ମାଲକାନଗିରି,୨୬/୪ ଦିଲ୍ଲୀ ଠାରେ ଆୟୋଜିତ ଜାତୀୟସ୍ତରୀୟ ମ୍ୟାଲେରିଆ ପ୍ରବନ୍ଧ ପ୍ରତିଯୋଗିତାରେ ମାଲକାନଗିରି ସ୍ୱାସ୍ଥ୍ୟବିଭାଗକୁ ମିଳିଛି ପ୍ରଥମ ପୁରସ୍କାର। ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଦିଲ୍ଲୀ ଠାରେ ଆୟୋଜିତ ଜାତୀୟସ୍ତରୀୟ ମ୍ୟାଲେରିଆ ପ୍ରବନ୍ଧ ପ୍ରତିଯୋଗିତାରେ ମାଲକାନଗିରି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମ୍ୟାଲେରିଆ ବିଭାଗ ଡାକ୍ତର ଧନେଶ୍ୱର ମହାପାତ୍ର ଯୋଗ ଦେଇଥିଲେ । ସେଠାରେ ଭାରତର ସବୁରାଜ୍ୟରୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମ୍ୟାଲେରିଆ ରୋଗ ଓ ଏହାର ପ୍ରତିକାର ସମ୍ପର୍କରେ ଜାତୀୟ ସ୍ତରରେ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲାରୁ ଡାକ୍ତର ଧନେଶ୍ୱର ମହାପାତ୍ର ସୁନ୍ଦର ଭାବେ ମ୍ୟାଲେରିଆ ରୋଗ ଓ ପ୍ରତିକାର ସମ୍ପର୍କରେ ପ୍ରବନ୍ଧ ପାଠ ସହିତ ଉପସ୍ଥାପନା କରିଥିଲେ । ତାଙ୍କ ପ୍ରବନ୍ଧଟି ସମଗ୍ର ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଗ୍ଲୋବାଲ ସ୍ୱାସ୍ଥ୍ୟ ବିଭାଗ ଡିରେକ୍ଟର ଜେନରାଲ,ଗ୍ଲୋବାଲ ଭୁତାଣୁ ଜନିତ ନିର୍ଦ୍ଦେଶକ,ବିଶ୍ୱ ସ୍ୱାସ୍ଥ୍ୟ ଦକ୍ଷିଣ ପୂର୍ବାଞ୍ଚଳ ଏସିଆ ମୁଖ୍ୟ ଓ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଲକାନଗିରିକୁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ପ୍ରଦାନ କରିଥିଲେ । ଏହି ଖବର ଶୁଣି ସମଗ୍ର ମାଲକାନଗିରି ଜିଲ୍ଲାବାସୀ ଓ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।