ଅନୁଗୁଳ, ୧୫/୯ : ନିଶା କାରବାର ଉପରେ ଅନୁଗୁଳ ପୁଲିସର ପ୍ରହାର। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଚାଲିଛି ସ୍ପେଶାଲ୍ ଡ୍ରାଇଭ୍। ଜବତ ହେଲାଣି ୧୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନସୁଗର୍। ନିଶା କାରବାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। 

ସୂଚନାନୁଯାୟୀ, ଅନୁଗୁଳ ଜିଲ୍ଲାରେ ନିଶା କାରବାର ବନ୍ଦ ପାଇଁ ଗତ ୧ ତାରିଖରୁ ସ୍ପେଶାଲ୍ ଡ୍ରାଇଭ୍ ପ୍ରହାର ଚାଲିଛି। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ଏହି ସ୍ପେଶାଲ୍ ଡ୍ରାଇଭ୍‌ରେ ଏଯାବତ୍ ୧୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନସୁଗର୍ ଜବତ ହେଲାଣି। ଆଜି ଅମଲାପଡାରୁ ୧୨ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ ହୋଇଥିବା ବେଳେ ତାଳଚେର ରାଣିପାର୍କ ଅଞ୍ଚଳରୁ ୨୧ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ହେବ ବୋଲି ଆକଳନ କରାଯାଉଛି। ଏହା ସହ ନିଶା କାରବାରରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ଅନୁଗୁଳ ଏସଡିପିଓ କହିଛନ୍ତି।