ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ, ହେଲେ ଅବହେଳିତ ଅବସ୍ଥାରେ ମଧୁସୂଦନ ସଂଗ୍ରହାଳୟ

କଟକ,୨୮/୦୪: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ । ହେଲେ ତାଙ୍କ ବ୍ୟବହୃତ ସାମଗ୍ରୀଗୁଡିକୁ ସାଇତି ରଖିବା ପାଇଁ କରାଯାଇଥିବା ସଂଗ୍ରହାଳୟ ଏବେ ଅବହେଳିତ ଅବସ୍ଥାରେ ରହିଛି । ସଂଗ୍ରହାଳୟ କାନ୍ଥରେ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଶୈଳବାଳା ଦାସଙ୍କ ଫଟୋଚିତ୍ରରୁ ପ୍ଲାଷ୍ଟର୍‌ ଖସିବା ସହ ରଙ୍ଗ ଛାଡ଼ୁଛି । ସଂଗ୍ରହାଳୟର କାନ୍ଥ ଫାଟି ଆଁ କରିଛି ।  କବାଟ ଓ ଝରକାରେ ଊଇ ଲାଗିଲାଣି । ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ  ଧୂଳିର ପରସ୍ତ ପଡ଼ିଛି । ପେଭର୍‌ ଟାଇଲ୍‌ଗୁଡ଼ିକ ଦବିଯାଇଥିବା  ବେଳେ ସିସିଟିଭି ଲାଗୁନାହିଁ । ଆବଶ୍ୟକ କର୍ମଚାରୀ ବି ନାହାନ୍ତି ।  ମିଶନ୍‌ ରୋଡ୍‌ରେ ଶୈଳବାଳା ମହିଳା ମହାବିଦ୍ୟାଳୟକୁ  ଲାଗିଥିବା ମଧୁସୂଦନ ସଂଗ୍ରହାଳୟ ଏବେ ଏପରି ଅବ୍ୟବସ୍ଥାରେ, ଅବହେଳା ଓ ଅଣଦେଖାର ଶିକାର ହୋଇ ପଡ଼ିରହିଛି । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୭ ଏପ୍ରିଲ ୨୮  ତାରିଖରେ ଏହି ସଂଗ୍ରହାଳୟକୁ ଉଦ୍‌ଘାଟନ କରିଥିଲେ ।  ଏଥିରେ ମଧୁବାବୁଙ୍କ ପୋଷାକ, ଜୋତା, ଟୋପି, ପାନିଆ,  ଅତର, ଗ୍ଲାସ, ଥାଳି, ହେମଦସ୍ତା, ଚେୟାର୍‌, ବେଞ୍ଚ ଏବଂ  ଖଟ ଆଦି ସାମଗ୍ରୀ ରହିଛି । ତାଙ୍କର ଅନେକ ଫଟୋକପିକୁ  ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି । ଏକ ସ୍ୱତନ୍ତ୍ର ଘରେ ତାଙ୍କ  ଖଟକୁ ସ୍ଥାନ ଦିଆଯାଇଛି । ଏହାକୁ ଦେଖିବା ପାଇଁ ପ୍ରାୟ  ସମୟରେ ପର୍ଯ୍ୟଟକ ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀ  ଆସୁଛନ୍ତି । ମଧୁବାବୁଙ୍କ ବିଷୟରେ ଅବଗତ ହେଉଛନ୍ତି । ମାତ୍ର  ଏହାର ପାରିପାଶ୍ୱିର୍କ ସ୍ଥିତି ଦେଖିଲେ, ଲାଗୁଛି ଯେମିତି ରାଜ୍ୟ  ସଂଗ୍ରହାଳୟ ଓ ଜିଲ୍ଲା ସଂସ୍କୃତି ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଯାଇଛନ୍ତି । କାରଣ ସାମ୍ନା ଗେଟ୍‌ ଉପରେ ଲେଖା  ହୋଇଥିବା ମଧୁସୂଦନ ସଂଗ୍ରହାଳୟର ଏଲ୍‌ଇଡି ଲାଇଟ୍‌ରୁ  ଅଧିକାଂଶ ଜଳୁନାହିଁ । ସାମ୍ନାରେ ଲାଇଟ୍‌ ନଥିବାରୁ ଏହା  ସବୁବେଳେ ଅନ୍ଧାର ରହୁଛି । ସିସିଟିଭି ଲାଗି ନଥିବାରୁ କିଏ  କେତେବେଳେ ଆସୁଛି ତାହାର କୌଣସି ସୂଚନା ରହୁନାହିଁ । ଉଦ୍‌ଘାଟନୀ ଫଳକକୁ ସଫା କରାଯାଉନଥିବାରୁ ସେଥିରେ  ଲେଖା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନାମ ଦେଖାଯାଉ ନାହିଁ ।  ସଂଗ୍ରହାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ପାରା ଏବଂ  ଅନ୍ୟାନ୍ୟ ଚଢ଼େଇ ବସି ଅପରିଷ୍କାର କରିଦେଇଛନ୍ତି ।  କେବଳ ବାହାର ନୁହେଁ ଭିତରେ ମଧ୍ୟ ଏପରି ଅବସ୍ଥା ।  

ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଥିବା ମଧୁସୂଦନଙ୍କ  ପ୍ରତିମୂର୍ତ୍ତିର ମଧ୍ୟ ରକ୍ଷଣାବେକ୍ଷଣ କରାଯାଉନାହିଁ । ମଧୁବାବୁଙ୍କ  ଉପରେ ସୂଚନା ଦେବା ପାଇଁ ଆସିଥିବା ମେସିନ୍‌ଟି ବନ୍ଦ  ହୋଇପଡ଼ିଛି । ଏଠାରେ ୩ ଜଣ କର୍ମଚାରୀ ଆବଶ୍ୟକ  ଥିବାବେଳେ ଜଣେ ମାତ୍ର କର୍ମଚାରୀ ଅଛନ୍ତି। ସେ ପୁଣି ନେତାଜୀ  ସଂଗ୍ରହାଳୟରୁ ଡେପୁଟେସନରେ ଆସିଛନ୍ତି । ଏପରି ନାନା  ସମସ୍ୟା ଭିତରେ ସଂଗ୍ରହାଳୟ ରହିଥିବା ବେଳେ ରାଜ୍ୟ  ସଂଗ୍ରହାଳୟ ଓ ସଂସ୍କୃତି ବିଭାଗ ଏଥିପ୍ରତି ନଜର ଦେଉନାହିଁ  ବୋଲି ମଧୁ ଅନୁଗାମୀମାନେ କହିଛନ୍ତି । ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି । ତେବେ ଏନେଇ  ରାଜ୍ୟ ସଂଗ୍ରହାଳୟର ସଚିବ ଅଶ୍ୱିନୀ ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ମତାମତ ମିଳିପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.