କଟକ,୧୧/୦୧: କଟକ ନେତାଜୀ ବସ୍‌ ଟର୍ମିନାଲ୍‌  (ସିଏନ୍‌ବିଟି)ରେ ଗତ କିଛି ମାସ ହେଲା ପାର୍କିଂ ଫି’  ଆଦାୟକୁ ନେଇ ବିଭ୍ରାଟ ଦେଖା ଦେଇଛି । ଟର୍ମିନାଲ୍‌ ଆରମ୍ଭ ପରଠୁ ପାର୍କିଂ ଫି’ ଆଦାୟ କରୁଥିବା ସଂସ୍ଥା ଦୁଇ ମାସ ହେବ କାମ ଛାଡ଼ି ଦେଇଛି । ବିକଳ୍ପ ବାଟ ନ ପାଇ କଟକ ଉନ୍ନୟନ  କର୍ତ୍ତୃପକ୍ଷ (ସିଡିଏ) ଏଠାରେ ନିଜ କର୍ମଚାରୀ ନିୟୋଜିତ କରି  ଫି’ ଆଦାୟ କରୁଛନ୍ତି । ଯେଉଁ ସଂସ୍ଥାକୁ ଏହି ଦାୟିତ୍ୱ ମିଳିଥିଲା  ସେ ପ୍ରାୟ ୧୬ ଲକ୍ଷ ଟଙ୍କା ବାକି ରଖିଥିବାରୁ ବିବାଦ ଅଧିକ ଘନେଇଛି । ଇତିମଧ୍ୟରେ ନୂଆ ସଂସ୍ଥାକୁ ଦାୟିତ୍ୱ ଦେବାକୁ ସିଡିଏ ପକ୍ଷରୁ ଅବଶ୍ୟ ଟେଣ୍ଡର ସରିଛି । ତେବେ ଠିକା ସଂସ୍ଥା କାମ ଛାଡ଼ି ଚାଲିଯିବା ଓ ନୂଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଇନଥିବାରୁ ସିଡିଏ କର୍ତ୍ତୃପକ୍ଷ ବର୍ତ୍ତମାନ ବାଧ୍ୟ ହୋଇ ନିଜ କର୍ମଚାରୀଙ୍କ ଦ୍ୱାରା ଗାଡ଼ିରୁ ଫି’ ଆଦାୟ କରୁଛନ୍ତି । ଗତ ଦେଢ଼ ମାସ ହେବ  ନିଜ ମୂଳ କାମ ଛାଡ଼ି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଗାଡ଼ି ଗଣୁଛନ୍ତି ।  

୨୦୨୩ ସେପ୍ଟେମ୍ବର ମାସରେ କାର୍ଯ୍ୟକ୍ଷମ ହୋଇଥିଲା  ନେତାଜୀ ବସ୍‌ ଟର୍ମିନାଲ୍‌ । ଏହି ସମୟରେ ଟର୍ମିନାଲ୍‌  ପରିସରରେ ପାର୍କିଂ ହେଉଥିବା ୨ ଓ ୪ ଚକିଆ ଗାଡ଼ି ପାଇଁ  ଫି’ ଆଦାୟ କରାଯିବ ବୋଲି ଟର୍ମିନାଲ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି  ନେଇଥିଲେ । ଏହା ପରେ ଏକ ବେସରକାରୀ ସଂସ୍ଥାକୁ ପାର୍କିଂ ଫି’  ଆଦାୟ କରିବା ପାଇଁ ଦାୟିତ୍ୱ ଦିଆଗଲା । ଯାତ୍ରୀ ଆଣୁଥିବା ଦୁଇ  ଚକିଆ, ତିନି ଚକିଆ, ଚାରି ଚକିଆ ସହିତ ଜିନିଷପତ୍ର ନେଇ  ଆସୁଥିବା ବ୍ୟାବସାୟିକ ଗାଡ଼ି, ଟର୍ମିନାଲ୍‌ରେ ଥିବା ଦୋକାନୀଙ୍କ  ବାଇକ୍‌ ଓ କାର୍‌କୁ ପାର୍କିଂରେ ରଖାଇବା ଏବଂ ସେସବୁ ପାଇଁ  ଫି’ ଆଦାୟ କରିବାର ଦାୟିତ୍ୱ ସଂସ୍ଥାକୁ ଦିଆଗଲା । ଟେଣ୍ଡର  ମାଧ୍ୟମରେ ଏନେଇ ଲାଇସେନ୍ସ ପ୍ରଦାନ କରାଗଲା । ୨୦୨୩  ଅକ୍ଟୋବର ପହିଲାରୁ ଏହି ଫି’ ଆଦାୟ କରାଗଲା । ଟେଣ୍ଡର  ନିୟମ ଅନୁସାରେ ଆଦାୟ ଅର୍ଥ ନିର୍ଦ୍ଧାରିତ ସମୟରେ ପୈଠ  କରିବାକୁ କୁହାଯାଇଥିଲା । ତେବେ ଲାଇସେନ୍ସ ଅବଧି ବର୍ଷେ  ପୂରିବା ପରେ ହଠାତ୍‌ ନୂଆ ଟେଣ୍ଡର ହୋଇପାରି ନ ଥିଲା । ଏଣୁ  ଅସ୍ଥାୟୀ ଭାବେ ସମ୍ପୃକ୍ତ ସଂସ୍ଥା ଫି’ ଆଦାୟ ଚାଲୁ ରଖିବାକୁ ଦାୟିତ୍ୱ  ଦିଆଯାଇଥିଲା । ମାତ୍ର ଏହି ସମୟରେ ଆଦାୟ ହୋଇଥିବା ପାର୍କିଂ  ବାବଦ ଟଙ୍କା ସମ୍ପୃକ୍ତ ସଂସ୍ଥା ଜମା କଲାନାହିଁ । ଏନେଇ ସିଡିଏ  କର୍ତ୍ତୃପକ୍ଷ ଓ ଉକ୍ତ ସଂସ୍ଥା ମଧ୍ୟରେ ନେଇ ତୁ ତୁ ମେ ମେ ଲାଗି  ରହିଲା । ଠିକା ସଂସ୍ଥା ଉପରେ ପ୍ରାୟ ୧୬ ଲକ୍ଷ ଟଙ୍କା ବକେୟା  ଗଡ଼ି ଚାଲିଲା । ଏଥିରେ ସୁଧାର ନଆସିବାରୁ ଫି’ ଆଦାୟ କରିବାରୁ  ଉକ୍ତ ସଂସ୍ଥାକୁ ବାରଣ କରାଗଲା । ତଥାପି ସଂସ୍ଥା ପକ୍ଷରୁ ବାକି ଟଙ୍କା  ପୈଠ କରାଗଲାନି ବୋଲି ସିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  

ନୂଆ ସଂସ୍ଥାକୁ ଫି’ ଆଦାୟ ଦାୟିତ୍ୱ ଦେବାକୁ ସିଡିଏ ପକ୍ଷରୁ  ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଡିସେମ୍ବର ୩୦ ତାରିଖରେ  ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଖୁବ୍‌ ଶୀଘ୍ର ଟେଣ୍ଡର ଖୋଲାଯାଇ  ନୂଆ ସଂସ୍ଥାକୁ ପାର୍କିଂ ଫି’ଆଦାୟ ଦାୟିତ୍ୱ ଦିଆଯିବ । ପୂର୍ବ ଫି’  ଆଦାୟ ସଂସ୍ଥା ଉପରେ ରହିଥିବା ୧୬ ଲକ୍ଷ ଟଙ୍କା ବକେୟା ଆଦାୟ  ପାଇଁ ଆଇନଗତ ପ୍ରକ୍ରିୟା ଚାଲିଥିବା ସିଡିଏ କର୍ତ୍ତୃପକ୍ଷ ସୂଚନା  ଦେଇଛନ୍ତି । ସେଯାଏ ସିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ନିଜ ମୂଳ  କାମ ଛାଡ଼ି ପାର୍କିଂ ଫି’ ଆଦାୟ କରିବା ଭ୍ରୂକୁଞ୍ଚନ ସୃଷ୍ଟି କରିଛି ।