ରାୟଗଡ଼ା,(ଆପ୍ର),୨୯।୬ : ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ସହିତ ୩୦ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୂପା ବାହାରିଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ପ୍ରକାର ୮ ଟି ଦେଶର ୯ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ଯେଉଁଥିରେ ରହିଛି ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ୟୁଏଇ ଦେଶର ନୋଟ୍ ଓ ମୁଦ୍ରା। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି।
ସୋମବାର ସକାଳେ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଦୀର୍ଘ ୧୦ ଘଣ୍ଟା ଧରି ଗଣତି ହୋଇଥିଲା। ଏହା ପୂର୍ବରୁ ଜାନୁଆରୀ ୧୯ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସହିତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ଦେଶର ବିଦେଶୀ ନୋଟ ମଧ୍ୟ ବାହାରିଥିଲା।
ସୂଚନା ଥାଉକି, ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହେଲେ ଚଳିତଥର ପ୍ରାୟ ୫ ମାସ ପରେ ଖୋଲାଗଲା। ସୋମବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରରେ ରଖାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲି ଗଣତି ବେଳେ ପୁଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା।
ଆହୁରି ପଢନ୍ତୁ : ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହ