ଡାବୁଗାଁ/ନୂଆପଡା, ୧୫/୫  : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଓ ସରାଗୁଡା ଗ୍ରାମରେ ବଜ୍ରପାତରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୩ ଜଣ ଆହତ ହୋଇଛନ୍ତି।  ମୃତକ ଜଣକ ହେଲେ ଡ଼ଙ୍ଗରିଗୁଡା ଗ୍ରାମର ଦଶାଇ ପନକା।

ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମର ଦଶାଇ ପନକା (୫୨) ଡାବୁଗାଁ ହାଟକୁ ପନିପରିବା କିଣି ବସ ଯୋଗେ ବୋରିଗାଁ ଛକ ଆସିଥିଲେ। ସେଠାରୁ ଚାଲି ଚାଲି ନିଜ ଘରକୁ ଫେରୁଥିଲେ ।ବୋରିଗାଁ ଗ୍ରାମ ପୂର୍ବରୁ ପୋଲ ନିକଟରେ ହଠାତ ବର୍ଷା ସହ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦଶାଇ ପନକାଙ୍କ ମୃତ୍ୟୁ ଘଟିଥିଲା । 

ସେହିପରି କୋଇଲାରୀ ପଞ୍ଚାୟତ ଅଧୀନ ସରାଗୁଡା ଗ୍ରାମର ଲାଇବାନ ଭତ୍ରାଙ୍କ  ଝିଅ  ଓ ୨ ନାତି ଘରେ ଥିଲେ । ସେହି ସମୟରେ ଘର ଉପରେ ବଜ୍ରପାତ ଘଟିଥିଲା । ଘର ଭିତରେ ଥିବା ଲାଇବାନଙ୍କ ଝିଅ ରତନା ଭତ୍ରା (୧୫), ନାତି ରାଜେଶ ଭତ୍ରା (୬) ଓ ନିତେଶ ଭତ୍ରା (୩ ମାସ) ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେହିପରି  ବରଗଡ଼ ଜିଲ୍ଲା ପାଇକମାଲ ଥାନା ପୁରେନା ଗାଁରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ନାବାଳକ ପୁରେନା ଗାଁର ବ୍ରିଜ ଧରୁଆଙ୍କ ପୁଅ ରଞ୍ଜିତସିଂ ଧରୁଆ(୮) । ଗୁରୁବାର ସନ୍ଧ୍ୟାରେ ପୁରେନା ଗାଁ ଦାଣ୍ଡରେ ୪ ଜଣ ପିଲା ଖେଳୁଥିଲେ । ଏହି ସମୟରେ ଘଡଘଡି ସହ ବର୍ଷା ପବନ ହୋଇଥିଲା । ସେଠାରେ ଅନ୍ୟ ୩ ଜଣ ଛୁଆ ଦୌଡ଼ି ଦୌଡ଼ି ଘରକୁ ଚାଲି ଯାଇଥିଲେ । କିନ୍ତୁ ରଞ୍ଜିତ ବର୍ଷା ପବନରେ ଦୌଡ଼ି କି ଘରକୁ ଯାଇ ପାରିନଥିଲେ । ସେ ଗାଁ ଦାଣ୍ଡରେ ଫସି ଯାଇଥିଲେ । ସେଠି ବହୁତ ଜୋରରେ ବର୍ଷା ଓ ପବନ ସହ ଘଡଘଡି ହୋଇଥିଲା । ଏଭଳି ଗାଁ ଦାଣ୍ଡରେ ବଜ୍ରାଘାତରେ ରଞ୍ଜିତ ଟଳି ପଡ଼ିଥିଲେ । ପରିବାର ଲୋକେ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠି ଗୁରୁତର ରଞ୍ଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।