୍ତିର ପ୍ରତ୍ୟକ୍ଷ ଅନୁଭବ ପାଇଥିଲେ ଜୀବନରୁ । ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ସଂଘର୍ଷର ମୂଲ୍ୟ ନିରୂପଣ କରିଥିଲେ । ତେଣୁ ସେମାନେ ସମଗ୍ର ବିଶ୍ୱ ପ୍ରାଣସତ୍ତାର ଏକ ସନ୍ତୁଳିତ ଅବସ୍ଥାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିଲେ । ବିଦ୍ୱାନ ମହର୍ଷିମାନେ ଜାଣିଥିଲେ ଯେ ଯୁଦ୍ଧ ଅନିବାର୍ଯ୍ୟ । ସେ ଯୁଦ୍ଧ ଅସ୍ତ୍ର ସଂଘାତର ଯୁଦ୍ଧ ହୋଇପାରେ । ଇଚ୍ଛା କାମନାର ସାମ୍ମୁଖ୍ୟ ହୋଇପାରେ ।
ସ୍ୱପ୍ନ-ଅଭିଳାଷର ମଧ୍ୟ ହୋଇପାରେ । କିନ୍ତୁ ସେମାନେ ବୁଝିଥିଲେ ଯେ, ଯୁଦ୍ଧରେ କେହି ଜିଣେନାହିଁ । ବିଜେତାର ଗର୍ବ ନେଇ ନାୟକ ତାର ନିଜ ହାତଗଢ଼ା ଧ୍ୱଂସସ୍ତୂପ ପରିକ୍ରମା କରେ । ପରାଜିତ ନାୟକ ସେହି ଧ୍ୱଂସ୍ତୂପରୁ ଚେଷ୍ଟାକରେ ଜୀବନବୀଜ ସଂଗ୍ରହ କରିବା ପାଇଁ । ସାଧାରଣ କ୍ଷେତ୍ରରେ ପରାଜୟରୁ ପ୍ରତିହିଂସା ଆସେ । ଚକ୍ରାନ୍ତ, ଅଚାନକ ଆକ୍ରମଣ ପ୍ରଭୃତି ଅନାୟକ କର୍ମରେ ଶେଷ ପର୍ଯ୍ୟନ୍ତ ଚିନ୍ତିତ ରହେ ପରାଜିତ ନାୟକ । ଆଜିର ଆତଙ୍କବାଦ ଏକ ଅବଦମିତ ଜାତିର ପ୍ରତିହିଂସାର ଲକ୍ଷଣ । ରାଜନୀତିକ ଆତଙ୍କବାଦ ଭିନ୍ନ ରୂପ ନିଏ । ପ୍ରତ୍ୟେକ ମନର ବିକୃତ ତର୍ଜମା କରାଯାଏ ଯାହା ସାରା ବିଶ୍ୱରେ ଆମେ ଦେଖୁ । ଘୃଣା ଏକ ଆତଙ୍କୀ ଶକ୍ତିଭାବେ ଉଭା ହୁଏ । ବିରୋଧୀକୁ ହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଏ । ଆମେରିକାରେ ଡୋନାଲଡ ଟ୍ରମ୍ପ ଉପରେ ଆକ୍ରମଣକୁ ଆଉ କ’ଣ କୁହାଯିବ? ଆମର ଜ୍ଞାନୀ ପଣ୍ଡିତମାନେ ସେସବୁ କଥା ଠିକ୍ ବୁଝିଥିଲେ । ମହାଭାରତ ଦେଖିଥିଲେ, ପଢ଼ିଥିଲେ ଏବଂ ନାଟକୀୟ ଭାବେ ଦର୍ଶାଇଥିଲେ ଯେ ଯୁଦ୍ଧରେ କେହି ଜିତେନାହିଁ । ସମସ୍ତେ ପରାଜୟ ଲାଭ କରନ୍ତି । ମାନବ ଜାତି ପରାଜିତ ହୁଏ । ବିଂଶ ଶତାବ୍ଦୀରେ ଆମେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ପଢ଼ିଛୁ, ଶୁଣିଛୁ ଏବଂ ବୁଝିପାରିଛୁ ଯେ, ଯୁଦ୍ଧରେ ପୃଥିବୀସାରା ମ୍ୟାକବେଥ୍ ନାଟକର ଡଙ୍କାନ ହତ୍ୟା ପରଦିନ ‘ପୃଥିବୀ ବରଦର ବୋଧକରି ଥରୁଥିଲା’ କହନ୍ତି ସେକସପିଅର, ଯେହେତୁ ସେ ମଧ୍ୟ ଏକ ଦିବ୍ୟଦ୍ରଷ୍ଟା । ବିଶ୍ୱର ସବୁ ଦିବ୍ୟଦ୍ରଷ୍ଟା ଶାନ୍ତି କଥା ହିଁ କହନ୍ତି । ବିଶ୍ୱ ଏକ ପରିବାର ଏବଂ ମଣିଷ ପ୍ରେମବନ୍ଧା ହେଲେ ନିଶ୍ଚୟ ଶାନ୍ତି ପାଇବ । ଏହି କଥା ସମସ୍ତେ କହନ୍ତି, ଲେଖନ୍ତି ଯେଉଁମାନେ ବିଶ୍ୱର ଜୀବନ ମଞ୍ଚର ସମସ୍ତ ନାଟକ, ପାତ୍ରପାତ୍ରୀଙ୍କୁ ଚିହ୍ନି ବୁଝିପାରନ୍ତି । କିନ୍ତୁ ମଣିଷ ବୁଝିବା ପାଇଁ, ଚିହ୍ନିବା ପାଇଁ ପ୍ରସ୍ତୁତ ନୁହେଁ ।
କାହିଁକି? କାହିଁକି ନା ମଣିଷ ଅହଂ ତ୍ୟାଗ କରିବା ଲାଗି ପ୍ରସ୍ତୁତ ନୁହେଁ । ପ୍ରତ୍ୟେକ ସଚେତନ ବ୍ୟକ୍ତି ଯୁକ୍ତି କରେ ‘ଓଁ ନାମ’ ଛଡ଼ା ମୋର ଆଉ କ’ଣ ଅଛି? ମୁଁ କେମିତି ସେ ନାମହରା ହେବି? ତେଣୁ ସର୍ବସ୍ୱାନ୍ତ ହେବାଯାକେ ସେ ଲଢ଼ିବ । ମଣିଷର ବିଶ୍ୱ ଇତିହାସରେ ଶାନ୍ତି କେହି ଚାହେଁନାହିଁ । ସମସ୍ତେ ଚାହାଁନ୍ତି ସଫଳତା । ବିଜୟ । ସ୍ୱପ୍ନ ସାର୍ଥକତା । ମୁଁ ଶିଖର ଚଢ଼ିବି । ଯଦି କିଏ ମତେ ଡେଇଁ ଆଗେଇଯାଏ, ମୁଁ ତାର ଗୋଡ଼ ଟାଣିଦେବି । କେହି କହିବା ଲାଗି ପ୍ରସ୍ତୁତ ନୁହେଁ- ମୋର ଶିଖର କାମନା ପରି ଅନ୍ୟର ମଧ୍ୟ ଶିଖର କାମନା ଅଛି । କାହିଁକି ଆମେ ସମସ୍ତେ ଶିଖରକୁ ଉଠିବା ନାହିଁ ମିଳିତ ଚେଷ୍ଟାରେ? ମଣିଷ ଏହି ଧାତୁରେ ଗଢ଼ା ନୁହେଁ । ସେ ଚାହେଁ ସେ ଏକାକୀ ବିଶ୍ୱ ଉପଭୋଗ କରିବ। ବାହୁବଳ, ଜ୍ଞାନବଳ, ତନ୍ତ୍ରବଳ ବା ଚକ୍ରାନ୍ତବଳ ସେ ପ୍ରୟୋଗ କରିବ । ମାଉଣ୍ଟ ଏଭରେଷ୍ଟ ଉପରେ ଠିଆହୋଇ ମାନବ ଜାତିକୁ ସମ୍ମାନ ଦେବାଲାଗି ବାଧ୍ୟ କରିବ । ଅହଂ ତ୍ୟାଗ ନକଲେ ଶାନ୍ତି କେବେ ମିଳିବ ନାହିଁ । ମଣିଷର ସଫଳତା କାମନା ଏଇ ଅହଂପ୍ରେରିତ ।
ଅହଂକୁ କେବଳ ଅହଂକାର ଭାବେ ଗ୍ରହଣ ନକରି ବ୍ୟକ୍ତିଶକ୍ତି ବା ବ୍ୟକ୍ତିର ସ୍ୱତନ୍ତ୍ର ପ୍ରତିଭା ଭାବେ ଗ୍ରହଣ କରାଯିବା ଉଚିତ । ଅନେକ ବ୍ୟକ୍ତି ତାଙ୍କର ଉଚ୍ଚତା, ଗୋରା ରଙ୍ଗ ଏବଂ ଧନ ଐଶ୍ୱର୍ଯ୍ୟ ନେଇ ଗର୍ବ କରନ୍ତି ଏବଂ ଅନ୍ୟର ଆନୁଗତ୍ୟ କାମନା କରନ୍ତି । ଚିତ୍ରକର ଭାବେ ସଫଳତାର ଶିଖର ଛୁଇଁବ । ସାହିତ୍ୟିକ, ବୈଜ୍ଞାନିକ, ସବୁ ପ୍ରତିଭାସଂପନ୍ନ ବ୍ୟକ୍ତି ଉଚ୍ଚାଭିଳାଷୀ । କିନ୍ତୁ ଏହି ଉଚ୍ଚାଭିଳାଷୀର ସଫଳତା ଅର୍ଥ ହେଲା ସରକାରୀ ସ୍ତରରୁ ସମ୍ମାନ ବା ପୁରସ୍କାର । ପୁରସ୍କାର ଯଦି ସଫଳତାର ପରିମାପକ, ସଫଳତା ବୋଲି କିଛି ନାହିଁ । ଟଲଷ୍ଟୟ ନୋବେଲ ପୁରସ୍କାର ପାଇ ନଥିଲେ, କିନ୍ତୁ ଅନେକ ନୋବେଲ ଇରିଏଟ୍ ତାଙ୍କର ପୃଷ୍ଠାଏ ସହିତ ସମାନ ନୁହଁନ୍ତି । ଏପରି ସଫଳତା ଖୋଜୁଥିବା ବ୍ୟକ୍ତି ଶାନ୍ତି ପାଇବ ନାହିଁ । ଯଦି ସାହିତ୍ୟିକ ବା ଚିତ୍ରକର ବା ବିଜ୍ଞାନୀର କୃତି ମଣିଷ ଜୀବନକୁ ସରସ, ସରଳ, ସୁନ୍ଦର କରିଚାଲେ, ସବୁକାଳ ପାଇଁ ପ୍ରେରଣା ଦିଏ ତାହାହିଁ ସଫଳତା । ପୁରସ୍କାର ଏକ ସାମୟିକ ଖୁସି ବା ସନ୍ତୋଷ ଦେଇପାରେ । କିନ୍ତୁ ତାହା ଶାନ୍ତି ଦେବନାହିଁ ।
ସାଧାରଣ ମଣିଷ ମଧ୍ୟ ଶାନ୍ତି ଖୋଜେ । କିରାଣିଟିଏ ଯଦି ଝିଅପୁଅ ବାହାଘର କରିପାରିଛି ସେ ଭାବେ, ବାସ୍ ମୁଁ ପାରିଲି । ପୁଅ ଆଇଏଏସ, ଝିଅ ବାହା ହେଲା ଆଇପିଏସ୍ । ଏହା ମଧ୍ୟ ଏକ ସଫଳତା, କିନ୍ତୁ ଏହା ଶାନ୍ତି ଦେବନାହିଁ । ଶାନ୍ତି ଏକ ନିଷ୍କାମ ସ୍ଥିତି । ଯେଉଁ କର୍ମଦ୍ୱାରା ଲୋକେ ଜୀବନକୁ ସହଜ କରିବାର ଉପାୟ ପାଆନ୍ତି ତାହା ହିଁ ସଫଳତା । ଏବଂ ସେପରି କର୍ମ ଆତ୍ମସନ୍ତୋଷ ବ୍ୟତୀତ ଶାନ୍ତି ଦେବନାହିଁ । ଯୁଦ୍ଧର ଅନୁପସ୍ଥିତି ଶାନ୍ତି ନୁହେଁ । ମନେରଖିବାକୁ ହେବ ମଣିଷ ଯୁଦ୍ଧମୁକ୍ତ ହେବନାହିଁ । କିନ୍ତୁ ସଫଳତା ବିଫଳତାର ଊଦ୍ଧ୍ୱର୍ରେ ରହି ଯେ ଯୁଦ୍ଧଲିପ୍ତ ରହେ ତାର କର୍ମ ହିଁ ସଫଳ । ଗୀତାରେ ଶ୍ରୀକୃଷ୍ଣ ଏହି କଥା କୁହନ୍ତି । ଫଳନିର୍ଲିପ୍ତ ହୋଇ କର୍ମ କର । କିନ୍ତୁ ସାଧାରଣ ମଣିଷ ତାହା କରିପାରେ ନାହିଁ । ତେଣୁ ମୃତ୍ୟୁ ହିଁ ଶାନ୍ତି ଆଣେ ଯେଉଁଠି କିଛି ଘଟିବାର ସମ୍ଭାବନା ଆଉ ନଥାଏ । ଶେଷରେ ମୁଁ କହିବି ଶାନ୍ତି କଥା ନଭାବି ନିଜର ସ୍ୱାଭିମାନ କର୍ମ ଉପରେ ଗୁରୁତ୍ୱ ଦିଆଯାଉ । ଯେଉଁ ବ୍ୟକ୍ତି ମୁଣ୍ଡ ନନୁଆଁଇ ତାର କର୍ମ କରେ ସେ ନିଶ୍ଚୟ ଏକ ଶାନ୍ତି ପାଇବ ତାର ଜୀବନର ପ୍ରତ୍ୟେକ କ୍ଷେତ୍ରରେ । ଶାନ୍ତି କଥା ଭାବିଲେ ଅଶାନ୍ତି ହେବ । ତେଣୁ ନିଜ ଆତ୍ମାର ସନ୍ତୋଷ ପାଇଁ କର୍ମ କରିଯାଅ ନିଜ ଆତ୍ମାକୁ କଳୁଷିତ ନକରି ।