ନୂଆଦିଲ୍ଲୀ, ୧୯/୦୮ : ସଉକରୁ ସଫଳତା । ପରିଚୟ ଦେଲା ପର୍ତ୍ତୁଲିକା। ଇଞ୍ଜିନିୟରରୁ ପାଲଟିଗଲେ ସଫଳ ଫୁଲ ବ୍ୟବସାୟୀ। କମ୍ ପରିଶ୍ରମରେ ବଗିଚାରୁ ମିଳୁଛି ଲକ୍ଷାଧିକ ରୋଜଗାର। ଦେଶ ବିଦେଶରୁ ଆସୁଛି ଅର୍ଡର୍। ନିଜସ୍ବ ଉଦ୍ୟମରେ ଠିଆ କରିପାରିଛନ୍ତି ଏକ ବିରାଟ ଉଦ୍ୟୋଗ । ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ କରିପାରିଛନ୍ତି ସ୍ଵାବଲମ୍ଵୀ। ଆମେ କହୁଛୁ କେରଳ ଅଲପୁଝା ଜିଲ୍ଲାର ମୁହମ୍ମା ଗାଁର ୨୪ ବର୍ଷିୟା ପାର୍ବତୀ ମୋହନନଙ୍କ କଥା।
ପର୍ତ୍ତୁଲିକା ଦେଖିବାକୁ ଯେତିକି ସୁନ୍ଦର, ସେତିକି ମନଲୋଭା। ଘରକୁ ସୁନ୍ଦର କରିବା ପାଇଁ ଏହି ଗଛକୁ ସମସ୍ତେ ଲଗାନ୍ତି। କମ୍ ଖର୍ଚ୍ଚ ଓ ଲୋ ମେଣ୍ଟେନାନ୍ସରେ ଭଲ ଭାବରେ ବଢିବା ଯୋଗୁଁ ପ୍ରତ୍ୟେକ ବଗିଚା ପ୍ରେମୀଙ୍କ ପାଇଁ ଏହା ପ୍ରଥମ ପସନ୍ଦ। ହେଲେ ପର୍ତ୍ତୁଲିକାକୁ ନେଇ ଯେ ବିଜନେସ୍ କରିହେବ ଓ ଲକ୍ଷାଧିକ ଟଙ୍କା ରୋଜଗାର କରିହେବ ତାହା ଖୁବ୍ କମ୍ ଲୋକ ଭାବି ପାରନ୍ତି। ଆଉ ଏହାକୁ ସମ୍ଭବ କରି ପାରଛନ୍ତି ପାର୍ବତୀ।
ଅଲପୁଝା ଜିଲ୍ଲାର ମୁହମ୍ମା ଗାଁରେ ପାର୍ବତୀ ମୋହନନଙ୍କ ବାଡ଼ିରେ ପର୍ତ୍ତୁଲିକାର ଏକ ମନୋରମ ବଗିଚା ଥିଲା। ସପ୍ତାହନ୍ତରେ ପାର୍ବତୀ ଯେବେ ଛୁଟିରେ ଗାଁକୁ ଫେରନ୍ତି ସେତେବେଳେ ଏହି ସୁନ୍ଦର ବଗିଚା ତାଙ୍କୁ ସ୍ଵାଗତ କରେ। ୨୦୨୦ରେ କୋଭିଡ୍-୧୯ ସମୟରେ ତାଙ୍କ କଲେଜ ଅନିର୍ଦ୍ଧିଷ୍ଟ ପାଇଁ ପାଇଁ ବନ୍ଦ ହୋଇଯାଇଥିଲା। ସେ ଘରକୁ ଫେରି ଅନଲାଇନ୍ କ୍ଲାସ୍ କରୁଥିଲେ ଓ ବାଡ଼ି ବଗିଚାରେ ଗଛ ଗୁଡ଼ିକର ଦେଖାଶୁଣା କରିବା ଆରମ୍ଭ କଲେ। ଏକ ନର୍ସରୀରୁ ସେ ପ୍ରଥମେ ୩୦ କିସମର ପର୍ତ୍ତୁଲିକା ଆଣି ଘରେ ଲଗାଇଥିଲେ। ଗଛରେ ଫୁଲ ଧରିବା ପରେ ସେ ଏହାର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ତାଙ୍କୁ ଅର୍ଡର ଆସିବା ଆରମ୍ଭ ହୋଇଥିଲା। ପର୍ତ୍ତୁଲିକା ଚାଷକୁ ସେ ଉଦ୍ୟୋଗୀକରଣ କରିବା ପାଇଁ ସ୍ଥିର କରିଥିଲେ।
ଏହାପରେ ପାର୍ବତୀ ଏକ ସେଲ୍ ପୋଷ୍ଟରେ ଚାରା ବିକିବା ଆରମ୍ଭ କଲେ। ପ୍ରଥମେ ଫେସବୁକ୍ରେ ତାଙ୍କୁ ୧୦ଟି ଅର୍ଡର ଆସିଥିଲା। ପରେ ପରେ ତାଙ୍କୁ ପ୍ରତିଦିନ ୫୦ରୁ ୧୦୦ ଅର୍ଡର ଆସିଲା। ଏବେ ଦେଶ ବିଦେଶରୁ ପାର୍ବତୀଙ୍କ ପାଖକୁ ଅର୍ଡର ଆସୁଛି। ମାସକୁ ସେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ପାର୍ବତୀଙ୍କ ପାଖରେ ଏବେ ୩୦୦ କିସମର ପର୍ତ୍ତୁଲିକା ରହିଛି। କିଛି କିଛି କିସମର ଦାମ୍ ୫୦୦୦ ଟଙ୍କା ମଧ୍ୟ ରହିଛି। ପାର୍ବତୀ ଏକ ଆଇଟି କମ୍ପାନୀରେ କାମ କରିବା ସହ ପର୍ତ୍ତୁଲିକା ବ୍ୟବସାୟ କରୁଛନ୍ତି। ସେ ତାଙ୍କ ବଗିଚାର ଦେଖାଶୁଣା କରିବା ପାଇଁ ୨ଜଣ ମହିଳା ସହଯୋଗୀ ରଖିଛନ୍ତି। ପର୍ତ୍ତୁଲିକା ଚାଷରେ ସେ ପାଗ ପରିବର୍ତ୍ତନର ଚ୍ୟାଲେଞ୍ଜ୍କୁ ସାମ୍ନା କରନ୍ତି। ବିଶେଷ କରି ବର୍ଷା ଦିନେ ଚାଷ ପ୍ରଭାବିତ ହୁଏ। ଅଧିକ ପାଣି ଯୋଗୁଁ ଗଛ ପଚିଯାଏ। ତଥାପି ବୀପରିତ ପରିସ୍ଥିତିରେ ପାର୍ବତୀ ଏହି ଚାଷ ଜାରି ରଖିଛନ୍ତି। ସେ ନିଜେ ବ୍ୟବସାୟ କରି ଅନ୍ୟଙ୍କୁ ସ୍ଵାବଲମ୍ବୀ କରି ପାରିଛନ୍ତି।