ନୂଆଦିଲ୍ଲୀ: କିଛି ଦିନର ଶାନ୍ତି ପରେ ପୁଣି ଅଶାନ୍ତ ହୋଇଉଠିଛି ଲୋହିତ ସାଗର । ୟେମେନର ବିଦ୍ରୋହୀ ଗୋଷ୍ଠୀ ହୁତି ପକ୍ଷରୁ ଲୋହିତ ସାଗରରେ ପୁଣି ଥରେ ଜାହାଜ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ଦିନ ହୋଇଥିବା ଏହି ଆକ୍ରମଣରେ ଏକ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ଗତ ନଭେମ୍ବରରୁ ଲୋହିତ ସାଗରରେ ଅନବରତ ଆକ୍ରମଣ ଜାରି ରଖିଛି ।
ଏକ ଘରୋଇ ସୁରକ୍ଷା ସଂସ୍ଥା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଲୋହିତ ସାଗରରେ ୩ଟି ମିଶାଇଲ ମାଡ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମିଶାଇଲଗୁଡିକ ଏକ ବାଣିଜ୍ୟିକ ଜାହାଜ(ଅଏଲ ଟ୍ୟାଙ୍କର) ନିକଟରେ ପଡିଥିଲା । ଏହି ଜାହାଜରେ ପାନାମା ପତାକା ଲାଗିଥିବା ବେଳେ ଋଷ ବାଣିଜ୍ୟିକ ଜାହାଜ ଆଣ୍ଡ୍ରୋମେଡା ଷ୍ଟାର ବୋଲି ଜଣାପଡିଛି । ଯାହା ରୁଷର ପ୍ରିମୋର୍ସ୍କରୁ ଭାରତ ଆସୁଥିବା ଜଣାପଡିଛି । ତେବେ ସିପ୍ ଟ୍ରାକିଙ୍ଗ ଡାଟା ଅନୁଯାୟୀ, ହୁତି ଆକ୍ରମଣରୁ ବର୍ତ୍ତିବା ପାଇଁ ଏହି ଜାହାଜ ନିଜର ଲୋକେସନ ବନ୍ଦ ରଖିଥିଲା । ଏହି ଆକ୍ରମଣ କରିଥିବା ନେଇ ହୁତି ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ୟାହା ସାରି ଶନିବାର ସ୍ପଷ୍ଟ କରିଛନ୍ତି । ଜାହାଜକୁ ହୁତି ବିଦ୍ରୋହୀ ଗୋଷ୍ଠୀ ସିଧାସଳଖ ମିସାଇଲ୍ ମାଡ଼ କରିଛି ବୋଲି ସେ କହିଛନ୍ତି । ଏହି ସମୟରେ ବାର୍ବାଡସ ପତାକା ଥିବା ଅନ୍ୟ ଏକ ଜାହାଜ ମଧ୍ୟ ପାଖରେ ଥିଲା ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଅକ୍ଟୋବରରେ ଇସ୍ରାଏଲ- ଗାଜା ଆକ୍ରମଣକୁ ନେଇ ହୁତି ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଉଠିଛି । ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ୟେମେନରୁ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡିକୁ ଟାର୍ଗେଟ କରୁଛି । ନଭେମ୍ବରରୁ ଏବେସୁଦ୍ଧା ହୁତି ଗୋଷ୍ଠୀ ୫୦ରୁ ଉର୍ଦ୍ଧ୍ୱ ଜାହାଜକୁ ଟାର୍ଗେଟ କରିବା ସହ ଗୋଟିଏ ଜାହାଜୁ ସିଜ୍ କରିନେବା ସହ ଡୁବାଇ ଦେଇଛି ବୋଲି ଆମେରିକା ନୌବାହିନୀ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆମେରିକା ନେତୃତ୍ବରେ ୟେମେନରୁ ପରିଚାଳିତ ହୁତି ଗୋଷ୍ଠୀ ଉପରେ ଏୟାର ଷ୍ଟ୍ରାଇକ୍ ହେବା ପରେ ଲୋହିତ ସାଗରରେ ଶାନ୍ତି ଫେରିଥିଲା । ହେଲେ ଏବେ ପୁଣି ଥରେ ହୁତି ଗୋଷ୍ଠୀ ସକ୍ରିୟ ହୋଇଛି ।