ପୁରୀ,୧୮/୦୭:  ପୁଣି ଏକ  ଇତିହାସ ପାଲଟିଲା ଚଳିତ ବର୍ଷର  ଶ୍ରୀଗୁଣ୍ଡିଚା ରଥଯାତ୍ରା । ଶ୍ରୀମନ୍ଦିର ବାଇଶି  ପାହାଚ ଗଡ଼ିବା ବେଳକୁ ଶ୍ରୀଜଗନ୍ନାଥଙ୍କ  ମୁଣ୍ଡରେ ନଥିଲା ଟାହିଆ । ଏହାକୁ କାଢ଼ି ରଖାଯିବା ଚର୍ଚ୍ଚାକୁ ବଢ଼ାଇଛି । ସେପଟେ ପହଣ୍ଡିରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବାରୁ ଚରମ ବିଶୃଙ୍ଖଳା  ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ମହାପ୍ରଭୁ ୪୦ ମିନିଟ୍‌ ଧରି ଆନନ୍ଦ ବଜାର ଗୁମୁଟରୁ ନ ଚଙ୍କିବାରୁ ଆଗରେ କିଛି  ସମୟ ପାଇଁ ଘଣ୍ଟ, ମର୍ଦ୍ଦଳ ବାଦନ ମଧ୍ୟ  ବନ୍ଦ ହୋଇଯାଇଥିଲା ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମୁଣ୍ଡରୁ ଭିତରୁ  ଟାହିଆ କାଢ଼ି ଦିଆଯିବା ସତ୍ୱଲିପି କିମ୍ବା  ପରମ୍ପରାକୁ କୌଣସି ଉଲ୍ଲଂଘନ କରିନାହିଁ ବୋଲି ସେବାୟତମାନେ ମତ ରଖିଛନ୍ତି ।  ତାହାଛଡ଼ା ଟାହିଆ ଭିତରୁ କାଢ଼ି ଦେବା ନେଇ ମଧ୍ୟ ପ୍ରଶାସନର କୌଣସି ନିର୍ଦ୍ଦେଶ  ନଥିଲା । ମହାପ୍ରଭୁ କ’ଣ ପାଇଁ ଗୁମୁଟ ଭିତରେ ୪୦ରୁ ୫୦ ମିନିଟ୍‌ ରହିଲେ ଓ କେଉଁ ଭକ୍ତଙ୍କ ପାଇଁ ସେ ଆଗକୁ ଆସିଲେନି ତାହା ଜଣାପଡ଼ିଲା ନାହିଁ । ପ୍ରବଳ ବର୍ଷାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପାଇଁ ରେନ୍‌କୋଟ୍‌ ଭଳି କାମ କରୁଥିବା ଗିଲାପିକୁ ଘୋଡ଼ାଇ ଦିଆଯିବା ନିମନ୍ତେ ଟାହିଆକୁ ଖୋଲାଯାଇଥିବା ସେବାୟତମାନେ କହିଥିଲେ  ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

 

ବରିଷ୍ଠ ସେବାୟତ ତଥା ବିଶ୍ୱାବସୁ ବିନାୟକ  ଦାସମହାପାତ୍ର କହିଛନ୍ତି, ମଠରୁ ଟାହିଆ ଆସି ଶ୍ରୀମନ୍ଦିରରେ ପହଞ୍ଚିବା ବେଳକୁ ଓଦା ହୋଇସାରିଥିଲା । ଏହାକୁ ଲକ୍ଷ୍ମୀଙ୍କ ମନ୍ଦିରରେ ରଖାଯାଇଥିଲା । ସାତପାହାଚକୁ ଆସିବା ପରେ ଶ୍ରୀଜଗନ୍ନାଥ ମୁଣ୍ଡରେ ଟାହିଆ ଲଗାଯାଇଥିଲା । ଏହା ପରଠାରୁ ପ୍ରବଳ ବର୍ଷା ହେବାରୁ ସୋଲ ଓ  ବାଉଁଶ ପତିଆରେ ତିଆରି ଟାହିଆ ନଷ୍ଟ ହେବା ଆରମ୍ଭ  ହୋଇଥିଲା । ବାଉଁଶ ପାତିଆରୁ ସୋଲ ଫୁଲଗୁଡ଼ିକ ବାହାରି  ତଳେ ଏଣେତେଣେ ପଡ଼ିଥିଲା । ସେପଟେ ଆନନ୍ଦ ବଜାର  ଗୁମୁଟରେ ମହାପ୍ରଭୁ ପହଞ୍ଚିବା ପରେ ଆଉ ଆଗକୁ ଚଙ୍କି ନଥିଲେ । ଏଠାରେ ପ୍ରାୟ ୪୦ରୁ ୪୫ ମିନିଟ୍‌ ଯିଏ ଯେତେ  ଭିଡ଼ିଥିଲେ ବି ମହାପ୍ରଭୁ ଆଗକୁ ଯାଇନଥିଲେ । ଶେଷରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନିମନ୍ତେ ମୁଣ୍ଡରେ ଗିଲାପି ପଡ଼ିଥିଲା । ଏହି ସମୟରେ ବାଉଁଶ ପାତିଆଗୁଡ଼ିକ କେତେକ ସେବାୟତଙ୍କ ଦେହରେ ବାଜିଥିଲା । ତେଣୁ  ପହଣ୍ଡି କରୁଥିବା ସେବାୟତଙ୍କ ସୁରକ୍ଷା ଦୃଷ୍ଟିକୋଣରୁ  ଏଠାରେ ଟାହିଆକୁ ବାହାର କରି ଦିଆଯାଇଥିଲା ।  

ସେହିପରି ପ୍ରବଳ ବର୍ଷାରେ ବିଜେ ଡୋରି ମିଳାଇଯିବା  ଭୟ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପାଣି  ପଶିଗଲେ ଏହା ବିପଦ ସୃଷ୍ଟି କରିବା ଆଶଙ୍କା ମଧ୍ୟ ଥିଲା ।  ସେତେବେଳକୁ ଶ୍ରୀଜଗନ୍ନାଥ ପାଖରେ ବହୁ ସେବାୟତଙ୍କ  ଭିଡ଼ ରହିଥିଲା । ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସେବାୟତ  ପହଣ୍ଡିରେ ସାମିଲ ହୋଇଥିଲେ । ଫଳରେ ମହାପ୍ରଭୁଙ୍କ  ଆଡ଼କୁ ସମସ୍ତେ ମାଡ଼ି ଆସିବାରୁ ଭାର ବହନ କରି ପହଣ୍ଡି  କରାଇବା କଷ୍ଟକର ହୋଇଥିଲା । ମହାପ୍ରଭୁଙ୍କ ଏଠାରେ  ଯେତେ ଭିଡ଼ି ଆଗକୁ ଆଣିବାକୁ ଚେଷ୍ଟା କରାଯାଇଥିଲା ସେ  ଆଦୌ ଚଙ୍କି ନଥିଲେ । ପ୍ରାୟ ୪୦ ମିନିଟ୍‌ରୁ ଅଧିକ ସମୟ  ସମସ୍ତେ ଝାଳନାଳ ହୋଇ ନିରାଶ ହୋଇଥିଲେ । ପରେ  ଠାକୁରଙ୍କୁ ସମସ୍ତେ ବିନତି କରିବାରୁ ସେ ଆଗକୁ ଧୀରେ  ଧୀରେ ବଢ଼ିଥିଲେ । କେଉଁ ଭକ୍ତଙ୍କ ପାଇଁ ସେ ଅଟକିବାର  ଲୀଳା କରିଲେ ସେ ଜାଣିଥିବେ ବୋଲି କହିଛନ୍ତି ବିଶ୍ୱାବସୁ  ଶ୍ରୀ ଦାସମହାପାତ୍ର । ଗତକାଲି ବର୍ଷାରେ ବଡ଼ଠାକୁରଙ୍କ  ପହଣ୍ଡି ହୋଇଥିଲେ । ହେଲେ ପହଣ୍ଡି ବେଳେ ତାଙ୍କ  ଟାହିଆ ସୁରକ୍ଷିତ ରହିଥିଲା । ରଥାରୂଢ଼ ହେବା ପର୍ଯ୍ୟନ୍ତ  ମଧ୍ୟ ତାଙ୍କ ଟାହିଆ ମସ୍ତକରେ ଶୋଭା ପାଉଥିଲା । ହେଲେ  ଶ୍ରୀଜଗନ୍ନାଥଙ୍କ ଟାହିଆ କିପରି ବର୍ଷାରେ ଶ୍ରୀମନ୍ଦିର ଭିତରେ  ମିଳେଇଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ବରିଷ୍ଠ ଦଇତାପତି ତଥା ବିଶ୍ୱାବସୁ ବିନାୟକ ଦାସ  ମହାପାତ୍ର କହିଛନ୍ତି, ବଡ଼ ଠାକୁରଙ୍କ ପହଣ୍ଡି ବେଳେ  କମ୍‌ ବର୍ଷା ହେଉଥିଲା । ତେଣୁ ତାଙ୍କ ଟାହିଆ ବିଶେଷ  ଖରାପ ହୋଇନଥିଲା । ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ  ପହଣ୍ଡି ବେଳେ ପ୍ରବଳ ବର୍ଷା ହେବାରୁ ତାଙ୍କ ଟାହିଆ  ଶୀଘ୍ର ନଷ୍ଟ ହୋଇଯାଇଥିଲା । ଏହାଛଡ଼ା ଶ୍ରୀଜଗନ୍ନାଥଙ୍କ  ଅଙ୍ଗ ସୁରକ୍ଷା ନିମନ୍ତେ ଗିଲାପି ପକାଇବା ଓ ଟାହିଆରେ  ବ୍ୟବହାର ହୋଇଥିବା ବାଉଁଶ ପାତିଆ ବାଜି ପହଣ୍ଡି  କରୁଥିବା ସେବାୟତଙ୍କ ଅଙ୍ଗରେ କ୍ଷତ ହେବା ଆଶଙ୍କା  ଥିବାରୁ ଏହାର ସୁରକ୍ଷା ନିମନ୍ତେ ଟାହିଆ ଖୋଲା ଯାଇଥିଲା ।  ମାତ୍ର ଶ୍ରୀବଳଭଦ୍ରଙ୍କ ପହଣ୍ଡି ବେଳେ ଏଭଳି ଅଘଟଣ କିମ୍ବା  ସୁରକ୍ଷା କଥା ସାମ୍ନାକୁ ଆସିନଥିଲା ।

ଅଧିକ ପଢ଼ନ୍ତୁ :-  Ratha yatra 2026: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମ, ରବିବାରଠୁ ମିଳିବ ଆଡ଼ପ ଦର୍ଶନ, ଅବଢ଼ା

ଆଇନଜୀବୀ ଦିଲ୍ଲୀପ ବରାଳ କହିଛନ୍ତି, ସେବାୟତମାନେ  ଟାହିଆ କାଢ଼ିବା ନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ  ଜଣାନଥିଲେ କିମ୍ବା ତାଙ୍କ ସହମତି ନେଇନଥିଲେ । ଏଠାରୁ  ହିଁ ସମନ୍ୱୟର ଅଭାବ ଦେଖା ଦେଇଥିଲା । ନବଯୌବନ  ଦର୍ଶନ ଦିନଠାରୁ ଭକ୍ତଙ୍କ ଭାବାବେଗକୁ ଆଘାତ ଦିଆଯାଇ  ସାଧାରଣ ଦର୍ଶନ ବ୍ୟବସ୍ଥାକୁ ସଙ୍କୁଚିତ କରାଯାଇଥିଲା ।  ଶ୍ରୀଗୁଣ୍ଡିଚା ଦିନ ବହୁ ଗଳାବାଟରେ ବିନା ପାସ୍‌ ଧାରୀଙ୍କୁ ରଥ  ନିକଟକୁ ନିଆଯାଇଥିଲା । ହେଲେ ସାଧାରଣ ଶ୍ରଦ୍ଧାଳୁଙ୍କୁ ବହୁ  ଦୂରରେ ରଖାଯାଇଥିଲା । ମହାପ୍ରଭୁଙ୍କ ନିକଟକୁ ଯିବା ପାଇଁ  ଉଦ୍ୟମ କରି କିଛି ଭକ୍ତ ଦଳାଚକଟାରେ ମଲେ ଓ ବହୁ  ଆହତ ହୋଇଛନ୍ତି । ଏନେଇ ଭକ୍ତ ଭଗବାନଙ୍କୁ ଜଣାଇଥିଲେ ।  ଭଗବାନ ହଟ ଭିଆଇ ଅହଂଙ୍କାରୀଙ୍କ ଅହଙ୍କାର ଭାଙ୍ଗିଛନ୍ତି  ବୋଲି ଶ୍ରୀ ବରାଳ କହିଛନ୍ତି ।