ପ୍ରମୁଖ ଖବର
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ବିଭୀଷଣ ବିଗାଡ଼ିବେ ଖେଳ: ପ୍ରତିଶୋଧମୁଦ୍ରାରେ ନେତା, ଗୋଛି କାଟିବାକୁ ସଂକଳ୍ପ...

ଭୁବନେଶ୍ୱର,୨୭/୦୪: ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କୁ ଭରସା କଲାନି ବିଜେପି । ଟିକଟରେ କଇଁଚି ମାରିଲା । ଭାଦବ ହାଁସଦାଙ୍କୁ ଦଳ ଯୋଦ୍ଧା ଭାବେ ଚୟନ କଲା । ବୁଧାନଙ୍କ ରାଗ ପଞ୍ଚମରେ । ପୂରା ପ୍ରତିଶୋଧ ମୁଦ୍ରାରେ ମୁର୍ମୁ । ଟିକଟ ତ ପାଇଲେନି । ପଦ୍ମ ପ୍ରାର୍ଥୀଙ୍କୁ ହରାଇବାକୁ ଚଳାଉଛନ୍ତି ଗୋଟି ।

ନିମାପଡ଼ାରୁ ପୁଣି ବିଧାନସଭାକୁ ଏଣ୍ଟ୍ରି କରିବାକୁ ବେଶ କସରତ କରିଥିଲେ ବିଧାୟକ ସମୀର ରଞ୍ଜନ ଦାଶ । ବିଜେଡି କିନ୍ତୁ ‘ନୂଆ ମୁହଁ’ ଦରାଣ୍ଡିଲା । ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଦଳୀୟ ମିଳିଲା ଶଙ୍ଖ ଟିକଟ । ରକ୍ତ ଚାଉଳ ଚୋବାଇଲେ ସମୀର । ଶକ୍ତି ପ୍ରଦର୍ଶନ କଲେ । ଦଳ ନିଜ ନିଷ୍ପତ୍ତିରେ ଅଟଳ ରହିଲା । ନିମାପଡ଼ା ଟିକଟ ବଦଳିଲାନି । ରାଗ ଶୁଝାଇବାକୁ ସମୀର ଖେଳିପାରନ୍ତି ‘ବିଭୀଷଣ ଗେମ୍‌’ । ଭୋଟବ୍ୟାଙ୍କ ଗଣିତକୁ କରିପାରନ୍ତି ଓଲଟପାଲଟ । ଏମିତି ଆଶଙ୍କା ପ୍ରକାଶ ପାଇଛି । ଏମିତି ଦୁଇ ତିନି ଡଜନ୍‌ ନେତା ଅସନ୍ତୋଷ ନିଆଁରେ ଜଳିଦାନ୍ତ କଡ଼ମଡ଼ କରୁଛନ୍ତି । ବିଭୀଷଣ ସାଜିବେନି ତ ଏମାନେ?

ପରିଶ୍ରମ ଫଳ ଧରିଲାନି । ଶୂନ୍ୟରେ ମିଳେଇଗଲା ଆଶା । ଦଳ ଭରସା କଲାନି । ମିଳିଲାନି ଦଳୀୟ ଟିକଟ । କିଛି ନେତା କ’ଣ କରିବେ ବାଟ ପାଉନାହାନ୍ତି । ଦଳରେ ସେଇମିତି ପଡ଼ି ରହିଛନ୍ତି । ଆଉ କିଛି ଟିକଟ ପାଇବାର ଗ୍ୟାରେଣ୍ଟି ପାଇ ଅନ୍ୟ ଦଳକୁ ଡେଇଁଲେ । ଅସଲ ବେଳକୁ ଟିକଟ ତାଲିକାରେ ନାଁ ରହିଲାନି । ମନରେ ନାହିଁ ନଥିବା ରାଗ । ଏହି ନେତାମାନେ ଦଳର ଭୋଟ ଅଙ୍କକୁ ବିଗାଡ଼ିବେ । ଗୃହଶତ୍ରୁ ବିଭୀଷଣ ସାଜି ଏମାନେ ଦଳୀୟ ପ୍ରାର୍ଥୀଙ୍କ ଭୋଟକୁ ଭିତିରିଆ କଇଁଚି ବି ମାରିବେ । 

ମୁଁ ନୁହେଁ ତ, ଦଳର ଆଉ କେହି ନୁହଁ । ଟିକଟ ଦୌଡ଼ରୁ ବାଦ୍‌ ପଡ଼ିଥିବା ବିଜେଡି, ବିଜେପି ଓ କଂଗ୍ରେସର ହତାଶ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବଡ଼ ଚାଲେଞ୍ଜ ଛିଡ଼ା କରାଇବେ । ଭିତିରିଆ ଗେମ୍‌ ଖେଳିବେ । ନିଜ ବିଶ୍ୱସ୍ତଙ୍କ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ଭୋଟବ୍ୟାଙ୍କ କାଟିବେ । ଟିକଟ କଟିବା ପରେ ହତାଶ ଏମିତି ବହୁ ନେତା ପଣ କରିଥିବା ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ବିଜେପି ଦଳର ଦୁଇ ଜଣ ବିଧାୟକଙ୍କ ଉପରୁ ଭରସା ତୁଟାଇ ଦେଲା । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମଧ୍ୟ ପଦ୍ମ ଦଳ ହତାଶ କଲା । ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ିଙ୍କୁ ବଦଳାଇ ଦଳ ନରସିଂହ ମାଡକାମୀଙ୍କୁ ଟିକଟ ଦେଇଛି । ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କ ବଦଳରେ ଦଳ ଭାଦବ ହାଁସଦାଙ୍କୁ ବାଛିଲା । ଟୁଡୁ ମୁହଁରେ ସିନା ତାଲା ମାରି ବସିଲେ । ବୁଧାନ କିନ୍ତୁ ନିଜ ସମର୍ଥକଙ୍କୁ ଧରି ଗୁପ୍ତ ମନ୍ତ୍ରଣା କରିଥିବା ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ରଣପୁର ଓ ପଟାଙ୍ଗୀରେ ପଦ୍ମ ଦଳ ଟିକଟ ବଦଳାଇଲା । ବାଦ ପଡ଼ିଲେ ତାପସ ମାର୍ଥା ଓ ଚୈତନ୍ୟ ନନ୍ଦିବାଲି ।  ଟିକଟ ହାତେଇ ପୁଣି ହରାଇବାକୁ ଏ ଦୁହେଁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଦଳ ପାଇଁ ପ୍ରତିକୂଳ ପରିସ୍ଥିତି ଛିଡ଼ା କରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

ବିଜୁ ଜନତା ଦଳ ୩୪ ବିଧାୟକଙ୍କ ଉପରୁ ଭରସା ତୁଟାଇ ଦେଲା । ଡଜନେ ବିଧାୟକଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ମିଳିଲା ଟିକଟ । ୨୨ ବିଧାୟକ କିନ୍ତୁ ଖାଲି ହାତରେ ହତାଶରେ ଛଟପଟ । ରାଗରେ ଥରୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଖୋଲାଖୋଲି ନିଜ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ କିଛି ଚୁପଚାପ୍‌  ଦଳୀୟ ପ୍ରାର୍ଥୀଙ୍କୁ ପାନେ ଦେବାକୁ ଭିତରେ ଭିତରେ ଚେର କାଟୁଛନ୍ତି ।

ଅଭିଜ୍ଞ ଅମର ଶତପଥୀ ନିଜ ପାରମ୍ପରିକ ସିଟ୍‌ ବଡ଼ଚଣାରୁ ବାଦ୍‌ ପଡ଼ିଲେ । ବଳ ଦେଖାଇଲେ । ବିଜେଡି କିନ୍ତୁ ନଛୋଡ଼ବନ୍ଦା । ଟିକଟ ତାଲିକାରେ ଦଳ ସଂଶୋଧନ କଲାନି । ଅମର ଯୋଡ଼ି ଶଙ୍ଖ ପାଇଁ ଭୋଟ ଭିକ୍ଷା କରିବେ ନା ଓଲଟା ଖେଳ ଖେଳିବେ ତା’ ଉପରେ ଦଳପତି ନବୀନଙ୍କ ଆଖି । ଅବଶ୍ୟ ତାଙ୍କୁ ବୁଝାସୁଝା କରାଯାଇଛି । ମାନଭଞ୍ଜନ ପାଇଁ କସରତ ହୋଇଛି । ଫଳ କ’ଣ ହେବ ସମୟ ହିଁ କହିବ ।

ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଚଳିତ ନିର୍ବାଚନରେ ପୁଅ ସଂଜୟର ରାଜନୈତିକ କ୍ୟାରିୟରର ଶ୍ରୀଗଣେଶ କରିବାକୁ ବହୁ ଉଦ୍ୟମ କରିଥିଲେ । ପୁଅ ପାଇଁ ଟିକଟ ଲବିକୁ ଜୋରଦାର କରିଥିଲେ । ବାଜି ମାରିନେଲେ ହେଭିୱେଟ୍‌ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ।  ସାବିତ୍ରୀ ବିଜେଡିକୁ ବାଏ ବାଏ କରିନାହାନ୍ତି । ସାବିତ୍ରୀଙ୍କ ବିଶ୍ୱସ୍ତ ଗ୍ରୁପ୍‌ ଦଳ ପାଇଁ କାମ କରିବ ନା ନାହିଁ ସ୍ପଷ୍ଟ ହେଉନି । ଟିକଟ କଟିବା ପରେ ବରୀ ବିଧାୟିକା ସୁନନ୍ଦା ଦାସ ତ ବିଷ ଉଗାଳିଛନ୍ତି । ଦଳ ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ପ୍ରତିଜ୍ଞା ନେଇଛନ୍ତି ।

ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର କଟିଲେ । ବିଜେଡି ଖେଳିଲା ମହିଳା କାର୍ଡ । ଜୟଶ୍ରୀ କହଁରଙ୍କ ହାତକୁ ଆସିଲା ଶଙ୍ଖ ଟିକଟ । ହଙ୍ଗାମା କଲେ ବେବେନ୍ଦ୍ର । ତାଙ୍କ ଟିକଟ ଉଦ୍ଦେଶ୍ୟମୂଳକ ଭାବେ କଟାଯାଇଛି ବୋଲି ଅଭିଯୋଗ କଲେ । ରାଜରାସ୍ତାରେ ଦମ୍‌ ଦେଖାଇଲେ । ଫଳ ଶୂନ ହେଲା । ଦେବେନ୍ଦ୍ରଙ୍କ କ୍ୟାମ୍ପ କିନ୍ତୁ ପ୍ରତିଶୋଧ ଲକ୍ଷ୍ୟରେ ଗୋଟି ଚାଳନା କରୁଛନ୍ତି ।

ଏରସମା ବିଧାୟକ ରଘୁନନ୍ଦନ ଦାସ, ପଟାଙ୍ଗୀରୁ ପିତମ ପାଢ଼ି, ନର୍ଲାରୁ ଭୂପିନ୍ଦର ସିଂହଙ୍କୁ ବିଜେଡି ଭରସା କରିନି । ନୂଆ ପ୍ରାର୍ଥୀ ଦେଇଛି । ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବଦଳରେ ଗତ ନିର୍ବାଚନରେ ରନର୍ସ ଅପ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାଏକଙ୍କୁ ଦଳ ଦେଇଛି ଟିକଟ । ବାକାଙ୍କ ଶିବିର ଏହାକୁ ନେଇ ଖପ୍ପା । କେନ୍ଦ୍ରାପଡ଼ାରେ ଶଶୀଭୂଷଣ ବେହେରା, ଆନନ୍ଦପୁରରେ ଭାଗିରଥି ସେଠୀ, ସିମୂଳିଆରେ ଜ୍ୟୋତି ପାଣିଗ୍ରାହୀ, କୁଚିଣ୍ଡାରୁ କିଶୋର ନାୟକ ଓ ଚମ୍ପୁଆରେ ମିନାକ୍ଷୀ ମହାନ୍ତଙ୍କ ଟିକଟରେ କଇଁଚି ମାରିଛି ଦଳ । ଏ ବିଧାୟକମାନେ ଦଳରେ ଖୋଲା ବିଦ୍ରୋହ କରିନାହାନ୍ତି ସତ, ମାତ୍ର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡ଼ିବେ ତ? ଏମିତି ଆଶଙ୍କା ଦଳୀୟ ପ୍ରାର୍ଥୀଙ୍କ ମନରେ । ଭିତରେ ଭିତରେ ଏ ରାଗ ଜର୍ଜରିତ ନେତାମାନେ ‘ଫାଉଲ୍‌ ଗେମ୍‌’ ନ ଖେଳିବେ କିଏ କହିବ?

କଂଗ୍ରେସରେ ମଧ୍ୟ କିଛି ଆସନରେ ଟିକଟକୁ ନେଇ ହଙ୍ଗାମା ବନ୍ଦ ହେଉନି । କଂଗ୍ରେସ ଭବନରେ ଟିକଟ ବଦଳାଇବାକୁ ପାଟିତୁଣ୍ଡ ଲାଗି ରହିଛି । ବାଲେଶ୍ୱର ଲୋକସଭା ସିଟ୍‌ ପାଇଁ ଆଗ୍ରହୀ ଥିଲେ ନବଜ୍ୟୋତି ପଟ୍ଟନାୟକ । ଏଆଇସିସି କିନ୍ତୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମୁଣ୍ଡରେ କଳସ ଢ଼ାଳିଲା । ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ନବଜ୍ୟୋତି । ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗଙ୍କୁ ସିଧା ବିରୋଧ  କରିଛନ୍ତି ଗୁଡାରୀ ବ୍ଲକ୍‌ କଂଗ୍ରେସ ସଭାପତି ଭାସ୍କର ଜଗେରାଙ୍ଗା । ସେ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଷମକଟକରେ ନୀଳମାଧବ ହିକ୍କାଙ୍କୁ ଚାଲେଞ୍ଜ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବ ଉଲାକା । 

ଜୟପୁରରେ ବିଧାୟକ ତାରା ବାହିନୀପତିଙ୍କୁ ଦଳରୁ ପ୍ରଚଣ୍ଡ ଆହ୍ୱାନ ମିଳିଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ନାତି ପ୍ରୀତିଶ ପାପୁଲ ପଟ୍ଟନାୟକ ଭୋଟ ରାଜନୀତିକୁ ଲମ୍ଫ ମାରିଛନ୍ତି । ଏହାକୁ ନେଇ କୋରାପୁଟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଖୋର୍ଦ୍ଧାରେ ସୋନାଲି ସାହୁଙ୍କୁ ବିରୋଧ କରିଛନ୍ତି ଦଳର ପୁରୁଣା ପ୍ରାର୍ଥୀ ସ୍ୱାଗତିକା ପଟ୍ଟନାୟକ । ସେ ଦଳ ପାଇଁ ବଇରୀ ସାଜି ଭିତିରିଆ ଖେଳ ଖେଳିଲେଣି ।

ଟିକଟ ଆଶାରେ ବିଜେଡିରୁ ବିଜେପିକୁ ଡେଇଁ କିଛି ନେତା ତ୍ରିଶଙ୍କୁରେ ଝୁଲିଛନ୍ତି । ସେମାନେ ଦଳ ପାଇଁ କାମ କରିବେ ନା ଟିକଟ ନପାଇବାର ରାଗକୁ ଭିତିରିଆ ଗୋଛି କାଟି ଶୁଝାଇବେ ତାହା ହିଁ ବଡ଼ ପ୍ରଶ୍ନ । ବରୀ ଟିକଟ ଆଶାରେ ଦେବାଶିଷ ନାୟକ ପଦ୍ମ ଧରିଥିଲେ । ଏଯାଏ ଟିକଟ ମିଳିନି । ବିଧାୟକ ପ୍ରେମାନନ୍ଦ ନାୟକ ଓ ପ୍ରଶାନ୍ତ ଜଗଦେବ ମଧ୍ୟ ‘ଟିକଟ ଗ୍ୟାରେଣ୍ଟି’ରେ ପଦ୍ମ ପୋଖରୀକୁ ଡେଇଁଥିଲେ । ମାତ୍ର ଏଯାଏ ଝୁଲିକି ଅଛନ୍ତି । ସାଂସଦ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କୁ ଦଳ ଟିକଟ ପୁରସ୍କାର ଦେବ ଦେବ ବୋଲି ଏଯାଏ ଦେଇନି । ରାଉରକେଲାରେ ଦିଲ୍ଲୀପ ରାୟଙ୍କୁ ଦଳର ପୁରୁଣା ସିପାହୀ ନିହାର ରାୟ ଗ୍ରହଣ କରିବେ ନା ଭୋଟ ଅଙ୍କକୁ ଓଲଟପାଲଟ କରିବେ ତାହା ଉପରେ ରାଜନୀତି ମହଲର ନଜର ରହିଛି ।

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.