ନୂଆଦିଲ୍ଲୀ,୦୧/୧୧: ଭାରତ ସରକାର ଏକ ଅପଡେଟ୍ ଜୈବ ବିବିଧତା ଆକ୍ସନ ପ୍ଲାନ୍ ଜାରି କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ଏହାର ୩୦ ପ୍ରତିଶତ ସ୍ଥଳଭାଗ, ଆଭ୍ୟନ୍ତରୀଣ ଜଳ, ଉପକୂଳ ଏବଂ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା କରିବା। ସରକାରଙ୍କ ଏହି ପଦକ୍ଷେପ ବିଶ୍ୱ ଜୈବ ବିବିଧତା ଲକ୍ଷ୍ୟ ସହିତ ମେଳ ଖାଉଛି। କଲମ୍ବିଆର କାଲିରେ ଅନୁଷ୍ଠିତ ୧୬ ତମ ଜାତିସଂଘ ଜୈବ ବିବିଧତା ସମ୍ମିଳନୀରେ ଏହି ଜାତୀୟ ଜୈବ ବିବିଧତା ରଣନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ୨୩ ଟି ଜାତୀୟ ଲକ୍ଷ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଲକ୍ଷ୍ୟଗୁଡିକ ୨୦୨୨ ମସିହାରେ କାନାଡାରେ ଆୟୋଜିତ ହୋଇଥିବା ୧୫ ତମ ଜାତିସଂଘ ଜୈବ ବିବିଧତା ସମ୍ମିଳନୀରେ ଗ୍ରହଣ କରାଯାଇଥିବା କୁମିଙ୍ଗ-ମୋଣ୍ଟ୍ରିଆଲ୍ ଗ୍ଲୋବାଲ୍ ବାୟୋ ଡାଇଭର୍ସିଟି ଫ୍ରେମ୍ଓ୍ବାର୍କ ସହିତ ଅନୁରୂପ ଅଟେ। ଜୈବ ବିବିଧତା ପାଇଁ ୧୭ ଟି ସମୃଦ୍ଧ ଦେଶ ମଧ୍ୟରୁ ଭାରତ ଅନ୍ୟତମ। ପରିବେଶର ସୁରକ୍ଷା ପାଇଁ ଭାରତ ୧୯୯୪ ରେ ମିଳିତ ଜାତିସଂଘର ଜୈବ ବିବିଧତା ସମ୍ମିଳନୀ ଚୁକ୍ତିକୁ ଗ୍ରହଣ କରିଥଇଲା।
ଜୈବ ସୁରକ୍ଷାକୁ ଗୁରୁତ୍ବ ଦେବ ଭାରତ:
୨୦୧୭-୧୮ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଜୈବ ବିବିଧତାର ସୁରକ୍ଷା, ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଭାରତ ପ୍ରାୟ ୩୨,୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଆହୁରି ମଧ୍ୟ, ଆଗାମୀ ବର୍ଷରୁ ଭାରତ ପ୍ରତିବର୍ଷ ୮୧,୬୬୪.୮୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅପଡେଟ୍ ଯୋଜନା ଅନୁଯାୟୀ, ଭାରତ ଏହାର ୩୦ ପ୍ରତିଶତ ଅଂଶକୁ ସଂରକ୍ଷିତ ଅଞ୍ଚଳ ତଥା ଅନ୍ୟାନ୍ୟ ପ୍ରଭାବଶାଳୀ କ୍ଷେତ୍ର ଭିତ୍ତିକ ସଂରକ୍ଷଣ ପଦକ୍ଷେପ ଅଧୀନରେ ଆଣିବାକୁ ଲକ୍ଷ୍ୟ ରଖିଛି, ଯାହା ବିଶ୍ୱବ୍ୟାପୀ ଜୈବ ବିବିଧତା ସଂରକ୍ଷଣ ପ୍ରୟାସରେ ଏକ ପ୍ରମୁଖ ଅବଦାନ ହେବ।
ଯୋଜନା କ'ଣ?
ଭାରତ ଜୈବ ବିବିଧତା ଲକ୍ଷ ହାସଲ କରିବାକୁ ଏହାକୁ ତିନୋଟି ମୁଖ୍ୟ କ୍ଷେତ୍ରରେ ବିଭକ୍ତ କରିଛି, ଯେଉଁଥିରେ ପ୍ରଥମ ଲକ୍ଷ ହେଉଛି ଜୈବ ବିବିଧତା ପ୍ରତି ଥିବା ବିପଦକୁ କମ୍ କରିବା। ଏଥିରେ ସ୍ଥଳ ଏବଂ ସମୁଦ୍ରକୁ ଉପଯୋଗରେ ପରିବର୍ତ୍ତନ, ପ୍ରଦୂଷଣ, ପ୍ରଜାତି ଗୁଡ଼ିକର ଅଧିକ ଉପଯୋଗ, ଜଳବାୟୁ ପରିବର୍ତ୍ତନ ଏବଂ ବିଦେଶୀ ଆକ୍ରମଣକାରୀ ପ୍ରଜାତିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଦ୍ବିତୀୟ କ୍ଷେତ୍ର ହେଉଛି ଲୋକଙ୍କ ଆବଶ୍ୟକତାର ସ୍ଥାୟୀ ପୂରଣ କରିବା, ଯାହା ଗ୍ରାମାଞ୍ଚଳର ଜୀବିକା ନିର୍ବାହ ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଏବଂ ଜଙ୍ଗଲ ପରିଚାଳନା ଉପରେ ଧ୍ୟାନ ଦେଇଥାଏ। ତୃତୀୟ କ୍ଷେତ୍ର ହେଉଛି ବିକାଶ ଲକ୍ଷ୍ୟରେ ଜୈବ ବିବିଧତାକୁ ଅନ୍ତର୍ଭୁକ୍ତ କରି ଏହାର କାର୍ଯ୍ୟକାରିତା ପାଇଁ ଉପକରଣ ଏବଂ ସମାଧାନ ସଂଗ୍ରହ କରିବା। ଏଥିରେ ନିରନ୍ତର ଉତ୍ପାଦନ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଉତ୍ସଗୁଡିକ ସଂଗ୍ରହ କରିବା ଏବଂ ଅନ୍ତର୍ଭୂକ୍ତ ଯୋଜନାକୁ ଉତ୍ସାହିତ କରିବା ମଧ୍ୟ ତମାମ ଯୋଜନାର ଅଂଶବିଶେଷ ଅଟେ।