ନୂଆଦିଲ୍ଲୀ, ୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ଭାଇରାଲ ପୋଷ୍ଟରେ ଦାବି କରାଯାଉଛି ଯେ, ଆସନ୍ତା ୧ ଜୁଲାଇରୁ ୧୦, ୨୦, ୫୦ ଏବଂ ୧୦୦ ଟଙ୍କାର ପୁରୁଣା ନୋଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି କୌଣସି ମେସେଜ୍ ଆସିଛି, ତେବେ ସାବଧାନ ହୋଇଯାନ୍ତୁ। ଏହି ଖବର ପଛର ସତ୍ୟତା ଏବଂ ଏହା ଉପରେ ସରକାର କଣ ସ୍ପଷ୍ଟୀକରଣ ଦେଇଛନ୍ତି, ଆସନ୍ତୁ ଜାଣିବା । ସୋସିଆଲ ମିଡିଆରେ ଯେଉଁ ପୋଷ୍ଟଟି ଭାଇରାଲ ହେଉଛି, ସେଥିରେ 'ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର'ର ଲୋଗୋ ଲାଗିଥିବା ଏକ ପୋଷ୍ଟର ଦେଖିବାକୁ ମିଳୁଛି । ସେହି ପୋଷ୍ଟରରେ ଲେଖାଯାଇଛି ଯେ, ୧ ଜୁଲାଇ ୨୦୨୬ରୁ ୧୦, ୨୦, ୫୦ ଏବଂ ୧୦୦ ଟଙ୍କାର ପୁରୁଣା ନୋଟ୍ ବନ୍ଦ ହୋଇଯିବ । ତେବେ ଏଥିରେ ସମସ୍ତ ନୋଟ୍ ନୁହେଁ, ବରଂ ୨୦୦୫ ମସିହା ପୂର୍ବରୁ ପ୍ରିଣ୍ଟ ବା ଛପା ହୋଇଥିବା ନୋଟ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଦାବି କରାଯାଇଛି । ଏହା ସହିତ ଏହି ନିଷ୍ପତ୍ତି ଆରବିଆଇର ବୋଲି ମଧ୍ୟ କୁହାଯାଇଛି ।

ଏହା ବି ପଢ଼ନ୍ତୁ... India reply to Pakistan: କରାଚୀ ଆକ୍ରମଣକୁ ନେଇ ଭାରତ ଉପରକୁ ବିଷ ଓଗାଳିଲା ପାକିସ୍ତାନ; MEA କହିଲା 'ଅନ୍ୟକୁ ଆଙ୍ଗୁଠି ଦେଖାଇବା ବନ୍ଦ କର'

କ’ଣ ଏହି ଖବରର ସତ୍ୟତା ?

ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ନକଲି । ସରକାରଙ୍କ ସରକାରୀ ସଂସ୍ଥା ପ୍ରେସ୍ ଇନଫରମେସନ ବ୍ୟୁରୋ (PIB) ଏହି ଭାଇରାଲ ପୋଷ୍ଟର ଫ୍ୟାକ୍ଟ ଚେକ୍ କରି ସତ ସାମ୍ନାକୁ ଆଣିଛି । PIB ପକ୍ଷରୁ ଏକ୍ସ ଆକାଉଣ୍ଟରେ କୁହାଯାଇଛି ଯେ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ନାଁରେ ସେୟାର କରାଯାଉଥିବା ନୋଟିସ୍ ସମ୍ପୂର୍ଣ୍ଣ ଭୁଲ୍ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏଭଳି କୌଣସି ନୋଟିସ୍ ଜାରି କରିନାହିଁ । ଆରବିଆଇ ମଧ୍ୟ ସ୍ପଷ୍ଟ କରିଛି ଯେ, ୨୦୦୫ ପୂର୍ବରୁ ପ୍ରିଣ୍ଟ ହୋଇଥିବା ସମସ୍ତ ନୋଟ୍ ବଜାରରେ ସମ୍ପୂର୍ଣ୍ଣ ବୈଧ ରହିବ ଏବଂ ଏହାକୁ ବ୍ୟାନ୍ କରାଯାଉନାହିଁ । ସରକାର ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, ସୋସିଆଲ ମିଡିଆରେ ବ୍ୟାପୁଥିବା ଏଭଳି ଗୁଜବ ପ୍ରତି ସତର୍କ ରୁହନ୍ତୁ ଏବଂ କେବଳ ସରକାରୀ ବା ଅଧିକାରିକ ସୂତ୍ରରୁ ମିଳୁଥିବା ସୂଚନା ଉପରେ ହିଁ ଭରସା କରନ୍ତୁ । ଆପଣଙ୍କ ପାଖରେ ଥିବା ୧୦, ୨୦, ୫୦ କିମ୍ବା ୧୦୦ ଟଙ୍କାର ପୁରୁଣା ନୋଟ୍ ବନ୍ଦ ହେଉନାହିଁ । ଆପଣ ଏହାକୁ ବିନା କୌଣସି ଦ୍ୱିଧାରେ ବ୍ୟବହାର କରିପାରିବେ ।