ନୂଆଦିଲ୍ଲୀ ୨୧/୦୫: ମାଲାୟାଲମ୍ ସିନେ ଦୁନିଆରେ ପ୍ରବେଶ କରିଛନ୍ତି ଅଭିନେତ୍ରୀ-ମଡେଲ ଯୁକ୍ତି ଥରେଜା । ଇମ୍ରାନ ହାଶମିଙ୍କ ଅପୋଜିଟ୍ରେ ଟି-ସିରିଜ୍ ଗୀତ ‘ଲୁଟ୍ ଗୟେ’ ଲାଗି ବେଶ ପରିଚିତି ପାଇଥିବା ଯୁକ୍ତି ଏକ ମାଲାୟାଲମ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଉନ୍ନି ମୁକୁନ୍ଦନ୍ଙ୍କ ଅଭିନୀତ ଫିଲ୍ମ ‘ମାର୍କୋ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲାଗି ତାଙ୍କୁ ଚୟନ କରାଯାଇଛି । ଯୁକ୍ତିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ମାଧ୍ୟରେ ଫିଲ୍ମର ନିର୍ମାତା ଏହା ସ୍ପଷ୍ଟ କରିଛନ୍ତି । ପୋଷ୍ଟ୍ ଜରିଆରେ ସେମାନେ ଯୁକ୍ତିଙ୍କୁ ଏହି ପ୍ରୋଜେକ୍ଟକୁ ସ୍ୱାଗତ ଜଣାଇଛନ୍ତି ।
ଯୁକ୍ତି ୨୦୧୯ ମସିହାରେ ଏମ୍ଟିଭି ସୁପର ମଡେଲ ଅଫ୍ ଦ ଇୟର୍ରେ ପ୍ରତିଯୋଗିତା କରିଥିଲେ । ତେଲୁଗୁ ଫିଲ୍ମ ‘ରଙ୍ଗବଲି’ ଓ ‘କେଜେକ୍ୟୁ’ରେ ମଧ୍ୟ ସେ କାମ କରିଥିଲେ । ତେବେ ତନିସ୍କଙ୍କ ରଚିତ ରୋମାଣ୍ଟିକ୍ ଗୀତ ‘ଲୁଟ୍ ଗୟେ’ରେ ଇମ୍ରାନ ହାଶମିଙ୍କ ଅପୋଜିଟ୍ରେ ନଜର ଆସିବା ପରେ ରାତାରାତି ତାଙ୍କ ଲୋକପ୍ରିୟତା ବଢ଼ିଥିଲା । ହନିଫ ଆଦେନିଙ୍କ ନିର୍ଦ୍ଦେଶିତ ‘ମାର୍କୋ’ ଏକ ଆକ୍ସନ୍ ଏଣ୍ଟର୍ଟେନର ହେବ । ଉନ୍ନି ମୁକୁନ୍ଦନ ଗ୍ୟାଙ୍ଗ୍ଷ୍ଟର ମାର୍କୋ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ସିଡ୍ୟୁଲର ସୁଟିଂ ମୁନ୍ନାରରେ ଶେଷ ହୋଇଛି ।