ଭୁବନେଶ୍ୱର, ୧୯/୧୧ : ୨୦୧୫ ମସିହାରେ ଭୁବନେଶ୍ଵର ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା ପାଇଁ ଶୁଭ ଦିଆଗଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ଦେଇଥିଲେ । ଏହାକୁ ୧୦ ବର୍ଷ ବିତିଲା, ହେଲେ କାମ ସରୁନି । ବିଜେଡି ସରକାର ଯାଇ ବିଜେପି ସରକାର ଆସିଲାଣି । କିନ୍ତୁ ରାଜଧାନୀବାସୀଙ୍କ ପାଇଁ ଡ୍ରିମ୍ ପ୍ରକଳ୍ପ ଥିବା ସମାନ୍ତରାଳ ରାସ୍ତା କାମ ସରୁନି କି ଏଥିରେ ଥିବା ଅଡୁଆ ତୁଟୁନି । କେଉଁଠି ଜବରଦଖଲ ତ’ ଆଉ ଜମି ଅଧିଗ୍ରହଣ ସମସ୍ୟା । ବୁଢ଼ିଆଣୀ ଜାଲ ଭଳି ଅଡୁଆରେ ଛନ୍ଦି ହୋଇ ରହିଛି ଏହି ମେଗା ପ୍ରକଳ୍ପ ।

ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଅସମ୍ଭାଳ ଟ୍ରାଫିକ ଭିଡ଼ ହେଉଛି । ପିକ୍ ଟାଇମ୍ରେ(୯ଟାକୁ ୧୧ଟା ଓ ଅପରାହ୍ନରୁ ନେଇ ବିଳମ୍ବିତ ସନ୍ଧ୍ୟା ଯାଏ) ରାସ୍ତାରେ ଗାଡ଼ି ଆଗକୁ ଗଡ଼ାଇବାକୁ ଅପେକ୍ଷା କରିବାକୁ ପଡୁଛି । ଏହି ଭିଡ଼ର ଯନ୍ତ୍ରଣାକୁ ମୁକ୍ତି ଦେବାକୁ ପୂର୍ବ ସରକାର ବଡ଼ ଯୋଜନା କରିଥିଲେ । ଅନ୍ଧାରୁଆରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକ୍ସ ପାଖରୁ ପଥରଗାଡ଼ିଆ ଓ ସାଲିଆ ସାହି ଦେଇ ଏକାମ୍ରକାନନ ପାର୍କ ପାଖରେ ନୂଆ ବିକଳ୍ପ ରାସ୍ତା ଫିଟାଇବାକୁ ଯୋଜନା ହୋଇଥିଲା । ରାସ୍ତା ଫିଟିଲେ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ କମିଯିବ । ଲୋକେ ଏହି ବିକଳ୍ପ ରାସ୍ତା ଦେଇ ଯା’ଆସ କରିବେ । ନୂଆ ଭୁବନେଶ୍ୱରର ଲାଇଫ୍ ଲାଇନ୍ ପାଲଟିବ । ୨୦୧୫ରେ ଶୁଭ ପଡ଼ିବା ପରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ମୋଟ ୧୩ କିମି ରାସ୍ତାକୁ ୮ଟି ପ୍ୟାକେଜ୍ରେ କରିବାକୁ ଯୋଜନା ହେଲା । ଯେଉଁଠାରେ ଜମି ମିଳୁଥିଲା ପୂର୍ତ୍ତ ବିଭାଗ ରାସ୍ତା କାମ ଆଗକୁ ନେଉଥିଲା । ୧୦ ବର୍ଷ ଭିତରେ ୧୩ କିମି ରାସ୍ତାରୁ ପ୍ରାୟ ୧୦କିମି ରାସ୍ତାରେ ନିର୍ମାଣ କାମ ସରିଛି । ଆହୁରି ୩ କିମି ରାସ୍ତା କାମ ବାକି ଅଛି । ପ୍ରକଳ୍ପ ପାଇଁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବରୁ ଆକଳନ ହୋଇଥିଲା । କିନ୍ତୁ ପ୍ରକଳ୍ପ ବିଳମ୍ବ ହେଉଥିବାରୁ ଏହା ପ୍ରାୟ ୯୫ କୋଟିରେ ପହଞ୍ଚିଲାଣି । ପର୍ଯ୍ୟାୟକ୍ରମେ ବିଭିନ୍ନ ବାଧକ ହଟୁଥିବାବେଳେ ସାଲିଆ ସାହି ଓ ଚୁନୂକୋଳି ରାସ୍ତା ପାଖରେ ରାସ୍ତା ନେବାକୁ ସରକାର ନାକେଦମ୍ ହୋଇଛନ୍ତି ।

ସାଲିଆ ସାହିର ୮୭୭ ମିଟର ଦେଇ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୫୫୬ ଘର ଭଙ୍ଗାଯିବ । ଏଠାରେ ରାସ୍ତା ନେବାକୁ ୯କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସରକାରୀ ଜମିରେ ଥିବା ବସ୍ତି ଘର ଭାଙ୍ଗିବାକୁ ମଙ୍ଗଳବାରଠାରୁ ଉଚ୍ଛେଦ ଆରମ୍ଭ ହୋଇଛି । କିନ୍ତୁ ଏଥିପାଇଁ ବିଏମ୍ସି ଓ ବିଡିଏକୁ ପ୍ରାୟ ଦୁଇ ବର୍ଷ ଲାଗିଯାଇଛି । ଜମି ମିଳୁନଥିବାରୁ ପ୍ରକଳ୍ପ ବିଳମ୍ବିତ ହେଉଛି ଓ ଏହାର ମୂଲ୍ୟ ମଧ୍ୟ ବଢ଼ିଚାଲିଛି । ପୂର୍ବରୁ ରାସ୍ତା ପାଇଁ ବାଧକ ସାଜିଥିବା ୨୭ଟି ଘରୋଇ ଜମିକୁ ଅଧିଗ୍ରହଣ ହୋଇଥିଲା । କ୍ଷତିପୂରଣ ରାଶି ବାବଦରେ ପ୍ରାୟ ୮୮ କୋଟି ଟଙ୍କା ଦିଆଯାଇଥିଲା । ତେବେ ସାଲିଆ ସାହି ପରେ ଆଗକୁ ଚୁନୂକୋଳି ବସ୍ତି ଭାଙ୍ଗିବା ପୁଣି ମୁଣ୍ଡବିନ୍ଧା ପାଲଟିବ । ଏହି ଅଞ୍ଚଳ ଜଟଣୀ ନିର୍ବାଚନମଣ୍ଡଳୀରେ ଆସୁଛି । ଏଠାରେ ପ୍ରାୟ ୯୬ଟି ଘର ଭାଙ୍ଗିବାକୁ ସର୍ଭେ ହୋଇଛି । ପୁଣି ୧କିମିର ଘରୋଇ ଜମିକୁ ଅଧିଗ୍ରହଣ କରିବାକୁ ପଡ଼ିବ । ପୂର୍ବରୁ ଏଠାରେ ଏକ ପ୍ୟାକେଜ୍ରେ ଟେଣ୍ଡର ପାଇଥିବା ଏଜେନ୍ସି ଅଧାରୁ ଛାଡ଼ି ପଳାଇଥିଲା । ମାତ୍ର ୫୦୦ ମିଟର କାମ କରିବା ପରେ ଏହା ଆଉ ଆଗକୁ ବଢ଼ି ପାରୁନଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରାୟ ୨କିମିରୁ ଅଧିକ ରାସ୍ତା କାମ ସରିପାରୁନି । ଏଠାରେ ଅନେକ ପ୍ରଭାବଶାଳୀ ଲୋକ ରହୁଥିବାରୁ ସେମାନଙ୍କୁ ହଟାଇବା ବିଏମ୍ସି ପାଇଁ ଚାଲେଞ୍ଜ ପାଲଟିପାରେ । ୨୦୦ ଫୁଟିଆ ଏହି ସମାନ୍ତରାଳ ରାସ୍ତା ପଥରଗାଡ଼ିଆ ଛକ, ଚୁନୂକୋଳି ଗାଁ, ଓଇଆର୍ସି ଛକ, ଉତ୍କଳ ହସ୍ପିଟାଲ, ରେଲବିହାର ଛକ, ହାତିଆଶୁଣୀ, ସାଲିଆ ସାହି ଓ ଏକାମ୍ରକାନନ ପାର୍କ ଛକକୁ ଯୋଡ଼ିବ । ଏହି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେଲେ ଏହା ନୂଆ ଭୁବନେଶ୍ୱରର ଲାଇଫ୍ ଲାଇନ ପାଲଟିବ ।