ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

‘ସୋଆ’ରେ ୟୁଥ୍‌ ଫର ନେସନ୍‌ ଓଡ଼ିଶା ଚାପ୍ଟର ଉଦ୍‌ଘାଟିତ, ଯୁବପିଢ଼ି ଦେଶକୁ ଶୀର୍ଷରେ ପହଞ୍ଚାଇ ପାରିବେ: ରାଜ୍ୟପାଳ

ଭୁବନେଶ୍ୱର, ୩୦/୦୪: ଉପଯୁକ୍ତ ପ୍ରୋତ୍ସାହନ ଓ ମାର୍ଗଦର୍ଶନ ମିଳିଲେ ଭାରତର ଯୁବପିଢ଼ି ଦେଶକୁ ଶୀର୍ଷକୁ ନେଇ ପାରିବେ । ଯୁବପିଢ଼ିଙ୍କ ମଧ୍ୟରେ ଏହି ଦକ୍ଷତା ରହିଛି । ବର୍ତ୍ତମାନର ଯୁବବର୍ଗ ଦେଶର ବିଭିନ୍ନ ବିକାଶ ସହ ନିବିଡ଼ ଭାବେ ଜଡ଼ିତ । ବିଶ୍ୱସ୍ତରରେ ନିଜକୁ ପ୍ରତିପାଦିତ କରିବାରେ ସେମାନଙ୍କର ଦକ୍ଷତା ରହିଛି । ତେଣୁ ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିବାକୁ ପଡ଼ିବ । ଏଥିସହ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବ ସୃଷ୍ଟି କରିବାକୁ ହେବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭରସିଟି ଠାରେ ଆୟୋଜିତ ‘ୟୁଥ୍‌ ଫର ନ୍ୟାସନ୍‌ (ୱାଇ୪ଏନ୍‌)’ ଓଡ଼ିଶା ଚାପ୍ଟରର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ୟୁଥ ଫର ନେସନ କାର୍ଯ୍ୟକ୍ରମକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

ରାଜ୍ୟପାଳ କହିଛନ୍ତି, ଭାରତର ଲୋକମାନେ ଯୁବକ । ଭାରତର ମନ ମଧ୍ୟ ଯୁବକ । ଭାରତ ତାର ସମ୍ଭାବନା ଓ ସ୍ୱପ୍ନଠାରୁ ସାନ । ଭାରତ ତାର ଚିନ୍ତାଧାରା ଓ ଚେତନାରେ ମଧ୍ୟ ଯୁବକ । ଜାତୀୟ ଶିକ୍ଷା ନୀତି-୨୦୨୦ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବ । ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନ ଥିଲା, ଭାରତ ବିଶ୍ୱର ନେତୃତ୍ୱ ନେଉ । ସ୍ୱାମୀଜୀ ଆମ ଯୁବକଙ୍କ ମଧ୍ୟରେ ଜାତୀୟତାର ଆତ୍ମା ଜାଗ୍ରତ କରିଛନ୍ତି । ଯୁବପିଢ଼ିଙ୍କୁ ଭାରତର ନେତୃତ୍ୱ ନେବା ପାଇଁ ଦିଗ୍‌ଦର୍ଶନ ଦେବା ଆବଶ୍ୟକ । ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୈତିକ ଶକ୍ତି ହୋଇଥିବା ବେଳେ ୨୦୦ ବର୍ଷ ଧରି ଦେଶକୁ ପରାଧୀନ କରି ରଖିଥିବା ବ୍ରିଟେନ୍‌କୁ ଏ ଦିଗରେ ପଛରେ ପକାଇ ଦେଇଛି ।

ଏହି ଅବସରରେ ୱାଇ୪ଏନ୍‌ର ଜାତୀୟ ସଂଯୋଜକ କମାଣ୍ଡର ଭିକେ ଜେଟ୍‌ଲୀଙ୍କ ଦ୍ୱାରା ସଂପାଦିତ ‘ହଣ୍ଡ୍ରେଡ୍‌ ଗ୍ରେଟ୍‌ ଆଇଆଇଟିଆନ୍‌ସ’ ପୁସ୍ତକ ଲୋକାର୍ପିତ କରାଯାଇଛି ।  ଶ୍ରୀ ଜେଟ୍‌ଲି କହିଲେ, ପୁସ୍ତକଟି ନନ୍ଦନ ନିଲେକାନୀ, ନାରାୟଣ ମୂର୍ତ୍ତି, ଦାମୋଦର ଆଚାର୍ଯ୍ୟ ଏବଂ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଭଳି ଆଇଆଇଟିଆନ୍‌ସଙ୍କ ଉପରେ ଲେଖାଯାଇଛି । ଯେଉଁମାନେ ବିଦେଶ ଯିବାକୁ ଲାଳାୟିତ ନହୋଇ ନିଜ ଜନ୍ମ ମାଟିରେ ହିଁ କାର୍ଯ୍ୟ କରିବାକୁ ପସନ୍ଦ କରିଥିଲେ । ଦେଶରେ ବହୁ ମୂଲ୍ୟବାନ ହୀରା ରହିଛି । ତାହା ମଧ୍ୟରୁ ଯୁବପିଢ଼ି ଅନ୍ୟତମ । ଯେଉଁମାନେ ଆମ ଦେଶ ପାଇଁ ଗର୍ବ ଓ ଗୌରବ । କେବଳ ଏତିକି ନୁହେଁ ଆମ ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଆଗରେ ରହିଛି ।

ଉତ୍ତରପ୍ରଦେଶ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ୱାଇ୪ଏନ୍‌ର କାର୍ଯ୍ୟକାରୀ ସଭାପତି ପ୍ରଫେସର ଦୁର୍ଗ ସିଂ ଚୌହାନ୍‌ କହିଲେ,  ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ସହ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବ ସୃଷ୍ଟି କରିବା ହିଁ ୱାଇ୪ଏନ୍‌ର ଲକ୍ଷ୍ୟ । ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ତଥା ୟୁଥ୍‌ ଫର ନେସନ୍‌ ଓଡ଼ିଶା ଶାଖାର ସଭାପତି ପ୍ରଫେସର ଦାମୋଦର ଆଚାର୍ଯ୍ୟ କହିଲେ, ଦେଶକୁ ସଶକ୍ତ କରିବା ପାଇଁ ଯୁବକଙ୍କୁ କୁଶଳୀ କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ମନୋଭାବ, ପ୍ରଶିକ୍ଷଣ ଓ ନୈତିକତା ଦ୍ୱାରା ହିଁ ଦେଶର ଉନ୍ନତି ଘଟିବ । ଆଗାମୀ ଦଶ ବର୍ଷରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୈତିକ ଶକ୍ତି ହୋଇପାରିବ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଲେ, ବିଶ୍ୱବିଦ୍ୟାଳୟମାନେ ଦେଶ ଗଠନ ପାଇଁ ଯୁବପିଢ଼ିଙ୍କୁ ଶିକ୍ଷିତ କରିବାର କାର୍ଯ୍ୟଧାରା ଜାରି ରଖିଛନ୍ତି । ସୋଆ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛି ।

କାର୍ଯ୍ୟକ୍ରମରେ ୱାଇ୪ଏନ୍‌ର ସଚିବ ଅରବିନ୍ଦ ତ୍ରିପାଠୀ, ସୋଆ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହଣ୍ଡେଡ୍‌ ଗ୍ରେଡ୍‌ ଆଇଆଇଟିଆନ୍‌ସ ପୁସ୍ତକରେ ସ୍ଥାନୀତ ସୋଆର ଉପଦେଷ୍ଟାମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ପ୍ରଫେସର ଆଚାର୍ଯ୍ୟ, ଆଇଆଇଟି ଆଇଏମ୍‌ଏସ୍‌, ଧାନବାଦର ପୁରାତନ ଛାତ୍ର ଡ. ଅରୁଣ କୁମାର ଶୁକ୍ଲା ଏବଂ ଆଇଆଇଟି ଖଡ଼ଗପୁରର ପୁରାତନ ଛାତ୍ର ସ୍ୱର୍ଗତ ଗୋପାଳଚନ୍ଦ୍ର ମିତ୍ର (ପ୍ରଫେସର ପିକେ ପାଢ଼ୀ ପୁରସ୍କାର ଗ୍ରହଣ କରିଥିଲେ)ଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ । ଓଡ଼ିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତ ମିତ୍ରଙ୍କ ଅବଦାନ ରହିଛି ବୋଲି ପ୍ରଫେସର ପାଢ଼ୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.