ଆଠଗଡ଼, ୦୭/୦୮: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଜଣ୍ଡିସ ଆକ୍ରାନ୍ତ । ଗାଁର ୧୪ ଆକ୍ରାନ୍ତ ଶିଶୁଙ୍କୁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଗାଁରେ ମେଡିକାଲ ଟିମ୍‌ ଆସି ଚିକିତ୍ସା ଜାରି ରଖିଛି । ପଞ୍ଚାୟତ ପାନୀୟଜଳ ଯୋଗାଣ ବିଭାଗ ଦ୍ୱାରା ହେଉଥିବା ଜଳଯୋଗାଣ ପାଇପ ବିଭିନ୍ନ ସ୍ଥାନରେ ଫାଟିଥିବା କାରଣରୁ ଦୂଷିତ ପାଣି ଯୋଗୁ ଜଣ୍ଡିସ୍ ବଢ଼ୁଛି ବୋଲି ଅଭିଯୋଗ ହୋଇଛି । ଜଣ୍ଡିସ୍ ବଢ଼ୁଥିବା ଖବର ପାଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । 

ସେପଟେ ଗାଁରେ କିପରି ରୋଗ ନିୟନ୍ତ୍ରଣ କରାଯିବ ସେନେଇ ସଚେତନତା କରାଇଛନ୍ତି । ଘଟଣାସ୍ଥଳରେ ବିଧାୟକ ବିଜୟ କୁମାର ଦଳବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଓ ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଜଳଯୋଗାଣ ପାଇପ ମରାମତି କରିବା ସହ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିକଟସ୍ଥ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିରମାନଙ୍କରେ ବିପୁଳ ପରିମାଣର ସର୍ବନିମ୍ନ ଦରକାରୀ ଔଷଧ, ବ୍ଲିଚିଂ ପାଉଡର ଆଦି ମହଜୁଦ ରଖିବାକୁ ବିଧାୟକ ଦଳବେହେରା ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ତ୍ୱରିତ ଗତିରେ ପରିମଳ ବ୍ୟବସ୍ଥା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।