ନୂଆଦିଲ୍ଲୀ, ୨୧/୦୮ : ଅନଲାଇନ୍ ଶୋଷଣର ଭୟଙ୍କର ଚିତ୍ର। ୧୨ ଦିନର ଲାଇଭ୍ ଷ୍ଟ୍ରିମିଂରେ ସାଥୀ ଇନଫ୍ଲୁଏନସରଙ୍କ ଦ୍ଵାରା ଅକଥନୀୟ ନିର୍ଯାତନା। ଆଖି ବୁଜିଲେ ଫ୍ରାନ୍ସର ଜଣାଶୁଣା ଇନଫ୍ଲୁଏନସର୍ ରାଫେଲ ଗ୍ରେଭେନ। ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭୟଙ୍କର ଦୃଶ୍ୟ। ଅନଲାଇନ୍ ଜିନ ପୋରମାନୋବ ତଥା ଜେପି ଅନଲାଇନ୍ ଭାବେ ଜଣାଶୁଣା ଏହି ୪୬ ବର୍ଷୀୟ ଇନଫ୍ଲୁଏନସରଙ୍କ ଲାଇଭ୍ ଷ୍ଟ୍ରିମିଂ ବେଳେ କ୍ୟାମେରା ସାମ୍ନାରେ ମୃତ୍ୟୁ ହୋଇଛି। ଅକଥନୀୟ ଶାରୀରିକ ନର୍ଯାତନା ଓ ଅନିଦ୍ରା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। 

ରାଫେଲ ଗ୍ରେଭେନଙ୍କର ସୋସିଆଲ ମିଡିଆରେ ପ୍ରାୟ ୧ ମିଲିଅନରୁ ଅଧିକ ଫଲୋୟର ରହିଛନ୍ତି। ସେ ବିଶେଷ କରି ସୋସିଆଲ ମିଡିଆ ପ୍ଲାଟଫର୍ମ 'କିକ' ଓ 'ଟିକଟକ୍‌'ରେ ଅଧିକ ଲୋକପ୍ରିୟ। ରାଫେଲ ୨୦୨୩ ପରଠାରୁ ବହୁ କ୍ରିଏଟରଙ୍କ ସହ କୋଲାବରେଟ୍ କରିଛନ୍ତି। ରାଫେଲଙ୍କ ଶେଷ ଲାଇଭ୍ ଷ୍ଟ୍ରିମିଂରେ ନାରୁତୋ ଅନଲାଇନ୍ ଏବଂ ସଫିନ୍ ହାମାଦିଙ୍କ ଭଳି କ୍ରିଏଟରଙ୍କୁ ଦେଖିବାକୁ ମିଳିଥିଲା। ମୃତ୍ୟୁ ପୂର୍ବରୁ ନାରୁତୋ ଓ ସଫିନ୍ ତାଙ୍କର ମଜାକ୍ ଉଡାଇବା, ଦୁର୍ବ୍ୟବହାର କରିବା , ଶାରିରୀକ ନିର୍ଯାତନା ଦେବା ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାକୁ ନିନ୍ଦା କରାଯାଉଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି। ରାଫେଲଙ୍କ ଏଭଳି ଦୟନୀୟ ମୃତ୍ୟୁ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

ସୋସିଆଲ୍ ମିଡିଆରେ ଏବେ ଦୁର୍ବ୍ୟବହାର ଏବଂ ଶାରିରୀକ ନିର୍ଯାତନାକୁ ମନୋରଞ୍ଜନ ଭାବେ ଦର୍ଶାଯାଉଛି। ରାଫେଲ ମଧ୍ୟ ଏହି ଷ୍ଟ୍ରିମିଂ ସଂସ୍କୃତିର ଶିକାର ଥିଲେ। ରାଫେଲଙ୍କ ମୃତ୍ୟୁ ପରେ କିକ୍ ଭଳି ସାଇଟ୍‌ରେ ନିୟମ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି। ଛୋଟ ଛୋଟ ପିଲାମାନେ ଏଭଳି ହିଂସାତ୍ମକ କଣ୍ଟେଣ୍ଟ ଦେଖିବା ଦ୍ଵାରା ସେମାନଙ୍କ ମଧ୍ୟରେ ନୃଶଂସତା ବୃଦ୍ଧି ପାଇବ। ତେଣୁ ଅନଲାଇନ୍ କଣ୍ଟେଣ୍ଟକୁ କଣ୍ଟ୍ରୋଲ କରିବା ପାଇଁ ୟୁଜରମାନେ ଦାବି କରିଛନ୍ତି। 

ପ୍ରକାଶ ଥାଉକି, ୨୦୨୫ରେ ନାରୁତୋ ଓ ସଫିନ ଦୁର୍ବଳ ଲୋକଙ୍କୁ ଟାର୍ଗେଟ୍ କରି ଅପମାନଜନକ ଭିଡିଓ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏବେ ରାଫେଲଙ୍କ ମୃତ୍ୟୁ ପରେ ଦୁହିଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି। ଶସ୍ତା ଲୋକପ୍ରିୟତା ଓ କେଇଟା ଲାଇକ୍ କମେଣ୍ଟ ପାଇଁ ଏବେ ମଣିଷ କିଭଳି ଭୟଙ୍କର ଅନଲାଇନ୍ ଶୋଷଣର ଶିକାର ହେଉଛି ତାହା ଏହି ଘଟଣା ପରେ ସାମ୍ନାକୁ ଆସିଛି।