କଟକ,୧୭/୦୮: ସଡ଼କ ସୁରକ୍ଷା ନିୟମ  ଉଲ୍ଲଙ୍ଘନ କରିବା ଘଟଣାରେ ରାଜ୍ୟ ପରିବହନ  ପ୍ରାଧିକରଣ(ଏସ୍‌ଟିଏ) କମିସନରଙ୍କ ନିର୍ଦ୍ଦେଶରେ  ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ  (ଆର୍‌ଟିଓ) ପକ୍ଷରୁ ଚଢ଼ଉ କଡ଼ାକଡ଼ି କରାଯାଇଛି ।  ମାଲ୍‌ବାହୀ ଗାଡ଼ିରେ ରେଟ୍ରା ରିଫ୍ଲେକ୍ଟିଭ୍‌ ଟେପ୍‌  ଲଗାଯାଇ ନ ଥିବାରୁ ଏଭଳି ୨୨୭ଟି ଗାଡ଼ିର ଫିଟ୍‌ନେସ୍‌  ପ୍ରମାଣପତ୍ର ରଦ୍ଦ କରି ଦିଆଯାଇଛି । ଦୁଇ ଦିନରେ  ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ  ଯଦି ଗାଡ଼ି ମାଲିକମାନେ ଏ ଦିଗରେ ସଚେତନ ନ  ହେବେ ତେବେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ  ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।  

ଏହି ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ୍‌ ଅଗଷ୍ଟ ୧୪ ରାତି  ୯ ରୁ ୧୨ ଓ ଅଗଷ୍ଟ ୧୫ ତାରିଖ ଭୋର୍‌ ୪ ରୁ  ସକାଳ ୬ ଯାଏ କରାଯାଇଥିଲା । ଆର୍‌ଟିଓ ମାନଙ୍କ  ଦ୍ୱାରା ଗଠିତ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ବିଭିନ୍ନ  ରାଜପଥରେ ଉଭୟ ମାଲ୍‌ବାହୀ ଓ ଯାତ୍ରୀବାହୀ ଗାଡ଼ି  ଗୁଡ଼ିକୁ ଯାଞ୍ଚ୍‌ କରିଥିଲେ । ଯେଉଁ ଗାଡ଼ି ବି ଏହି ନିୟମ  ଉଲ୍ଲଙ୍ଘନ କରିଥିଲେ, ସେମାନଙ୍କ ଫିଟନେସ୍‌ ରଦ୍ଦ  କରାଯାଇଛି । ଜଗତସିଂହପୁର ଆର୍‌ଟିଓଙ୍କ ଦ୍ୱାରା  ସର୍ବାଧିକ ୨୭, ଝାରସୁଗୁଡ଼ା ଆର୍‌ଟିଓରେ ୨୬,  ଭୁବନେଶ୍ୱର-୧ ଆର୍‌ଟିଓ ୧୫, ରାଉରକେଲା ଆର୍‌ଟିଓ  ୧୩, କେନ୍ଦୁଝର ଆର୍‌ଟିଓ ୧୨, କଟକ ଓ ଚଣ୍ଡିଖୋଲ  ଆର୍‌ଟିଓରେ ୯ ଟି ଲେଖାଏଁ, ଭୁବନେଶ୍ୱର-୨ ଆର୍‌ଟିଓ  ୮, ଗଞ୍ଜାମ ଆର୍‌ଟିଓ ୭, ବଲାଙ୍ଗିର, ତାଳଚେର ଓ କେନ୍ଦ୍ରାପଡ଼ା ଆର୍‌ଟିଓରେ ୬ ଟି ଲେଖାଏଁ, ଭଦ୍ରକ ଓ  ସୋନପୁରରେ ୫ଟି ଲେଖାଏଁ ଗାଡ଼ିର ଫିଟ୍‌ନେସ୍‌ ରଦ୍ଦ  କରାଯାଇଛି । 

ସେହିଭଳି ଢେଙ୍କାନାଳ, ଫୁଲବାଣୀ,  ନୂଆପଡ଼ା, ବୌଦ୍ଧ, ଯାଜପୁର, ରାୟଗଡ଼ା ଆର୍‌ଟିଓ  ଓ ଖୋର୍ଦ୍ଧା ଏଆର୍‌ଟିଓରେ ୪ ଟି ଲେଖାଏଁ ଗାଡ଼ିର ଫିଟ୍‌ନେସ୍‌ ରଦ୍ଦ କରାଯାଇଛି । ଫିଟନେସ୍‌ ପ୍ରମାଣପତ୍ର  ରଦ୍ଦ ହୋଇଥିବା ଗାଡ଼ି ଗୁଡ଼ିକରୁ ଅନେକ ଆଦୌ  ରେଟ୍ରା ରିଫ୍ଲେକ୍ଟିଭ୍‌ ଟେପ୍‌ ଲଗାଇ ନଥିଲେ ଏବଂ କିଛି  ଏହାକୁ ଠିକ୍‌ ଭାବେ ଲଗାଇ ନ ଥିଲେ । ସେହି ଗାଡ଼ି  ଗୁଡ଼ିକ ପୁଣି ଫିଟ୍‌ନେସ୍‌ ପାଇବାକୁ ନିୟମ ଅନୁଯାୟୀ  ଟେପ୍‌ ଲଗାଇ ଆବେଦନ କରିବାକୁ କୁହାଯାଇଛି । 

ମୋଟର ଯାନ ଆଇନ ଅନୁଯାୟୀ, ସମସ୍ତ ବାଣିଜ୍ୟିକ  ଯାନ ଗାଡ଼ିରେ ରେଟ୍ରା ରିଫ୍ଲେକ୍ଟିଭ୍‌ ଟେପ୍‌ ଲଗାଇବା ବାଧ୍ୟତାମୂଳକ । ଗାଡ଼ିର ପଛପଟେ ନାଲି, ଉଭୟ ପାଶ୍ୱର୍ରେ ହଳଦିଆ ଏବଂ ଆଗରେ ଧଳା ଟେପ୍‌  ଲଗାଇବା ପାଇଁ ନିୟମ ରହିଛି । ଯେମିତି ଅନ୍ୟ  ସଡ଼କ ବ୍ୟବହାରକାରୀ ଗାଡ଼ିକୁ ଅନ୍ଧାର କିମ୍ବା କମ୍‌  ଆଲୁଅରେ ଦେଖିପାରନ୍ତି । ଯାହା ଦୁର୍ଘଟଣାକୁ ହ୍ରାସ  କରିବାରେ ସହାୟକ ହୋଇଥାଏ । ବିଶେଷକରି,  ଜାତୀୟ ରାଜପଥରେ ରାତି ଓ ଭୋର୍‌ ସମୟରେ  ଭାରୀଯାନ ଚଲାଉଥିବା ଚାଳକଙ୍କ ପାଇଁ ଅନ୍ୟ  ଗାଡ଼ିର ସ୍ଥିତିକୁ ଜାଣିବାରେ ସହାୟକ ହୋଇଥାଏ ।