ଘେରାଇ ହୋଇଛି ପଲିଥିନ୍ ପାଲ । ଭିତରେ ପଲିଥିନ ଓ ପ୍ଲାଷ୍ଟିକ ଗୋଦାମ । ଘିଅ, ତେଲ, ଝୁଣା, ଅଗରବତୀ, ବିଦ୍ୟୁତ୍ ସାମଗ୍ରୀ, କପଡ଼ା ଭଳି ଦହନଶୀଳ ସାମଗ୍ରୀ ଠୁଳ ହୋଇଛି । ଏହାକୁ ଲାଗି ହୋଟେଲ, ଜଳଖିଆ ଓ ଚା’ ଦୋକାନ । ସବୁଠି ଜଳୁଛି ଗ୍ୟାସ୍ ସିଲିଣ୍ଡର । ଟିକିଏ ଏପଟ ସେପଟେ ହେଲେ ଭୟଙ୍କର ଭାବେ ମାଡ଼ିଯିବ ନିଆଁ । ହୁତହୁତ ଜଳିବ, ନିଆଁର ବିରାଟ ଆଁ ପୂରା ହାଟକୁ ଧ୍ୱଂସ କରିଦେବ । ରାଜଧାନୀର ୧ନଂ ହାଟ ଏମିତି ବିସ୍ଫୋରକ ସ୍ଥିତିରେ ଅଛି । କେତେବେଳେ କିଛି ବି ଘଟିପାରେ ।

ସୋମବାର ରାତିର ଅଘଟଣ ବଡ଼ ଚେତାବନୀ ଦେଇଛି । ନ ଚେତିଲେ ଆର ଥରକୁ ପୂରା ହାଟ ଜଳିପୋଡ଼ି ପାଉଁଶ ହୋଇଯାଇପାରେ । ଗତ ଅକ୍ଟୋବର ୨୨ ତାରିଖରେ ହାଟର ୩୦ ଦୋକାନ ଜଳି ଯାଇଥିଲା । କିଛି ପ୍ରଭାବ ପଡ଼ିଲାନି । ଏବେ ଏହାର ଦୁଇ ଗୁଣା ଦୋକାନ ଜଳି ପୋଡ଼ି ଛାରଖାର ହେଲା । ଯଦି ଏ ନିଆଁ ଆଉ ଟିକିଏ ଭିତରକୁ ପଶିଥାଆନ୍ତା, ଭାବିଲା ବେଳକୁ ଛାତି ଥରିଯାଉଛି । କାଲି ଥିଲା ସୋମବାର । ହାଟ ବନ୍ଦ ଥିଲା । ଗହଳି ନଥିଲା । ହାଟ ଭିତର ଖାଁ ଖାଁ ଥିଲା। ହାଟ ପାଳିରେ ହଜାର ହଜାର ଲୋକଙ୍କ ଗହଳି । ଦୋକାନୀଙ୍କ ସଂଖ୍ୟା ବି କିଛି କମ ନୁହେଁ । ପାର୍କିଂରେ ବି ଗାଡ଼ି ମୋଟର ଭର୍ତ୍ତି । ହାଟ ଭିତରେ ଚାଲିବାକୁ ଠେଲାପେଲା । ସଂକୀର୍ଣ୍ଣ ରାସ୍ତା ଦେଇ ହାଟରୁ ବାହାରିବା ବି ମୁସ୍କିଲ । ଏ ନିଆଁ ଯଦି ହାଟ ପାଳିରେ ଲାଗିଥାଆନ୍ତା, ସ୍ଥିତି କଳ୍ପନା କରି ହେଉନି । ଖାଲି ଯେ ନିଆଁର ବିପତ୍ତି ନୁହେଁ, ଦଳାଚକଟା ଆଶଙ୍କା ସ୍ଥିତି ବି ଉପୁଜି ଥାଆନ୍ତା । ରାଜଧାନୀର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ୧ନଂ ହାଟ ଦଶନ୍ଧି ଦଶନ୍ଧି ଧରି ଏମିତି ବାରୁଦ ଗଦା ଉପରେ ଛିଡ଼ା ହୋଇଛି । ବିଏମ୍ସି ବି ବେଫିକର । ସମସ୍ତେ ହାଟରୁ ମୁନାଫା କମାଇବାରେ ବ୍ୟସ୍ତ । କିନ୍ତୁ ଏହାର ବିକାଶ ପାଇଁ କାହାର ଦରଦ ନାହିଁ । ଯୋଜନା ତ’ ହୋଇଛି, ନୀଳ ନକ୍ସା, ଗୋଲାପୀ ଚିତ୍ର... କେତେ କ’ଣ ! କେବେ ସୁପର ମାର୍କେଟ କମ୍ପେ୍ଲକ୍ସର ପରିକଳ୍ପନା, ଆଉ କେବେ ନଭଶ୍ଚୁମ୍ବୀ ମଲ୍ । କେବେ କହିଛନ୍ତି, ଭଗବାନପୁରକୁ ଉଠିଯିବ ପରିବା ଗୋଦାମ ପୁଣି କେବେ ଜବରଦଖଲ ଉଚ୍ଛେଦ ପାଇଁ ତାଲିକା କରିଛନ୍ତି । ହାଟରେ ଅଗ୍ନିଶମ ନିରାପତ୍ତା ପାଇଁ ବି ବଡ଼ ବଡ଼ କଥା କହିଛନ୍ତି । କିନ୍ତୁ କିଛି ହୋଇନି । ହାଟ ନେତାଙ୍କ ପାଇଁ ବଡ଼ ଭୋଟ୍ ବ୍ୟାଙ୍କ ପାଲଟିଛି । ଏହାକୁ କିଏ ନିଜ କବ୍ଜାରେ ରଖିବ, ସେଥିପାଇଁ ଜୋରଦାର ଲଢ଼େଇ । ହେଲେ ଏହାକୁ ବ୍ୟବସ୍ଥିତ କରିବା କଥା କେହି କେବେ ଚିନ୍ତା କରନ୍ତିନି ।

ନିଆଁରେ ସବୁ କିଛି ପାଉଁଶ ହେବା ପରେ ବିଏମ୍ସି କର୍ତ୍ତୃପକ୍ଷ ପୂରା ବୁଲଡୋଜର ଧରି ଦମ୍ଭ ଦେଖାଇଥିଲେ । ଗୋଡ଼ାଇ ଗୋଡ଼ାଇ ରାସ୍ତାକଡ଼ ଦୋକାନକୁ ଭାଙ୍ଗିଥିଲେ । ହେଲେ ଆଗରୁ କୁଆଡ଼େ ଯାଇଥିଲେ? ଗତକାଲି ରାତିରେ ନିଆଁ ଲିଭାଇବାକୁ ଅଗ୍ନିଶମ ଗାଡ଼ି ହାଟ ଭିତରକୁ ପଶିପାରିଲାନି । ପାଚେରୀ ଭାଙ୍ଗିବାକୁ ପଡ଼ିଲା । ପୂର୍ବଥର ବି ସମାନ ଘଟଣା ହୋଇଥିଲା । ପୁଲିସ ଓ ଅଗ୍ନିଶମ ବିଭାଗ ବି କମ୍ ଦୋଷୀ ନୁହେଁ । ନିଆଁ ଲାଗିଲେ ତତକ୍ଷଣାତ୍ ପାଣି ବାଲ୍ଟିଏ ପକାଇବାକୁ ବି ବ୍ୟବସ୍ଥା ନାହିଁ । ହାଟ ଭିତର ସ୍ଥିତି ଅଗ୍ନିକାଣ୍ଡ ପାଇଁ ସମ୍ବେଦନଶୀଳ ଥିଲେ ବି ପୁଲିସ କାହିଁକି ନିଜ ଆଡ଼ୁ କେବେ କାର୍ଯ୍ୟାନୁଷ୍ଠାନ ନେଇନି ? କମିଶନରେଟ ପୁଲିସ ଆଇନରେ କ’ଣ ନିୟମ ନାହିଁ ? ନିଆଁ ଲିଭିଗଲା ପରେ ସବୁ ଦଳର ନେତା ହାଟରେ ପହଞ୍ଚି ଆଶ୍ୱାସନା ଅଜାଡ଼ି ଦେଉଥିଲେ । ହେଲେ ଏମିତି ସ୍ଥିତିକୁ ଟାଳିବାକୁ କେବେ ନିଜ ଆଡୁ ପ୍ରୟାସ ବି କରିନାହାନ୍ତି । ଅଦ୍ୱିତୀୟ କୋଣାର୍କ ମନ୍ଦିର ୧୨ ବର୍ଷରେ ତିଆରି ସରିଥିଲା । କିନ୍ତୁ ରାଜଧାନୀର ହୃଦୟ ଉପରେ ଥିବା ୧ନଂ ହାଟର ନବକଳେବର ଯୋଜନାକୁ ଦୁଇ ଦଶନ୍ଧି ବିତିଲାଣି । ଫଳକଟିଏ ବି ଲାଗି ପାରିଲାନି । ହାଟ ଭିତରେ ୧୦୫୬ ଦୋକାନ ଅଛି । ପାଖରେ ପେଟ୍ରୋଲ ପମ୍ପ ବି ଅଛି । ସକାଳ ୬ରୁ ରାତି ୧୨ଟା ଯାଏ ଗହଳି । ଭିଡ଼ ସମୟରେ ନିଆଁ ଲାଗିଲେ ଲୋକେ ବାହାରିବା ଅସମ୍ଭବ । ଏହାକୁ ସବୁ ଜାଣିବା ପରେ ବି ପୁଲିସ, ବିଏମ୍ସି କିଭଳି ଚୁପ୍ ବସୁଛନ୍ତି । ଆଜି ଅନେକ ପ୍ରତିଶ୍ରୁତି ବର୍ଷା ହୋଇଛି । ସତରେ ଏହା ପୂରା ହେବ ନା ପୁଣି ଏକ ଅଗ୍ନିକାଣ୍ଡ ଓ କ୍ଷୟକ୍ଷତିକୁ ଅପେକ୍ଷା କରିବା?