ରାୟପୁର,୦୧/୧୧: ଛତିଶଗଡ଼  ଇତିହାସରେ ନଭେମ୍ବର ୧ରେ ନୂଆ ଅଧ୍ୟାୟ  ଯୋଡ଼ିହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଶନିବାର ରାଜ୍ୟବାସୀଙ୍କ  ପାଇଁ ନୂଆ ବିଧାନସଭା ଭବନ ଲୋକାର୍ପିତ କରିବେ । ଏହି ଅବସରରେ ମୋଦି  ପ୍ରାୟ ୧୪,୨୬୦ କୋଟି ଟଙ୍କାର ବିଭିନ୍ନ  ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ  ମଧ୍ୟ କରିବେ ।

୨୦୦୦ ମସିହାରେ ରାଜ୍ୟ  ଗଠନ ପରେ ରାୟପୁରର ରାଜକୁମାର କଲେଜରେ ଆରମ୍ଭ ହୋଇଥିବା ଛତିଶଗଡ଼ ବିଧାନସଭା ୨୫ ବର୍ଷ ପରେ ଏହାର ରୌପ୍ୟଜୟନ୍ତୀ ବର୍ଷରେ ନିଜର ଭବ୍ୟ,  ଆଧୁନିକ ଏବଂ ସୁସଜ୍ଜିତ ସ୍ଥାୟୀ ବିଧାନସଭା କୋଠା ପାଇବ । ଏହା କେବଳ ଏକ ଗୃହ ନୁହେଁ ବରଂ ଛତିଶଗଡ଼ର ସମୃଦ୍ଧ  ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସର ପ୍ରତୀକ ।  ‘ଧାନର ପାତ୍ର’ କୁହାଯାଉଥିବା ଛତିଶଗଡ଼ର ପରିଚୟ ଏହି କୋଠାର ସ୍ଥାପତ୍ୟରେ ସୁନ୍ଦର ଭାବେ ସ୍ଥାନିତ କରାଯାଇଛି ।  ବିଧାନସଭା ଗୃହର ଛାତ ଧାନ କେଣ୍ଡା,  ପତ୍ର ଆଦି ଖୋଦେଇ ହୋଇଛି, ଯାହା  ରାଜ୍ୟର କୃଷି ସଂସ୍କୃତିର ପ୍ରତୀକ । କୋଠାର  ଅଧିକାଂଶ ଦ୍ୱାର ଏବଂ ଫର୍ଣ୍ଣିଚର ବସ୍ତରର  ପାରମ୍ପରିକ କାଠ କାରିଗରଙ୍କ ଦ୍ୱାରା ତିଆରି  ହୋଇଛି । ତେଣୁ ନୂତନ ବିଧାନସଭା କୋଠା  ଆଧୁନିକତା ଏବଂ ପରମ୍ପରାର ଏକ ଜୀବନ୍ତ  ମିଶ୍ରଣ ବୋଲି କୁହାଯାଇଛି । ୩୨୪ କୋଟି  ଟଙ୍କା ବ୍ୟୟରେ ୫୧ ଏକରରେ ଏହି କୋଠା  ନିର୍ମାଣ ହୋଇଛି । କୋଠାକୁ ୱିଙ୍ଗ୍‌-ଏ,  ୱିଙ୍ଗ୍‌-ବି ଏବଂ ୱିଙ୍ଗ୍‌-ସି ଭାଗରେ  ବିଭକ୍ତ କରାଯାଇଛି । ଏଥିରେ ପରିବେଶ  ଉପଯୋଗୀ ଗ୍ରୀନ୍‌ ଟେକ୍ନୋଲୋଜି  ବ୍ୟବହାର ହୋଇଛି । କୋଠାରେ ୫୦୦  ଆସନ ବିଶିଷ୍ଟ ଅଡିଟୋରିୟମ ଏବଂ ୧୦୦  ଆସନ ବିଶିଷ୍ଟ କେନ୍ଦ୍ରୀୟ ହଲ୍‌ ରହିଛି ।