ଭୁବନେଶ୍ୱର,୧୩/୧୨(ଅମନ ଆୟୁଷ୍ମାନ ଦାସ): ଖୁବ୍ଶୀଘ୍ର ଓୟୁଏଟିସ୍ଥିତ ଏନ୍ସିସି ଘୋଡ଼ାଶାଳକୁ ଆସିବେ ଦୁଇ ନୂଆ ଘୋଡ଼ା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଘୋଡ଼ା ଦ୍ୱୟ ସେନାରୁ ତାଲିମପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଅଧିକ ଘୋଡ଼ା ଆସିଲେ ଏନ୍ସିସିରେ ଅଶ୍ୱ ଚାଳନା ପ୍ରଶିକ୍ଷଣ ମଧ୍ୟ ବ୍ୟାପକ ହେବ । ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଦୁଇ ଘୋଡା ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବେ ବୋଲି ଓୟୁଏଟି ପରିସରରେ ଥିବା ‘୧ ଓଡ଼ିଶା ଆର୍ ଆଣ୍ଡ ଭି (ରିମୋଟ ଭେଟେରନାରୀ) ସ୍କ୍ୱାର୍ଡନ୍ ଏନ୍ସିସି’ ପକ୍ଷରୁ ସୂଚନା ମିଳିଛି ।
ଓୟୁଏଟି ଭେଟେରନାରୀ ପଡ଼ିଆରେ ଦୀର୍ଘ ୫୭ବର୍ଷ ହେଲାଣି ଅଶ୍ୱଚାଳନା ପ୍ରଶିକ୍ଷଣ ଦିଆଯାଉଛି । ଏହି ତାଲିମ କେନ୍ଦ୍ରଟି ଓଡ଼ିଶାରେ ଏକମାତ୍ର ହୋଇଥିବା ବେଳେ ସାରା ଦେଶରେ ୧୫ତମ କେନ୍ଦ୍ର । ଯେଉଁମାନେ ଏନ୍ସିସିରେ ସାମିଲ ହୋଇଛନ୍ତି, କେବଳ ସେହିମାନେ ହିଁ ଅଶ୍ୱାରୋହୀ ହେବା ପାଇଁ ଏଠାରେ ପ୍ରଶିକ୍ଷଣ ନିଅନ୍ତି । ଘୋଡ଼ାରେ ଚଢ଼ି ପ୍ରଶିକ୍ଷଣ ନେଉଥିବା ଏନ୍ସିସି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସେନାରେ ଭର୍ତ୍ତି ହେବା ପାଇଁ ଲକ୍ଷ୍ୟ ରଖିଥାନ୍ତି ।
ବର୍ତ୍ତମାନ ସୁଦ୍ଧା ଏଠାରେ ମୋଟ ୧୧ଟି ଘୋଡ଼ା ଅଛନ୍ତି । ଗତବର୍ଷ ୧୨ଟି ଥିବା ବେଳେ ସେଥିରୁ ଗୋଟିଏ ଘୋଡ଼ାର ମୃତ୍ୟୁ ଘଟିଥିଲା । ଏହି ସମସ୍ତ ଘୋଡ଼ା ଭାରତୀୟ ତଥା ଥୋରୋ ପ୍ରଜାତିର ହୋଇଥିବା ବେଳେ ସମସ୍ତେ ସାଙ୍ଗ ହୋଇ ରହୁଛନ୍ତି । ଘୋଡ଼ାଶାଳରେ ଘୋଡ଼ାଙ୍କ ପାଇଁ ଖାଦ୍ୟ, ଜଳ, ଔଷଧର ବ୍ୟବସ୍ଥା ହୋଇଛି । ଓୟୁଏଟି ପ୍ରାଣୀ ଚିକିତ୍ସା ଅଧିକାରୀ ମଧ୍ୟ ଘୋଡ଼ାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି । ଶେଷଥର ପାଇଁ ୨୦୧୨ରେ ଓୟୁଏଟି ଘୋଡ଼ାଶାଳକୁ ଦୁଇଟି ଘୋଡ଼ା ଆସିଥିଲେ । ଦୀର୍ଘ ୧୩ବର୍ଷ ପରେ ପୁଣି ଘୋଡ଼ା ଖବର ଆସିବା ପରେ ଏନ୍ସିସି ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହର ଖେଳିଯାଇଛି ।
ପ୍ରକାଶ ଥାଉକି, ଏହି ୟୁନିଟରେ ପ୍ରତିବର୍ଷ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଏନସିସି କ୍ୟାଡେଟ୍ ମୋଟ ୩ବର୍ଷ ଧରି ଘୋଡ଼ା ଚାଳନା ତାଲିମ ନିଅନ୍ତି । କେବଳ ସେତିକି ନୁହେଁ, ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ଏନ୍ସିସି ୟୁନିଟରୁ ୫ଜଣ କ୍ୟାଡେଟ୍ ଓ ଏକ ପ୍ରଶିକ୍ଷିତ ଘୋଡ଼ା ଦିଲ୍ଲୀ ପରେଡକୁ ଯାଇ ଭାଗ ନିଅନ୍ତି ।