ପାଟଣାଗଡ଼, ୭।୧୦ (ଆପ୍ର): ପାଟଣାଗଡ଼ ଥାନା ଯୋଗିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିଲା। ଏହି ଅଭିଯୋଗରେ ପୁଲିସ ହାତରେ ସ୍ଥାନୀୟ ଅଞ୍ଚଳର ୩ ଜଣ ନାବାଳକ ଧରାପଡିଛନ୍ତି। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଏଥି ସହ ସେମାନଙ୍କ ଠାରୁ ନଗଦ ୬୨ ହଜାର ୮ ଶହ ଟଙ୍କା, ୨ ଗୋଟି ଏଲଇଡିଟିଭି, ଗୋଟିଏ ପାଣି ମୋଟର ପମ୍ପ ସହ ସେମାନେ ବ୍ୟବହାର କରିଥିବା ଏକ ରେଞ୍ଚପାନା ପୁଲିସ ଜବତ କରିଛି ।
ଗତ ୨ ତାରିଖ ବିଳମ୍ବିତ ରାତିରେ ଯୋଗିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରି ଡେଇଁ ଦୁର୍ବୃତ୍ତମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ପରେ ସେମାନେ ଅଫିସ ଗୃହରେ ଲାଗିଥିବା ତାଲା ଗୁଡିକ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଅଫିସ ଭିତରେ ଲାଗିଥିବା ୨ ଟି ଏଲଇଡିଟିଭି ଏବଂ ଏକ ପାଣି ପମ୍ପ ଚୋରିକରି ପଲାଇ ଆସିଥିଲେ । ତା’ ପରଦିନ ପୁଣି ସେମାନେ ଦିନ ବେଳେ ଅଫିସ ଗୃହକୁ ପ୍ରବେଶ କରି ଲକର ଭାଙ୍ଗି ୮୦ ହଜାର ୯ ସହ ୧୦ ଟଙ୍କା ଚୋରିକରି ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଏନେଇ ସ୍କୁଲ ପ୍ରଧାନ ଶିକ୍ଷକ ଦୟାନିଧି ସାହୁ ଗତ ୩ ତିରିଖରେ ପାଟଣାଗଡ଼ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ରେ ଏକ ମାମଲା ରୁଜୁକରି ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଏହାର ତଦନ୍ତ ଜାରି ରଖିଥିଲା । ଏହି ଘଟଣାରେ ତିନିଜଣ ନାବାଳକ ପୁଲିସ ହାତରେ ଧରାପଡିଥିଲେ।
ଯୋଗିମୁଣ୍ଡା ଅଞ୍ଚଳରେ ଦିନକୁ ଦିନ କୋରେକ୍ସ , ବିଦେଶୀ ମଦ, ଗଞ୍ଜେଇ ଖୁଲମଖୁଲା ବିକ୍ରୀ ହେଉଥିବାରୁ ନାବାଳକ ମାନେ ଏହା ସଂସ୍ପର୍ଶରେ ଆସି ଏଭଲି କାଣ୍ଡ ଘଟାଇଥିବା ଯୋଗିମୁଣ୍ଡା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ଏଥିପ୍ରତି ଉପଖଣ୍ଡ ପୁଲିସ ଅଧିକାରୀ ଧ୍ୟାନ ଦେବାକୁ ସ୍ଥାନିୟ ଅଞ୍ଚଳବାସି ଦାବି କରିଛନ୍ତି ।