ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ମୁମ୍ବାଇ ୯ ରନ୍ରେ ବିଜୟୀ ହୋଇଛି । ହେଲେ ମ୍ୟାଚ୍ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜୋରଦାର ଝଟକା ଲାଗିଛି । ଚଳିତ ଆଇପିଏଲ୍ ସିଜନ୍ରେ ପ୍ରଥମ ଥର ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଧିମା ବୋଲିଂ କରିଛି । ସ୍ଲୋ ଓଭର ରେଟ୍ ଲାଗି ପାଣ୍ଡ୍ୟାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି ବିସିସିଆଇ । ଆଇପିଏଲ୍ର କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପାଣ୍ଡ୍ୟାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି ବୋଲି ବିସିସିଆଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବରୁ ସ୍ଲୋ ଓଭର ରେଟ୍ ଲାଗି କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ଜରିମାନା ଲାଗିଥିଲା । ଏପ୍ରିଲ ୧୬ରେ ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷରେ କେକେଆର ଧିମା ବୋଲିଂ କରିଥିଲା । ଫଳରେ ଟିମ୍ର ଅଧିନାୟକ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲା ବିସିସିଆଇ । ଚଳିତ ସିଜନ୍ରେ ସବୁଠୁ ଅଧିକ ୨୪ ଲକ୍ଷ ଟଙ୍କା ଜରିମାନା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତଙ୍କ ଉପରେ ଲାଗିଛି । ଏପରିକି ଟିମ୍ର ବାକି ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା ଲେଖାଏ କିମ୍ବା ମ୍ୟାଚ ଫିର ୨୫ ପ୍ରତିଶତ ଅର୍ଥ କାଟିଛି ବିସିସିଆଇ ।
ଏପ୍ରିଲ ୩ରେ ଦିଲ୍ଲୀ କ୍ୟାପିଟାଲ୍ସ, କେକେଆର ବିପକ୍ଷରେ ଧିମା ବୋଲିଂ କରି ଫସିଥିଲା । ସେହି ମ୍ୟାଚ୍ କେକେଆର ପାଖରୁ ୧୦୬ ରନରେ ପରାସ୍ତ ହୋଇଥିଲା । ଆଇପିଏଲରେ ଲଗାତାର ଦୁଇ ଥର ସ୍ଲୋ ଓଭର ରେଟ୍ ଲାଗି ଉଭୟ ଅଧିନାୟକ ଏବଂ ଟିମ୍ ଉପରେ ଆକ୍ସନ ନେଇଥିଲା ବିସିସିଆଇ । ଏହା ପୂର୍ବରୁ ଚେନ୍ନାଇ ବିପକ୍ଷରେ ଧିମା ବୋଲିଂ ପାଇଁ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଥିଲା । ସେହିଭଳି ସଞ୍ଜୁ ସାମସନ ଏବଂ ଶୁଭମନ ଗିଲଙ୍କ ଉପରେ ୧୨ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲଗାଇସାରିଛି ବିସିସିଆଇ ।