ଭୁବନେଶ୍ୱର, ୨୭/୦୩: ମଦ ବ୍ୟବସାୟରେ ସରକାର ଚଳିତ ଆର୍ଥିକ ବର୍ଷଠାରୁ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଚାହିଛନ୍ତି । ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ନବୀକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥାରୁ ଠିପି ଖୋଲା ଦୋକାନକୁ ବାଦ୍ ଦିଆଯାଇଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଖୁବ୍‌ଶୀଘ୍ର ୧୧ ଶହ ୪୦ ଠିପି ବନ୍ଦ ଓ ୨ ଶହ ଦେଶୀ ମଦ ଦୋକାନର ଲଟେରି ହେବ ।

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ । ପୁରୁଣା ବ୍ୟବସାୟୀ ମଧ୍ୟ ଲଟେରିରେ ଭାଗ ନେବାର ସୁଯୋଗ ରହିବ । ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ଉଭୟ ଲଟେରିରେ ଭାଗ ନେଇ ପାରିବେ । ଲଟେରି ପାଇଁ ଆବେଦନ ଫି’ ୩ ଲକ୍ଷ ଟଙ୍କା ରଖାଯାଇଛି । ଆବେଦନକାରୀ ବ୍ୟକ୍ତି ଯଦି ଲଟେରି ନପାଇବେ ତା’ ହେଲେ ତାଙ୍କୁ ୩ ଲକ୍ଷ ଟଙ୍କା ଫେରସ୍ତ କରାଯିବ ନାହିଁ । ଲଟେରିରେ ନାମ ଆସିଲେ ମଦ ଦୋକାନ ଖୋଲିବାକୁ ସ୍ୱୀକୃତିପ୍ରାପ୍ତ ହୋଇ ପାରିବେ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି କୁହାଯାଇଛି । ଏହି ସବୁ ନୂଆ ବ୍ୟବସାୟୀଙ୍କ ଲାଇସେନ୍ସ ଅବଧି ୫ ବର୍ଷ ପର୍ଯ୍ୟନ୍ତ ରହିବ । ଏହି ଲଟେରି ବ୍ୟବସ୍ଥାକୁ ବିବାଦମୁକ୍ତ କରିବାକୁ ପ୍ରକ୍ରିୟାର ଆମୂଳଚୁଳ ଭିଡିଓ ରେକର୍ଡିଂ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୨୧ ବର୍ଷରୁ କମ୍ ବ୍ୟକ୍ତି, ଏକାଧିକ ଅପରାଧ ମାମଲା କିମ୍ବା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଦ ଦୋକାନ ପାଇଁ ଲଟେରି ଆବେଦନ କରିପାରିବେ ନାହିଁ । ଯେଉଁମାନଙ୍କ ନାଁରେ ପୂର୍ବରୁ ମଦ ଦୋକାନ ଥିଲା ସେମାନେ ଏମ୍ଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟିଡ୍ କୋଟା) ପୂରଣ କରି ନଥିବେ ତାଙ୍କ ଆବେଦନକୁ ଖାରଜ କରାଯିବ ।

୨୦୨୧ ମସିହା ଏପ୍ରିଲ୍ ମାସରେ ଯେଉଁମାନେ ଲଟେରି ମାଧ୍ୟମରେ ମଦ ଦୋକନ ପାଇଥିଲେ ସେମାନଙ୍କର ଆସନ୍ତା ୩୧ରେ ୫ ବର୍ଷ ଅବଧି ସରୁଛି । ନୂଆ ଲଟେରୀ ପାଇଁ ସମୟ ଆବଶ୍ୟକ ଥିବାରୁ ଏହାକୁ ନଜରରେ ରଖି ସରକାର ସେ ସବୁ ମଦ ଦୋକାନକୁ ଦୁଇ ମାସ ଅଧିକ ଦୋକାନ ଚଲାଇବାକୁ ଅନୁମତି ଦେଇଛନ୍ତି ।

ରାଜ୍ୟରେ ୧୧୪୦ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ୨୦୦ଟି ଦେଶୀ ମଦ ଦୋକାନ ରହିଛି । ଏହି ସବୁ ଦୋକାନଗୁଡ଼ିକୁ ସରକାର ରାଜ୍ୟ ପାନୀୟ ନିଗମ(ଓଏସ୍ବିସି) ଜରିଆରେ ମଦ ଯୋଗାଉଛନ୍ତି ।

ଅଧିକ ପଢ଼ନ୍ତୁ :-  ଗ୍ରାହକଙ୍କୁ ସମସ୍ୟାରେ ପକାଉଛି ଗ୍ୟାସ ଏଜେନ୍ସ; ଗାଡ଼ି ଆସିନି, କାଲି ଆସିବ ପୋଷ୍ଟର ଝୁଲାଇ କରୁଛନ୍ତି ହଇରାଣ