ଆଜି ବିଶ୍ୱ ସଙ୍ଗୀତ ଦିବସ; ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ସ୍ୱୀକୃତି

ଭୁବନେଶ୍ବର,୨୦ା୬(ବ୍ୟୁରୋ): ଓଡ଼ିଶୀକୁ ମିଳିବ ଶାସ୍ତ୍ରୀୟ ସ୍ୱୀକୃତି । ଏ ଆଶା ଆଉ ଆଶ୍ୱାସନା ନେଇ ସମସ୍ତେ ଚାହିଁ ରହିଛନ୍ତି । ବହୁ ତର୍କବିତର୍କ, ଆଲୋଚନା, ପର୍ଯ୍ୟାଲୋଚନା ଭିତରେ ଦୁଇଥର କେନ୍ଦ୍ରକୁ ପଠାଗଲାଣି ରିପୋର୍ଟ । କିନ୍ତୁ ମିଳୁନି କୌଣସି ଉତ୍ତର । ଏବେ ପୁଣି ସେପ୍ଟେମ୍ବରରେ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ବହି ଛାପି କେନ୍ଦ୍ରକୁ ପଠାଇବାକୁ ସ୍ଥିର କରିଛି ଓଡ଼ିଶୀ ଗବେଷଣା କେନ୍ଦ୍ର । ଯାହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟନିର୍ବାହୀ ଅଧ୍ୟାପିକା ଡ. ସଙ୍ଗୀତା ଗୋସାଇଁ କହିଛନ୍ତି ।
ଡ. ଗୋସାଇଁ କହିଛନ୍ତି, ମାନ୍ୟତାଟା କେବେ ବି ଲିଖିତ ସ୍ୱୀକୃତି ନୁହେଁ । ତେଣୁ ଆମେ ସ୍ୱୀକୃତିକୁ ଅପେକ୍ଷା ନକରି ଅଧିକରୁ ଅଧିକ ଗାୟକ, ଗାୟିକାଙ୍କୁ ସୃଷ୍ଟି କରିବା । ଶାସ୍ତ୍ରୀୟତା ଆଧାରରେ ଓଡ଼ିଶୀର ସମସ୍ତ ରାଗ, ରାଗିଣୀକୁ ନେଇ ଗାଇବା । ଏହା ସତ୍ୟ ଏବଂ ଖୁସିର କଥା, ଧୀରେ ଧୀରେ ଓଡ଼ିଶୀ ସଙ୍ଗୀତ ଲୋକାଦୃତ ହେବାରେ ଲାଗିଛି । ୩-୪ଟି ବହୁତ ବଡ଼ ବଡ଼ ଶାସ୍ତ୍ରୀୟ ଉତ୍ସବରେ ବି ଓଡ଼ିଶୀ ସଙ୍ଗୀତ ପରିବେଷଣ ଲାଗି ସୁଯୋଗ ମିଳିଲାନି । ଏହି ଧାରାରେ ଆଉ ଟିକେ ଆଗକୁ ଯାଇ ନିକଟ ଅତୀତରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଥରେ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ଥରେ ରିପୋର୍ଟ ପ୍ରସ୍ତୁତ କରି ସଂସ୍କୃତି ମନ୍ତ୍ରଣାଳୟ ନିକଟକୁ ପଠାଯାଇଥିଲା । ମାତ୍ରା ତାହା ୧୦ପୃଷ୍ଠାର ଥିବାରୁ ତାକୁ ପନର୍ବାର ଏକ ବହି ରୂପରେ ପ୍ରସ୍ତୁତ କରାଯାଇ ପଠାଯିବ । ସାଙ୍ଗଠନିକ ଉଦ୍ୟମରେ ବହୁ ବିଶେଷଜ୍ଞ, ଗବେଷକ ଓ ଶିଳ୍ପୀଙ୍କୁ ନେଇ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେତେଦୂର ସମ୍ଭବ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ରିପୋର୍ଟ ପଠାଯିବ । ବୋଧ ହୁଏ ଏହାପରେ ଅନ୍ତତଃ ଏ ଦ୍ୱନ୍ଦ୍ୱ ରହିବନି । ସମସ୍ତେ ଏହା ବି ଜାଣିବା ଦରକାର ଯେ, ଶାସ୍ତ୍ରୀୟତାର ମାପ କାଠି ମାନ୍ୟତା ନୁହେଁ । ଓଡ଼ିଶୀ ସଙ୍ଗୀତ ଆରମ୍ଭରୁ ଶାସ୍ତ୍ରୀୟ ଶୈଳୀରେ ଗାୟନ ହେଇଆସୁଛି ବୋଲି ଡ. ଗୋସାଇଁ କହିଛନ୍ତି । କିନ୍ତୁ, ଏହାପରେ ବି ଜାତୀୟସ୍ତରରେ ଓଡ଼ିଶୀ ଗାୟନ ଶୈଳୀ ଓ ଗାୟକଙ୍କୁ ସେହି ମାନ୍ୟତା ମିଳୁନି । ତୁଳନାତ୍ମକ ଦୃଷ୍ଟିରୁ ଚିନ୍ତା କଲେ ବିଭିନ୍ନ ଫେଲୋସିପ୍ ଏବଂ ପୁରସ୍କାର, ସମ୍ମାନରେ ତାହା ସ୍ପଷ୍ଟ ବାରି ହୋଇପଡ଼େ । ତେଣୁ ସରକାର ଯଥାଶୀଘ୍ର ଉଦ୍ୟମ କରନ୍ତୁ । ଓଡ଼ିଶୀ ନୃତ୍ୟ, ଓଡ଼ିଆ ଭାଷା ପରି ସଙ୍ଗୀତକୁ ମାନ୍ୟତା ଦିଅନ୍ତୁ ।
ଅନ୍ୟପକ୍ଷରେ ସମାଲୋଚକ କହିଛନ୍ତି, ଓଡ଼ିଶୀ ନୃତ୍ୟ ପାଇଲା, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ହେଲେ ସଙ୍ଗୀତକୁ ମାନ୍ୟତା ନାହିଁ? ସରକାର ଗୋଟିଏ କମିଟି ଗଢ଼ୁଛନ୍ତି । ସେ କମିଟି କିଛିଦିନ ଧରି କାର୍ଯ୍ୟ କରୁଛି, ତା’ପରେ କମିଟି କୁଆଡ଼େ ଯାଉଛି ଜଣାପଡ଼ୁନି । କିଏ କହୁଛି ଗୁରୁମାନଙ୍କ ଭିତରେ ତାଳ ମେଳ ରହିଲାନି । ଆଉ କିଏ କହୁଛି ସୃଜନଶୀଳ ଶିଳ୍ପୀଙ୍କ ଅଭାବ ରହିଛି । ଏହି ଭିତରେ ଶାସ୍ତ୍ରୀୟ ମାନ୍ୟତା ଖୋଜୁଛି ଓଡ଼ିଶୀ ସଙ୍ଗୀତ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇବା ନେଇ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ୧୯୮୬ ମସିହାରୁ ଆଜି ପର୍ଯ୍ୟନ୍ତ ୧୨୦ ଥରରୁ ଅଧିକ ହେବ ଆଲୋଚନାଚକ୍ର ଅନୁଷ୍ଠିତ ହେଲାଣି । ପୂର୍ବରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଚିତ୍ତରଞ୍ଜନ ମଲ୍ଲିଆ ଥିଲାବେଳେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ କମିଟି ଗଠନ ହୋଇଥିଲା । ୨୩ଜଣ ସଙ୍ଗୀତଜ୍ଞ, ଗବେଷକ ଓ ସମୀକ୍ଷକଙ୍କୁ ସଙ୍ଗୀତ ଆଧାରିତ ୨୫ରୁ ଊଦ୍ଧ୍ୱର୍ ବିଷୟରେ ସନ୍ଦର୍ଭ ଲେଖିବାକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଫାଇଲ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ସେବେଠାରୁ ଗବେଷଣା କେନ୍ଦ୍ର ତା’ର ଦାୟିତ୍ୱ ନେଇ କାର୍ଯ୍ୟକ୍ରମ ଜାରି ରଖିଛି ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଗୁରୁ ଡ. ବିଜୟ କୁମାର ଜେନା କହିଛନ୍ତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ତ୍ରିଧାରା’ କାର୍ଯ୍ୟକ୍ରମ କରାଯିବ, ଯିଏ ସର୍ବସମ୍ମୁଖରେ ପ୍ରମାଣ କରିବ ପ୍ରକୃତରେ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ କି ନୁହେଁ । ଗୋଟିଏ ମଞ୍ଚରେ ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଏବଂ ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯିବ ।