ପ୍ରମୂଖ ଖବର

୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ

Published By : Harapriya Sethi | May 5, 2025 10:07 AM

ଭୁବନେଶ୍ୱର, ୦୫/୦୫: ଯୁବତୀଙ୍କ ଗଳିତ ମୃତଦେହ ଠାବ । ଅନୁଗୁଳ ଜିଲ୍ଲା ବଂରପାଳ ଥାନା ଭୋଗବେରିଣୀ କେନ୍ଦୁପଲ୍ଲୀ ଗାଁ ନିକଟ ବିଲରୁ ମିଳିଛି ଯୁବତୀଙ୍କ ଗଳିତ ମୃତଦେହ । ଯୁବତୀ ଜଣକ କଣିହାଁ ଥାନା ଲୋଧାଝରି ଗାଁର ବୋଲି ଜଣାପଡିଛି । ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଗତ ୨୬ ତାରିଖରୁ ତାଳଚେର ରୋଡ଼ ଷ୍ଟେସନ ନିକଟରୁ ନିଖୋଜ ହୋଇଥିବା ନେଇ ଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ସେ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଳଚେର ଷ୍ଟେସନରୁ ଭୁବନେଶ୍ୱର ଯିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍ ହୋଇଥିଲା । ପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ପାଇନଥିଲେ । ଶେଷରେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି କେନ୍ଦୁପଲ୍ଲୀ ଗାଁ ନିକଟ ବିଲରୁ ଯୁବତୀଙ୍କ ମୃତଦେହ ଠାବ କରିଥିଲା । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ କିଏ ଓ କାହିଁକି ଯୁବତୀଙ୍କୁ ହତ୍ୟା କରିଛି, ତାର ତଦନ୍ତ ଜାରି ରଖିଛି ପୋଲିସ । ଏହା ସହିତ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଡଗ୍‌ ସ୍କ୍ୱାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ରିପୋର୍ଟ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.