ନୂଆଦିଲ୍ଲୀ,୧।୬: ସାରା ବିଶ୍ୱ ଦେଖୁଛି ଯୁଦ୍ଧ ବିଭୀଷିକା। ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷ ଜାରି ରହିଛି। ନିକଟରେ ଆରମ୍ଭ ହୋଇଛି ଆମେରିକା-ଇସ୍ରାଏଲ ଏବଂ ଇରାନ ସଂଘର୍ଷ। ଯାହାର ଏପର୍ଯ୍ୟନ୍ତ ବାହାରି ପାରିନି କୌଣସି ପ୍ରକାର ସମାଧାନର ବାଟ । ମଧ୍ୟ ପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସାରା ବିଶ୍ବର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଛି। ଏହା ପୂର୍ବରୁ ୨୦୨୨ ରେ ଆରମ୍ଭ ହୋଇଥିଲା ଋଷ- ୟୁକ୍ରେନ ଯୁଦ୍ଧ, ଯାହାକି ଏ ପର୍ଯ୍ୟନ୍ତ ବି ଜାରି ରହିଛି। ତେବେ ଜାଣନ୍ତି କି ଇତିହାସରେ ସବୁଠାରୁ ଲମ୍ବା ଯୁଦ୍ଧ କେତେ ବର୍ଷ ଚାଲିଥିଲା ? ଯାହାକୁ ‘ରେକନକିଷ୍ଟା’ କୁହାଯାଏ, ଯାହାର ସ୍ପେନିଶ ଏବଂ ପର୍ତ୍ତୁଗୀଜରେ ଅର୍ଥ ହେଉଛି ‘ପୁନଃ ବିଜୟ’। ଏହା ପ୍ରାୟ ୭୮୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।
ବିଶ୍ବର ସବୁଠାରୁ ଦୀର୍ଘତ୍ତମ ଯୁଦ୍ଧ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଲାଗିଥିଲା ଶତାବ୍ଦୀ ଶତାବ୍ଦୀର ସମୟ। ଐତିହାସିକଙ୍କ ମତରେ ଏହି ବଡ଼ ସଂଘର୍ଷ ୭୧୧ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା। ଶେଷରେ ୧୪୯୨ ଖ୍ରୀଷ୍ଟାବ୍ଦରେ ହୋଇଥିଲା ଶେଷ । ଏହି ଯୁଦ୍ଧ ଖ୍ରୀଷ୍ଟିଆନ୍ ରାଜ୍ୟ ଓ ମୁସଲିମ୍ ମୁର୍ସଙ୍କ ଭିତରେ ଆଇବୋରିଆନ୍ ଉପଦ୍ୱୀପ ହାସଲ କରିବାକୁ ଲଢାଯାଇଥିଲା। ଏହି ଉପଦ୍ୱୀପରେ ଆଧୁନିକ ସମୟର ସ୍ପେନ୍ ଓ ପର୍ତ୍ତୁଗାଲ ରହିଛନ୍ତି। ଏହା ୭୧୮ ଖ୍ରୀଷ୍ଟାବ୍ଦରେ ‘କୋଭାଡୋଙ୍ଗା’ ଯୁଦ୍ଧରୁ ଆରମ୍ଭ ହୋଇ ୧୪୯୨ ଖ୍ରୀଷ୍ଟାବ୍ଦରେ ‘ଗ୍ରାନାଡା’ ବିଜୟ ସହିତ ସମାପ୍ତ ହୋଇଥିଲା
୭୨୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ‘କୋଭାଡୋଙ୍ଗା’ ଯୁଦ୍ଧରେ ଖ୍ରୀଷ୍ଟିଆନମାନେ ପ୍ରଥମ ବିଜୟ ଲାଭ କରିଥିଲେ। ’ରେକନକିଷ୍ଟା’ ଲଗାତାର ଚାଲିଥିବା କୌଣସି ଗୋଟିଏ ଯୁଦ୍ଧ ନଥିଲା, ବରଂ ଶହ ଶହ ବର୍ଷ ଧରି ଚାଲିଥିବା ଅନେକ ଛୋଟ ବଡ଼ ଯୁଦ୍ଧ ଓ ଅଭିଯାନର ଥିଲା ଏକ ସମଷ୍ଟି। ଏଥିରେ ଯୁଦ୍ଧ, ସନ୍ଧି, ମେଣ୍ଟ ଏବଂ ରାଜନୈତିକ ପରିବର୍ତ୍ତନର ଏକ ଲମ୍ବା ଧାରା ସାମିଲ ଥିଲା। ୧୫ଶ ଶତାବ୍ଦୀ ଆସୁ ଆସୁ ଆଇବୋରିଆନ୍ ଉପଦ୍ୱୀପର କେବଳ ଗ୍ରାନାଡା ନାମକ ମୁସଲିମ୍ ରାଜ୍ୟ ହିଁ ମୁରୋଙ୍କ ନିୟନ୍ତ୍ରଣରେ ରହିଥିଲା। ଏହି ସଂଘର୍ଷର ଏକ ନିର୍ଣ୍ଣାୟକ ମୋଡ଼ ଥିଲା କାଷ୍ଟିଲ୍ର ଇସାବେଲା ପ୍ରଥମ ଏବଂ ଆରାଗନ୍ର ଫର୍ଡିନାଣ୍ଡ ଦ୍ୱିତୀୟଙ୍କ ବିବାହ। ଏହି ବିବାହ ଦୁଇଟି ପ୍ରମୁଖ ଖ୍ରୀଷ୍ଟିଆନ୍ ରାଜ୍ୟ ମଧ୍ୟରେ ଏକ ଶକ୍ତିଶାଳୀ ମେଣ୍ଟ ସୃଷ୍ଟି କରିଥିଲା। ୧୪୯୨ ରେ ଏହି ଦୁଇ ମିଳିତ ସେନା ଗ୍ରାନାଡାକୁ ଚାରିପଟୁ ଘେରି ନେଇଥିଲେ। ଗ୍ରାନାଡାର ଶେଷ ମୁସଲିମ୍ ଶାସକ ମହମ୍ମଦ ଦ୍ୱାଦଶ, ଆତ୍ମସମର୍ପଣ କରିଥିଲେ ଏବଂ ପ୍ରସିଦ୍ଧ ଆଲହାମ୍ବ୍ରା ମହଲର ଚାବି ଖ୍ରୀଷ୍ଟିଆନ ଶାସକମାନଙ୍କୁ କରିଥିଲେ ହସ୍ତାନ୍ତର ।
ଏହି ଯୁଦ୍ଧ ଅନ୍ତ ଘଟାଇଥିଲା ୮୦୦ ବର୍ଷର ମୁସଲିମ ଶାସନର ଅନ୍ତ । ଖ୍ରୀଷ୍ଟିଆନ ରାଜ୍ୟଗୁଡ଼ିକର ବିଜୟ ଏହି ଅଞ୍ଚଳର ଭବିଷ୍ୟତକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା । ଯୁଦ୍ଧ ଶେଷ ହେବା ପରେ, ସ୍ପେନ୍ ଏବଂ ପର୍ତ୍ତୁଗାଲ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହେଲେ। ସମଗ୍ର ଉପଦ୍ୱୀପରେ ଖ୍ରୀଷ୍ଟିଆନ ସଂସ୍କୃତି ପୁନଃପ୍ରତିଷ୍ଠିତ ହୋଇଥିଲା। ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନ ପରେ ୟୁରୋପ ଆବିଷ୍କାର ଯୁଗରେ ପ୍ରବେଶ କରିଥିଲା।