ପୁରୀ,୩୦/୦୭: ଚଳିତ ବର୍ଷ ରଥଯାତ୍ରାର ପରଦିନ ଶରଧାବାଲିରେ ଘଟିଥିଲା ହୃଦୟ ବିଦାରକ ଦଳାଚକଟା ଘଟଣା । ଏହି ଅଘଟଣରେ  ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଅନେକ ଆହତ ହୋଇଥିଲେ । ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ଉନ୍ନୟନ କମିଶନରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ । ଗତ ମାସ ୨୮ ତାରିଖରେ  ଘଟଣା ଘଟିଥିବା ବେଳେ ୨୯ ତାରିଖରେ ଏହି  ଘଟଣାର ନିର୍ଦ୍ଦେଶନାମା ଜାରି ହୋଇଥିଲା ।  ଯାହାର ତଦନ୍ତ ମାସକ ମଧ୍ୟରେ ସାରିବାକୁ  ସରକାର ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଏହି ନିର୍ଦ୍ଦେନାମାକୁ ମାସେ ପୂରିଛି । ଏହି ମାମଲାର  ତଦନ୍ତ ହେଲା, ମାସେ ବି ପୂରିଲା । କିନ୍ତୁ ତଦନ୍ତରୁ  କ’ଣ ଜଣାପଡ଼ିଲା ତାହା ସ୍ପଷ୍ଟ ହୋଇନି ।  

ମାମଲାର ତଦନ୍ତ କରୁଥିବା ଉନ୍ନୟନ  କମିଶନର ସେଦିନ ଡ୍ୟୁଟିରେ ମୁତୟନ  ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ  ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ,  ସାଧାରଣ ଲୋକ ଏବଂ ଅନ୍ୟମାନଙ୍କୁ  ପଚରାଉଚରା କରିବା ସହିତ ଘଟଣା ସମ୍ପର୍କରେ  ମତ ରଖିଥିଲେ । ଏପରିକି ତଥ୍ୟ ମଧ୍ୟ  ଯୋଗାଡ଼ କରିଥିଲେ । ସମସ୍ତ ବୟାନକୁ ରେକର୍ଡ  କରାଯାଇଥିଲା । ସେହିପରି ସ୍ୱତନ୍ତ୍ର ୱାଟର୍ସ  ଆପ୍‌ ଓ ଇମେଲ୍‌ ଯୋଗେ ଫଟୋ ଏବଂ ଭିଡିଓ  ମଧ୍ୟ ଲୋକଙ୍କଠାରୁ ଆହ୍ୱାନ କରାଯାଇଥିଲା ।  

ପ୍ରଶାସନ ପାଖରେ ରଥଯାତ୍ରା ବେଳେ ଲାଗିଥିବା ଏଏଆଇ କ୍ୟାମେରା ଭିଡିଓ ଫୁଟେଜ୍‌ରେ ସମସ୍ତ  ଅଘଟଣର ଦୃଶ୍ୟ ସହିତ ଦାୟିତ୍ୱରେ ଖିଲାପ  କରିଥିବା ପ୍ରଶାସନିକ ଅଧିକାରୀଙ୍କ ବିଷୟରେ  ସମସ୍ତ ତଥ୍ୟ ରହିଛି । ମାତ୍ର ଏପର୍ଯ୍ୟନ୍ତ ସରକାର  ଏହି ଘଟଣାରେ ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ  ନେଇନାହାନ୍ତି । ଅଘଟଣ ପରଦିନ କେବଳ  ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ  କରାଯାଇଥିଲା । ଯେତେବେଳେ କି ଜିଲ୍ଲାପାଳ  ଓ ଏସ୍‌ପିଙ୍କ ତତ୍କାଳ ବଦଳି କରାଯାଇଥିଲା ।  ଏହି ଅଘଟଣ ପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ  ପ୍ରଶାସନ ସ୍ପଷ୍ଟ କରିନି କିମ୍ବା ସେମାନଙ୍କ  ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନି ।