ନୀଳଗିରି,୦୫/୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନକଲି ସୁନା ବିସ୍କୁଟ କାରବାର ଅଭିଯୋଗ । ଏହାର ଚେର ଗଞ୍ଜାମ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲମ୍ବିଛି। ଲୋକଙ୍କ ବିଶ୍ୱାସ ଜିତି ପିତଳ ପ୍ଲେଟରେ ସୁନାପାଣି ମଡ଼ାଇ ଏହାକୁ କାଟି ବିସ୍କୁଟ ଭଳି  କରି ବେପାର କରୁଛନ୍ତି ଦୁର୍ବୃତ୍ତ । ଏହି ଠକ ଦଳ ଜଣେ ବ୍ୟକ୍ତିଙ୍କୁ ସୁନା ବିସ୍କୁଟ ଦେବାକୁ କହି ତାଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରାଯାଇଛି ।

ସୂଚନା ମୁତାବକ, ନୀଳଗିରି ଏନଏସିରେ ଜଣେ ଯୁବକ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ବେପାର ବଢାଇଛନ୍ତି । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧିନ ସେବକନଗର ଗାଁର କୃଷ୍ଣ ନାୟକ ଲୋଭରେ ପଡି ଧାର କରଜ କରି ବଡ଼ ଲୋକ ହେବା ଆଶାରେ ଶସ୍ତାରେ ସୁନା ବିସ୍କୁଟ ନେବାକୁ ନୀଳଗିରି ଆସିଥିଲେ । ବାଣପୁର ଅଞ୍ଚଳର ବିଷ୍ଣୁ ମହାନ୍ତି ନାମକ ଯୁବକ ତାଙ୍କୁ ନକଲି ବିସ୍କୁଟ ଦେଖାଇ କିଛି ସ୍ଥାନରୁ ଡ୍ରିଲ କରି ଗୁଣ୍ଡ ପରୀକ୍ଷା କରିବାକୁ କୃଷ୍ଣ ନାୟକଙ୍କଠାରୁ ୬ ହଜାର ଟଙ୍କା ନେଇ ଗୁଣ୍ଡ ଦେଇଥିଲେ। ପରେ କୃଷ୍ଣ ନାୟକ ସୁନା ଦୋକାନକୁ ଯାଇ ସେହି ଗୁଣ୍ଡ ଗୁଡିକ ଅସଲି ନା ନକଲି ତାହା ଯାଞ୍ଚ କରିଥିଲେ । ସେଗୁଡ଼ିକ ସୁନା ବୋଲି ଜାଣିବା ପରେ ତାଙ୍କୁ ବିଶ୍ୱାସ ଆସିଥିଲା । ଏହାପରେ ୧୬ ଲକ୍ଷ ଟଙ୍କା ନେଇ ନୀଳଗିରି ଆସିବା ପରେ ବିଷ୍ଣୁ ମହାନ୍ତି କିଛି ଯୁବକଙ୍କ ସାହାଯ୍ୟରେ ଟଙ୍କା ଛଡାଇ ନେଇ ଆଉ ବିସ୍କୁଟ ଦେଇନଥିଲେ । ଏପରିକି ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଯାହା ପରେ ଥାନାରେ ଅଭିଯୋଗ  ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ନୀଳଗିରି ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତକୁ ଧରିବା ସହ ଆଉ ଜଣେ ଅଭିଯୁକ୍ତକୁ କେନ୍ଦ୍ରାପଡାରୁ ଗିରଫ କରାଯାଇଥିଲା । ଏହାର ଚେର ସାରା ରାଜ୍ୟରେ ଲମ୍ବିଥିବା ବେଳେ କେନ୍ଦ୍ରାପଡାର ୨ ଜଣ ଓ ନୀଳଗିରି ଅଞ୍ଚଳର ୫ଜଣ ଯୁବକ ଏହି ଘଟଣାରେ ସାମିଲ ଥିଲେ। ତେବେ ଗୁରୁବାର ରାତିରେ ପୁଲିସ ଆଉ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ଥିବାବେଳେ ୬୮ ହଜାର ଟଙ୍କା ଓ ୨ଟି ବାଇକ ଜବତ କରିଛି । ମୋଟ ୪ ଜଣ ଗିରଫ ହୋଇଥିବା ବେଳେ ଆହୁରି  ତିନିଜଣ ଫେରାର ହୋଇଛନ୍ତି।