ଲଣ୍ଡନ,୧୭/୦୫: ଆଗାମୀ ଫିଫା ବିଶ୍ୱକପ୍ରେ ସିଧା ପ୍ରସାରଣ ଅଧିକାର ହାସଲ କରିଛି ଚୀନ । କେବଳ ଭାରତ ବାକି ରହି ଯାଇଛି । ଚୀନକୁ ମାତ୍ର ୬୦ମିଲିୟନ ଡଲାର ମୂଲ୍ୟରେ ପ୍ରସାରଣ ଅଧିକାର ମିଳିଛି । ଚୀନ୍ରେ ବିଶ୍ୱକପ୍ର ସିଧା ପ୍ରସାରଣ ଅଧିକାର ପାଇଁ ଫିଫା ୩୦୦ମିଲିୟନ ଡଲାର ମୂଲ୍ୟ ନିର୍ଦ୍ଧାରଣ କରିଥିଲା । ଚାଇନା ମିଡ଼ିଆ ଗ୍ରୁପ୍ (ସିଏମଜି) ଏହି ମୂଲ୍ୟରେ ମୋଟ୍ ୪ଟି ଫିଫା ବିଶ୍ୱକପର ପ୍ରସାରଣ ଅଧିକାର ହାସଲ କରିଛି ।
ଆଗାମୀ ପୁରୁଷ ବିଶ୍ୱକପ୍ ବ୍ୟତୀତ ଏହି ଚୁକ୍ତିରେ ୨୦୨୭ ମହିଳା ବିଶ୍ୱକପ୍, ୨୦୩୦ ପୁରୁଷ ଓ ୨୦୩୧ ମହିଳା ବିଶ୍ୱକପ୍ ରହିଛି । ଫିଫା ସମ୍ପାଦକ ମାତିଆସ ଗ୍ରାଫଷ୍ଟ୍ରମ ସମ୍ପ୍ରତି ଚୀନ ଗସ୍ତରେ ରହିଛନ୍ତି ଓ ସିଏମଜି ସହ ବିଶ୍ୱକପ୍ ପ୍ରସାରଣ ପାଇଁ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଚୀନ୍ର କିଛି କମ୍ପାନୀ ଫିଫା ବିଶ୍ୱକପ୍ର ପ୍ରାୟୋଜକ ରହିଛନ୍ତି । ଏହି ବାବଦରେ ଫିଫା ୧୧ ବିଲିୟନ ଡଲାରରୁ ଅଧିକ ଅର୍ଥ ଆୟ କରିବାକୁ ଯାଉଛି । ତେଣୁ ପ୍ରସାରଣ ଅଧିକାର ମୂଲ୍ୟ କମାଇବା ଫଳରେ ଫିଫାର କୌଣସି କ୍ଷତି ହେବ ନାହିଁ । ବିଶ୍ୱକପ୍ର ୮ଟି ମୁଖ୍ୟ ପ୍ରାୟୋଜକ ମଧ୍ୟରେ ‘ଲେନୋଭୋ’ ରହିଛି । ସହ ପ୍ରାୟୋଜକ ତାଲିକାରେ ଚୀନ୍ର ଡାଏରୀ ଫାର୍ମ ‘ମେଙ୍ଗନିୟୁ’ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କମ୍ପାନୀ ‘ହାଇସେନ୍ସ’ ରହିଛନ୍ତି ।
ଅଧିକ ପଢ଼ନ୍ତୁ :- KKR VS GT: କୋଲକାତାରେ କାହିଁକି ବୁଡ଼ିଲା ଗୁଜରାଟ ଟାଇଟନ୍ସ ? ଆସିଷ୍ଟାଣ୍ଡ କୋଚ୍ ଖୋଲିଲେ ସିକ୍ରେଟ୍
୨୦୩୦ ବିଶ୍ୱକପ୍ ସ୍ପେନ୍, ପର୍ତ୍ତୁଗାଲ ଓ ମରକ୍କୋ ମିଳିତ ଭାବେ ଆୟୋଜନ କରିବେ । କେବଳ ଗୋଟିଏ ଲେଖାଏଁ ମ୍ୟାଚ ଆୟୋଜନ କରିବା ପାଇଁ ଆର୍ଜେଣ୍ଟିନା, ଉରୁଗୁଏ ଓ ପାରାଗୁଏକୁ ମିଳିବ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଯୋଜନା କରାଯାଇଛି । ବ୍ରାଜିଲ୍ ୨୦୨୭ ମହିଳା ବିଶ୍ୱକପ୍ ଆୟୋଜନ କରିବ । ସେହିପରି ମେକ୍ସିକୋ, କୋଷ୍ଟାରିକା ଓ ଜାମାଇକା ମିଳିତ ଭାବେ ୨୦୩୧ ସଂସ୍କରଣ ଆୟୋଜନ କରିବେ ।