ଧଉଳି,୨୪/୯ : ବିଦେଶରେ ଚମକିବ ଓଡ଼ିଆ ଶିଳ୍ପୀଙ୍କ ହାତଗଢ଼ା ସ୍ଥାପତ୍ୟ । ଶିଳ୍ପୀଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ଓ ତାଙ୍କ ଅନୁଜ ଜାତୀୟ ପୁରସ୍କାରପ୍ରାପ୍ତ ରତ୍ନାକର ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମିତ ଭଗବାନ ବୁଦ୍ଧଙ୍କ ୨୫ଟନ୍ର ଏକ ବିଶାଳ ମୂର୍ତ୍ତି ମାଲେସିଆର ରାଜଧାନୀ କ୍ୱାଲାଲମପୁରରେ ସ୍ଥାପିତ ହେବ । ବୁଦ୍ଧଙ୍କ ଏହି କାରୁକାର୍ଯ୍ୟ ଭରା ମୂର୍ତ୍ତିକୁ ଧଉଳି ପାଦଦେଶରେ କୋଣାର୍କ କଳାର ୮ଜଣ ଶିଳ୍ପୀ ୪ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ନିର୍ମାଣ କରିଛନ୍ତି । ମୂର୍ତ୍ତିଟି କଣ୍ଟେନରରେ କୋଲକାତା ଯିବ ଏବଂ ସେଠାରୁ ଜାହାଜରେ ମାଲେସିଆ ଯିବ ।
ରାଜସ୍ଥାନର ୪୦ଟନ ସ୍ୟାଣ୍ଡ୍ ଷ୍ଟୋନ ପଥରକୁ ନିହାଣ ମୁନରେ ଶିଳ୍ପୀମାନେ ଜୀବନ୍ତ ରୂପ ଦେଇଛନ୍ତି । ମୂର୍ତ୍ତିଟି ଏତେ ନିଖୂଣ ହୋଇଛି ଯେ ଲାଗୁଛି ସତେଯେପରି ଜୀବନ୍ତ ଭଗବାନ ବୁଦ୍ଧ ବସି ରହିଛନ୍ତି । ମୂର୍ତ୍ତିରେ ବୃଦ୍ଧଙ୍କ ଶିଷ୍ୟ ଅବଲୋକେଶରା, ଶାରୀପୁତ୍ର, ମଙ୍ଗଳ ପୁତ୍ର, ସିଂହ, ହାତୀ, ପୂଜାରିଣୀ ଆଦି ଅଛନ୍ତି । ମୂର୍ତ୍ତିଟି ବିଦେଶ ପଠାଇବାକୁ ସମସ୍ତ ପ୍ରସ୍ତୁତି ସରିଲାଣି । ଶ୍ରୀ ମହାରଣା ଓ ତାଙ୍କ ସହଯୋଗୀମାନେ ପଥରରେ ନିଖୂଣ ମୂର୍ତ୍ତି ଓ ମନ୍ଦିର ଗଢ଼ିଥାନ୍ତି । ଏହା ସେମାନଙ୍କର ଆଉ ଏକ ଚମତ୍କାର କଳାକୃତି । ଏ ସମ୍ପର୍କରେ ପଦ୍ମଶ୍ରୀ ପ୍ରଭାକର କୁହନ୍ତି, ଓଡ଼ିଆଙ୍କ କଳା ନୈପୁଣ୍ୟ ବହୁ ପୁରାତନ କାଳରୁ ପ୍ରକାଶିତ ହୋଇଆସୁଛି ଓ ସାରା ପୃଥିବୀରେ ସୁନାମ ଅର୍ଜନ କରିଛି । ବିଦେଶ ପାଇଁ ଏପରି ବିଶାଳ ମୂର୍ତ୍ତି ଆମ ଓଡ଼ିଶାରେ ତିଆରି ହେବା ଗର୍ବର କଥା । ଏହା ଦ୍ୱାରା ଓଡ଼ିଶାର କଳା ଓ ଶିଳ୍ପୀମାନେ ବିଶ୍ୱରେ ପରିଚୟ ଲାଭ କରିପାରୁଛନ୍ତି । ତେବେ ଆମ ରାଜ୍ୟରେ ମଧ୍ୟ ଏଭଳି ମୂର୍ତ୍ତି ସ୍ଥାପନ ହୋଇପାରିଲେ କଳା ସ୍ଥାପତ୍ୟର ଅଧିକ ପ୍ରଚାର ପ୍ରସାର ହୋଇପାରନ୍ତା । ପର୍ଯ୍ୟଟକମାନେ ଅଧିକ ଆକର୍ଷିତ ହୋଇପାରନ୍ତେ ।